ନୂଆଦିଲ୍ଲୀ: ଆପଣ ଭଲ ଇଂରାଜୀ କହିପାରୁଛନ୍ତି କି? ତା’ହେଲେ ଆମେରିକା ଯିବାକୁ ଭିସା ମିଳିବାରେ ଆଉ କଷ୍ଟ ହେବ ନାହିଁ। କାରଣ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସରକାର ଏମିତି ଏକ ଇମିଗ୍ରେସନ୍ ପଲିସି ନେଇ ଆସୁଛନ୍ତି। ଏହି ନୂଆ ନୀତି ଅନୁସାରେ ଯୋଗ୍ୟତା ଅନୁସାରେ ବିଦେଶୀମାନଙ୍କୁ ଆମେରିକାରେ ରହି କାମ କରିବାକୁ ଅନୁମତି ମିଳିବ। ତେବେ ଏ ସଂପର୍କିତ ବିଲ୍ଟିକୁ ଆମେରିକାର କଂଗ୍ରେସରେ ଉପସ୍ଥାପିତ କରାଯିବ ଓ ସେଠାରେ ପାରିତ ହେବା ପରେ କାର୍ଯ୍ୟକାରୀ କରାଯିବ। ଏହି ବିଲ୍ ପାସ୍ ହୋଇ ଆଇନ୍ରେ ପରିଣତ ହୋଇଗଲେ ସବୁଠୁ ଅଧିକ ଫାଇଦା ପାଇବେ ଭାରତୀୟମାନେ।
ଗ୍ରୀନ କାର୍ଡ ପାଇଁ ଆମେରିକାର ତା’ର ପୂରୁଣା ଲଟେରୀ ବ୍ୟବସ୍ଥାକୁ ବନ୍ଦ କରି ଦେବ। ଏହା ବଦଳରେ ଇଂରାଜୀରେ ଦକ୍ଷତା, ଶିକ୍ଷାଗତ ଯୋଗ୍ୟତା, ଜବ୍ ଅଫର୍ ଓ ବୟସକୁ ଗୁରୁତ୍ୱ ଦିଆଯିବ। ଗ୍ରୀନ୍ କାର୍ଡ ସାହାଯ୍ୟରେ ବିଦେଶୀମାନଙ୍କୁ ଆମେରିକାରେ ସ୍ଥାୟୀ ଭାବେ ରହିବାର ଅଧିକାର ମିଳେ। ତା’ସହିତ କାମ କରି ଅର୍ଥ ରୋଜଗାର କରିବା ଓ ସେଠାକାର ନାଗରିକ ହେବାର ଅଧିକାର ଦିଆଯାଏ।
ଟ୍ରମ୍ପ କ୍ଷମତାକୁ ଆସିବା ପରେ H1B ଭିସା ଉପରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଥିଲେ। ଏହା ଫଳରେ ପ୍ରବାସୀ ଲୋକଙ୍କ ଉପରେ ଏହାର ବଡ଼ ପ୍ରଭାବ ପଡ଼ିଥିଲା। H1B ଅନୁସାରେ ବର୍ଷରେ ପ୍ରାୟ ୬୫,୦୦୦ ଜଣଙ୍କୁ ଲଟେରୀ ବ୍ୟବସ୍ଥାରେ ଭିସା ଦିଆଯାଏ। ଆଇଟି କଂପାନୀରେ ଚାକିରି କରୁଥିବା ଲୋକେ ଏହା ଉପରେ ଅଧିକ ନିର୍ଭର କରନ୍ତି।