ନୂଆଦିଲ୍ଲୀ: ମଙ୍ଗଳବାର ଭାରତର ମିଶନ ମୁନ୍କୁ ମିଳିଛି ବଡ଼ ସଫଳତା। ଭାରତର ଐତିହାସିକ ଚନ୍ଦ୍ର ଅଭିଯାନ କ୍ରମରେ ପ୍ରେରିତ ଚନ୍ଦ୍ରଯାନ-୨ ଆଜି ପୃଥିବୀର କକ୍ଷପଥ ଛାଡ଼ି ଚନ୍ଦ୍ରର କକ୍ଷ ପଥରେ ପ୍ରବେଶ କରିଛି। ଚନ୍ଦ୍ରଯାନ-୨ ଏବେ ଚନ୍ଦ୍ର ଚାରିପଟେ ପରିକ୍ରମା ଆରମ୍ଭ କରିଛି। ତେଣୁ ଇସ୍ରୋର ବୈଜ୍ଞାନିକମାନଙ୍କୁ ଚନ୍ଦ୍ର ଆଉ ଅଳ୍ପ ଦୂର ମନେ ହେବା ଆରମ୍ଭ ହୋଇଛି। ଆଜିର ଅଦ୍ଭୁତପୂର୍ବ ସଫଳତା ପରେ ଇସ୍ରୋ ଅଧ୍ୟକ୍ଷ କେ ଶିବନ୍ କହିଛନ୍ତି, ମନୁଷ୍ୟ ହିସାବରେ ଯାହା କରିପାରିବା କଥା ଆମେ କରିସାରିଛୁ। ତେବେ ଚନ୍ଦ୍ରଯାନ-୨ ଚନ୍ଦ୍ରର କକ୍ଷ ପଥରେ ପ୍ରବେଶ କରିବା ସମୟରେ ପ୍ରାୟ ୩୦ ମିନିଟ୍ ପାଇଁ ବୈଜ୍ଞାନିକମାନଙ୍କର ଏକ ପ୍ରକାର ହୃଦ୍ସ୍ପନ୍ଦନ ବନ୍ଦ ହୋଇଯାଇଥିଲା ବୋଲି ସେ କହିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଆସନ୍ତା ଅଗଷ୍ଟ ୩୧ ତାରିଖ ମଧ୍ୟରେ ଚନ୍ଦ୍ରଯାନ ଆଉ ୪ ଥର ଚନ୍ଦ୍ର ଚାରିପଟେ କକ୍ଷ ପଥରେ ବୁଲିବା ପରେ ଲ୍ୟାଣ୍ଡର୍ ବିକ୍ରମ ଅର୍ବିଟର୍ରୁ ଅଲଗା ହେବ। ସେପ୍ଟେମ୍ବର ୭ ତାରିଖରେ ଚନ୍ଦ୍ରର ଦକ୍ଷିଣ ମେରୁ ନିକଟରେ ଚନ୍ଦ୍ରଯାନକୁ ସଫ୍ଟଲ୍ୟାଣ୍ଡ୍ କରାଇବା ପାଇଁ ଇସ୍ରୋ ପୁରା ଆଶାବାଦୀ ଅଛି। କିନ୍ତୁ ପୂର୍ବଥର ଚନ୍ଦ୍ରଯାନ କ୍ରାଶ୍ ଲ୍ୟାଣ୍ଡିଂ କରିଥିଲା।
ଚନ୍ଦ୍ରପୃଷ୍ଠରେ ଅବତରଣ ପୂର୍ବରୁ ୩ ଏବଂ ୪ ସେପ୍ଟେମ୍ବରରେ ଲ୍ୟାଣ୍ଡିଂ ସାଇଟ୍ର ପ୍ରଥମ ମାନଚିତ୍ର ଠାବ କରାଯିବ। ପୂର୍ବ ଯୋଜନା ଅନୁଯାୟୀ ସୁରୁଖୁରୁରେ ସଫ୍ଟଲ୍ୟାଣ୍ଡ୍ କରାଇବା ପାଇଁ ଏହି ପଦକ୍ଷେପ ନିଆଯିବ। ଇସ୍ରୋ ଅଧ୍ୟକ୍ଷ କେ ଶିବନ୍ କହିଛନ୍ତି, ସଫ୍ଟ ଲ୍ୟାଣ୍ଡିଂ ହିଁ ଆମ ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହେବ। ସେପ୍ଟେମ୍ବର ୨ ପରଠାରୁ ସମସ୍ତଙ୍କ ନଜର ଲ୍ୟାଣ୍ଡର ‘ବିକ୍ରମ’ ଉପରେ ରହିବ, ଠିକ୍ ଯେମିତି ବାହାଘର ବେଳେ ବର କନ୍ୟା ଉପରେ ସମସ୍ତଙ୍କ ନଜର ରହିଥାଏ। ସେ କହିଛନ୍ତି ସେପ୍ଟେମ୍ବର ୭ ତାରିଖ ରାତି ୧.୪୦ ବେଳକୁ ଏକ ୧୫ ମିନିଟ୍ର ଲ୍ୟାଣ୍ଡିଂ ପ୍ରକ୍ରିୟା ଆରମ୍ଭ ହେବ।
