ନୂଆଦିଲ୍ଲୀ: ଟେରର ଫଣ୍ଡିଂ ମାମଲାରେ ଫିନାନସିଆଲ୍ ଆକ୍ସନ ଟାସ୍କ ଫୋର୍ସ (ଏଫଏଟିଏଫ) ଛାଟରୁ ବର୍ତ୍ତିବା ପାଇଁ ପାକିସ୍ତାନ ପୁଣି ନୂଆ ଚାଲ୍ ଖେଳିଛି। ଆଜି ଆତଙ୍କବାଦୀ ହାଫିଜ୍ ସୟିଦର ୪ ସହଯୋଗୀକୁ ପାକିସ୍ତାନ ଗିରଫ କରିଛି। ଟେରର ଫଣ୍ଡିଂ ମାମଲାରେ ପାକିସ୍ତାନ ଏହି ଗିରଫ କରିଥିବା ଜଣାପଡ଼ିଛି। ଏହି ଚାରି ଆତଙ୍କବାଦୀ ଜାମାତ୍-ଉଦ୍-ଦାଓ୍ୱା ଏବଂ ଲଶ୍କର-ଏ-ତୋଇବା ସହିତ ଜଡ଼ିତ ଥିଲେ।
ନିକଟରେ ଏଫଏଟିଏଫ କହିଥିଲା ୨୬/୧୧ ଆତଙ୍କବାଦୀ ଆକ୍ରମଣର ମାଷ୍ଟର ମାଇଣ୍ଡ ହାଫିଜ୍ ସୟିଦ୍ ଏବଂ ଅନ୍ୟାନ୍ୟ ଆତଙ୍କବାଦୀ ସଂଗଠନ ଲଶ୍କର-ଏ-ତୋଇବା ଏବଂ ଜାମ୍ମାତ୍-ଉଦ୍-ଦାଓ୍ୱା ବିରୋଧରେ ଇମ୍ରାନ୍ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନାହିଁ।
ଫ୍ରାନ୍ସର ରାଜଧାନୀ ପ୍ୟାରିସରେ ଚଳିତମାସ ୧୩-୧୮ରେ ଏଫଏଟିଏଫର ବୈଠକ ବସିବ। ଏହା ପୂର୍ବରୁ ସେପ୍ଟେମ୍ୱର ସୁଦ୍ଧା ଆତଙ୍କବାଦୀ ଫଣ୍ଡିଂ ଉପରେ ପାକିସ୍ତାନ କି ପଦକ୍ଷେପ ନେଇଛି ସେ ବାବଦରେ ପାକିସ୍ତାନ ସରକାରକୁ ରିପୋର୍ଟ ମାଗିଥିଲା ଏଫଟିଏଫ୍। ଯାହାକୁ ନେଇ ଏଫଏଟିଏଫ ଅସନ୍ତୋଷ ପ୍ରକାଶ କରିସାରିଛି। ଏବେ ପାକିସ୍ତାନ କଳା ତାଲିକାଭୁକ୍ତ ହେବା ସମ୍ବାବନା ଅଧିକ ରହିଛି। ତେଣୁ ଏହା ପୂର୍ବରୁ ଲୋକଦେଖାଣିଆ ଭାବରେ ଏହି ଗିରଫ କରିଛି ବୋଲି ସନ୍ଦେହ କରାଯାଉଛି।
ଏଫଏଟିଏଫର ପୂର୍ବରୁ ଏସିଆ-ପ୍ରଶାନ୍ତ ସମୂହ (ଏପିଜି) ଅଗଷ୍ଟ ୨୩ରେ ମଧ୍ୟ ସମାନ କଥା କହିଥିଲା। ଗତବର୍ଷ ମଧ୍ୟ ଏଫଏଟିଏଫ ପାକିସ୍ତାନକୁ ଏହି ସଂକ୍ରାନ୍ତରେ ‘ଗ୍ରେ ଲିଷ୍ଟ’ରେ ରଖିଥିଲା। ଏହାପରେ ଚଳିତବର୍ଷ ଜାନୁଆରୀରେ ଚେତାବନୀ ଦେଇଥିଲା କୌଣସି କାର୍ଯ୍ୟାନୁଷ୍ଠାନ ନନେଲେ କଳା ତାଲିକାଭୁକ୍ତ କରିବ ବୋଲି ଚେତାବନୀ ଦେଇଛି।ଗୋଟିଏ ପଟେ ପାକିସ୍ତାନ ଆର୍ଥିକ ସ୍ଥିତିକୁ ନେଇ ଦେବାଳିଆ ସ୍ଥିତିରେ ରହିଛି। ଏଭଳି ସ୍ଥିତିରେ ଏଫଏଟିଏଫ ଯଦି ପାକିସ୍ତାନକୁ କଳା ତାଲିକାଭୁକ୍ତ କରେ ତେବେ ପାକିସ୍ତାନ ବିଦେଶରେ ଏବଂ ନିଜ ଦେଶରେ ନାନା ଆର୍ଥିକ କଟକଣାର ସମ୍ମୁଖୀନ ହେବ।