ନୂଆଦିଲ୍ଲୀ: କରୋନାକୁ ମାତ୍ ଦେବାର କ୍ଷମତା ରଖିଥିବା ଟିକା ବାହାର କରି ବିଶ୍ୱରେ ନୂଆ ଆଶା ସଞ୍ଚାର ସୃଷ୍ଟି କରିଥିବା ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଏବେ ବଡ଼ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛି। ଫେଜ-୧ ଓ ଫେଜ୍-୨ରେ ସଫଳତା ହାସଲ କରିଥିବା ଅକ୍ସଫୋର୍ଡ କରୋନା ଟିକାର ଟ୍ରାଏଲ ଭାରତରେ ଆରମ୍ଭ ହେବାର ସମ୍ଭାବନା ସୃଷ୍ଟି ହୋଇଛି।
ବ୍ରିଟେନର ଗବେଷଣା ସଂସ୍ଥା ସହ ମିଶି କାମ କରୁଥିବା ଭାରତୀୟ କମ୍ପାନୀ ପକ୍ଷରୁ ଏଭଳି ସୂଚନା ଦିଆଯାଇଛି। ଏହି କମ୍ପାନୀର ନାଁ ହେଉଛି Serum Institute of India। ଅକ୍ସଫୋର୍ଡ ଓ AstraZeneca ମିଳିତ ଭାବେ କରୋନା ଟିକାର ଟ୍ରାଏଲ କରୁଛନ୍ତି। ଟିକା ସମସ୍ତ ପ୍ରକାରର ଟ୍ରାଏଲରେ ସଫଳ ହେବା ପରେ Serum Institute of India ଏହାର ଉତ୍ପାଦନ କରିବ।
Serum Institute of Indiaର ମୁଖ୍ୟ ଅଦର ପୁନାୱାଲା କହିଛନ୍ତି, ଅକ୍ସଫୋର୍ଡର ଟ୍ରାଏଲ ପରେ ନୂଆ ଆଶା ସୃଷ୍ଟି ହୋଇଛି। ଏହା ବହୁତ ଖୁସି ଖବର। ଆମେ ଭାରତରେ ଏହାର ଟ୍ରାଏଲ ପାଇଁ ଆବେଦନ କରିବୁ। ସପ୍ତାହକ ମଧ୍ୟରେ ଏନେଇ ଆମକୁ ଅନୁମତି ମିଳିଯିବ ବୋଲି ଆମର ଆଶା।
ସେହିପରି ଯଥାଶୀଘ୍ର ଆମେ ଏହାର ଉତ୍ପାଦନ ମଧ୍ୟ ଆରମ୍ଭ କରିବୁ। ଭାରତର ଏହି ଏହି ଟିକାର ମୂଲ୍ୟ ପ୍ରାୟ ୧ ହଜାର ଟଙ୍କା ରହିବ। ଏହାବାଦ୍ ଡିସେମ୍ବର ସୁଦ୍ଧା ୩୦୦ରୁ ୪୦୦ ନିୟୁତ ଡୋଜ୍ ତିଆରି କରାଯାଇ ପାରିବ ବୋଲି ସେ କହିଛନ୍ତି।
ଗତକାଲି ଅକ୍ସଫୋର୍ଡ ପକ୍ଷରୁ କୁହାଯାଉଥିଲା ଯେ AZD1222 ଟିକା ତା’ର ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ହ୍ୟୁମାନ ଟ୍ରାଏଲରେ ସଫଳତା ହାସଲ କରିଛି। ଏହା ଜଣେ ବ୍ୟକ୍ତିଙ୍କ ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି କରିବା ସହ ଟି-ସେଲ ମଧ୍ୟ ସୃଷ୍ଟି କରୁଛି। ଟି-ସେଲର ଅର୍ଥ ଏହି ଟିକା ଭାଇରସକୁ ମାରିବାର କ୍ଷମତା ରହିଛି। ଗବେଷକଙ୍କ ମଧ୍ୟରେ AZD1222 ଟିକା ସାମାନ୍ୟ ପାର୍ଶ୍ୱପ୍ରତିକ୍ରିୟା ଦେଖାଉଛି। ହେଲେ ପାରାସିଟମଲ ଦ୍ୱାରା ଏହାକୁ ଲାଘବ କରାଯାଇ ପାରିବ।