ଡଃ ଶିବନ୍ କହିଛନ୍ତି, ୫ ଘଣ୍ଟା ୩୦ ମିନିଟ୍ ପରେ ଏହି ମିଶନ୍ର ଫଟୋ ଆସିବା ଆରମ୍ଭ କରିବ। ତେବେ ରୋଭର ଚନ୍ଦ୍ରପୃଷ୍ଠରେ ଅବତରଣ କରିବା ପରେ ଭିଡିଓ ରେକର୍ଡିଂ ଆରମ୍ଭ କରିଦେବ। ୫ ଘଣ୍ଟା ୪୮ ମିନିଟ୍ ପରେ ବୈଜ୍ଞାନିକ ତଥ୍ୟ ମିଳିବା ଆରମ୍ଭ ହୋଇଯିବ।
ସୂଚନାଯୋଗ୍ୟ, ୨୨ ଜୁଲାଇରେ ଇସ୍ରୋ ପକ୍ଷରୁ ଏହି ଚନ୍ଦ୍ରଯାନ-୨କୁ ମହାକାଶକୁ ଛଡ଼ାଯାଇଥିଲା। ଆମେରିକା, ଚାଇନା ଓ ଋଷ ପରେ ୪ର୍ଥ ଦେଶ ଭାବେ ଭାରତ ଚନ୍ଦ୍ରକୁ ଚନ୍ଦ୍ରଯାନ-୨ ଛାଡ଼ିଛି। ଚନ୍ଦ୍ରଯାନର ଓଜନ ୩ହଜାର ୮ଶହ କିଲୋଗ୍ରାମ ରହିଛି। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତୀଶ ଧଓ୍ୱନର ଲଞ୍ଚ ପ୍ୟାଡରୁ ଗତ ୨୨ ଜୁଲାଇ ଅପରାହ୍ନ ୨.୪୩ରେ ଏହି ମହାକାଶଯାନ ଉତ୍କ୍ଷେପଣ ହୋଇଥିଲା। ଏହାର ୧୬ ମିନିଟ ୧୪ ସେକେଣ୍ଡ ପରେ ଏହା ପୃଥିବୀର କକ୍ଷପଥରେ ଅବସ୍ଥାପିତ ହୋଇଥିଲା।
ବିଭିନ୍ନ ଦେଶ ଏବଂ କମ୍ପାନୀ କାହିଁକି ଚନ୍ଦ୍ରର ଦକ୍ଷିଣ ମେରୁରେ ମହାକାଶ ଯାନ ଅବତରଣ କରିବାକୁ ଚାହାଁନ୍ତି ସେ ସମ୍ପର୍କରେ ଆଜି ଇସ୍ରୋ କେତେକ ସୂଚନା ଦେଇଛି। ଏଥିରେ କୁହାଯାଇଛି, ଚନ୍ଦ୍ରର ଆଗ୍ନେୟଗିରିଗୁଡ଼ିକ ଉପରେ ଲକ୍ଷ ଲକ୍ଷ ବର୍ଷ ଧରି ସୂର୍ଯ୍ୟ କିରଣ ପଡ଼ିନାହିଁ। ଏହା ସୌରମଣ୍ଡଳରେ ଏକ ବଡ଼ ରେକର୍ଡ। ଚନ୍ଦ୍ରର ଅନ୍ଧାର ଅଞ୍ଚଳରେ ୧୦୦ ମିଲିଅନ୍ ଟନ୍ ଜଳ ଗଚ୍ଛିତ ରହିଥିବା କଳନା କରାଯାଇଛି। ଏହାର ମାଟି ତଳେ ହାଇଡ୍ରୋଜେନ୍, ଆମୋନିଆ, ମିଥେନ୍, ସୋଡିୟମ୍, ମର୍କୁରୀ ଏବଂ ସିଲଭର ଆଦି ବୃହତ୍ ପରିମାଣରେ ଗଚ୍ଛିତ ଥିବା କୁହାଯାଉଛି। ତେଣୁ ଭବିଷ୍ୟତରେ ମହାକାଶ ଗବେଷଣା ଦିଗରେ ଚନ୍ଦ୍ରର ଦକ୍ଷିଣ ମେରୁ ହିଁ ସବୁଠାରୁ ବଡ଼ ଆଧାର ହେବ ବୋଲି ବିଶ୍ୱାସ କରାଯାଉଛି।