ଇସ୍ଲାମାବାଦ୍: ଧାରା ୩୭୦ ଉଚ୍ଛେଦ କାରଣରୁ ପୁଲ୍ୱାମା ପରି ଆଉ ଏକ ଘଟଣା ଘଟିବ। ପାକିସ୍ତାନ ସଂସଦର ମିଳିତ ଅଧିବେଶନରେ ଏଭଳି କହି ବିଷମଞ୍ଜି ବୁଣିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍। ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈଶ୍-ଇ-ମହମ୍ମଦ ପୁଲ୍ୱାମା ଆକ୍ରମଣ ପାଇଁ ନିଜକୁ ଦାୟୀ କରିସାରିଛନ୍ତି ଏବଂ ଏହି ଆକ୍ରମଣରେ ପାକିସ୍ତାନର କିଛି ବି ଭୂମିକା ନଥିବା କହିଛନ୍ତି ଇମ୍ରାନ୍।
ଇମ୍ରାନ କହିଛନ୍ତି, ଭାରତୀୟ ଜନତା ପାର୍ଟି ଏହାର ପ୍ରତିଷ୍ଠାତା ସଦସ୍ୟମାନଙ୍କ ‘ରେସିଷ୍ଟ’ ବିଚାରଧାରା ଉପରେ ଏହି ନିଷ୍ପତ୍ତି ଆଧାରିତ। ସେମାନେ ମୁସଲିମ୍ଙ୍କୁ ଦ୍ୱିତୀୟ ଶ୍ରେଣୀର ନାଗରିକ ଭାବେ ଅଭିହିତ କରିବାକୁ ଚାହାନ୍ତି ବୋଲି ସେ କହିଛନ୍ତି। ୩୭୦ ଧାରାର ଉଚ୍ଛେଦ ଜିନ୍ନାଙ୍କ ‘୨ଟି ରାଷ୍ଟ୍ର’ ଥିଓରୀକୁ ଠିକ୍ ପ୍ରମାଣିତ କରିଛି। ଇମ୍ରାନ୍ କହିଛନ୍ତି, “ଜିନ୍ନା ଜାଣିଥିଲେ ଆରଏସ୍ଏସ୍ ଚାହେଁ ଭାରତ କେବଳ ହିନ୍ଦୁମାନଙ୍କର ଏବଂ ମୁସଲିମ୍ମାନଙ୍କୁ ସେଠାରେ ଦ୍ୱିତୀୟ ଶ୍ରେଣୀ ନାଗରିକ ଭାବେ ବିଚାର କରାଯିବ। ଏହି ଏଜେଣ୍ଡା ବାବଦରେ ଜାଣିବାରେ ଜିନ୍ନା ଥିଲେ ପ୍ରଥମ ବ୍ୟକ୍ତି। ଯେଉଁ କଶ୍ମୀରୀ ନେତାମାନେ କହୁଥିଲେ ପାକିସ୍ତାନ ତିଆରି ହେବାର ନଥିଲା, ଏବେ ସେମାନେ କହୁଛନ୍ତି ୨ଟି ରାଷ୍ଟ୍ର ଥିଓରୀ ଠିକ୍ ଥିଲା।”
ପୂରା ଭାଷଣରେ ସେ ହିନ୍ଦୁ ଏବଂ ମୁସଲିମ୍ଙ୍କ ଭିତରେ ବିଭେଦ ସୃଷ୍ଟି କରିବାର ପ୍ରୟାସ ସାଙ୍ଗକୁ ପୁଲ୍ୱାମା ଆକ୍ରମଣ ପ୍ରସଙ୍ଗ ଉଠାଇ ପାକ୍ ସମର୍ଥିତ ଆତଙ୍କବାଦୀ ସଂଗଠନଙ୍କୁ ମତାଉଥିବା ଚର୍ଚ୍ଚା ହେଉଛି।