ସୟଦ ଅସିମ ମୁନିର ପାକିସ୍ତାନର ନୂଆ ସେନା ମୁଖ୍ୟ

ଇସଲାମାବାଦ: ପାକିସ୍ତାନକୁ ମିଳିଲେ ନୂଆ ଆର୍ମି ଚିଫ୍‌। ଜେନେରାଲ କମର ଜାବେଦ ବାଜୱାଙ୍କ ସ୍ଥାନରେ ଲେଫ୍ଟନାଣ୍ଟ ଜେନେରାଲ ସୟଦ ଅସିମ ମୁନିର ପାକିସ୍ତାନର ନୂଆ ଆର୍ମି ଚିଫ୍‌ ଭାବେ ନିଯୁକ୍ତ ହୋଇଛନ୍ତି। ଏନେଇ ପାକିସ୍ତାନ ପ୍ରଧାମନ୍ତ୍ରୀ ସେହବାଜ ସରିଫ ଘୋଷଣା କରିଛନ୍ତି। ମୁନିରଙ୍କୁ ଏହି ପଦରେ ନିଯୁକ୍ତ କରିବା ପାଇଁ ରାଷ୍ଟ୍ରପତି ଆରିଫ୍‌ ଆଲ୍‌ଭିଙ୍କୁ ସୁପାରିଶ କରାଯାଇଛି। ଦେଶର ସୂଚନା ମନ୍ତ୍ରୀ ମରିୟମ ଔରଙ୍ଗଜେବଙ୍କ ନିକଟରୁ ମିଳିଥିବା ସୂଚନା ଅନୁଯାୟୀ, ପୁରୁଣା ଆର୍ମି ଚିଫ୍‌ କମର ଜାବେଦ […]

pic

  • Published: Thursday, 24 November 2022
  • , Updated: 24 November 2022, 02:43 PM IST

ଇସଲାମାବାଦ: ପାକିସ୍ତାନକୁ ମିଳିଲେ ନୂଆ ଆର୍ମି ଚିଫ୍‌। ଜେନେରାଲ କମର ଜାବେଦ ବାଜୱାଙ୍କ ସ୍ଥାନରେ ଲେଫ୍ଟନାଣ୍ଟ ଜେନେରାଲ ସୟଦ ଅସିମ ମୁନିର ପାକିସ୍ତାନର ନୂଆ ଆର୍ମି ଚିଫ୍‌ ଭାବେ ନିଯୁକ୍ତ ହୋଇଛନ୍ତି। ଏନେଇ ପାକିସ୍ତାନ ପ୍ରଧାମନ୍ତ୍ରୀ ସେହବାଜ ସରିଫ ଘୋଷଣା କରିଛନ୍ତି। ମୁନିରଙ୍କୁ ଏହି ପଦରେ ନିଯୁକ୍ତ କରିବା ପାଇଁ ରାଷ୍ଟ୍ରପତି ଆରିଫ୍‌ ଆଲ୍‌ଭିଙ୍କୁ ସୁପାରିଶ କରାଯାଇଛି।

ଦେଶର ସୂଚନା ମନ୍ତ୍ରୀ ମରିୟମ ଔରଙ୍ଗଜେବଙ୍କ ନିକଟରୁ ମିଳିଥିବା ସୂଚନା ଅନୁଯାୟୀ, ପୁରୁଣା ଆର୍ମି ଚିଫ୍‌ କମର ଜାବେଦ ବାଜୱା ୨୦୧୬ରେ ଏହି ପଦ ସମ୍ଭାଳିଥିଲେ। ତାଙ୍କ କାର୍ଯ୍ୟକାଳ ୨୦୧୯ ନଭେମ୍ବର ୨୯ ତାରିଖରେ ଶେଷ ହୋଇ ଯାଇଥିଲା। ହେଲେ ଏହାପରେ ୩ ବର୍ଷ ପାଇଁ ପୁଣି ଥରେ ତାଙ୍କ କାର୍ଯ୍ୟକାଳକୁ ବଢ଼ାଇ ଦିଆଯାଇଥିଲା। ଆସନ୍ତା ୨୯ ତାରିଖରେ ୬୧ ବର୍ଷୀୟ ବାଜୱାଙ୍କ କାର୍ଯ୍ୟକାଳ ଶେଷ ହେବ। ସେ ପୁଣି ଥରେ ଏହି ପଦ ସମ୍ଭାଳିବା ପାଇଁ ଚାହୁଁ ନାହାନ୍ତି। ତେଣୁ ତାଙ୍କ ସ୍ଥାନରେ ନୂଆ ଆର୍ମି ଚିଫଙ୍କ ନାମ ଘୋଷଣା କରାଯାଇଛି।

ଜେନେରାଲ ମୁନିରଙ୍କ ବ୍ୟତୀତ ଲେଫଟ୍‌ନାଣ୍ଟ ଜେନେରାଲ ସାହିର ଶାମଶାଦ ମିର୍ଜାଙ୍କୁ ଯୁଗ୍ମ ମୁଖ୍ୟ ଭାବେ ଷ୍ଟାଫ୍ କମିଟି (ସିଜେସିଏସ୍ସି) ଭାବେ ନିଯୁକ୍ତି ଦିଆଯାଇଛି। ରାଷ୍ଟ୍ରପତି ଆରିଫ ଅଲଭିଙ୍କୁ ଏ ବିଷୟରେ ଅବଗତ କରାଯାଇଛି ଏବଂ ଏହା ସହିତ ଜଡ଼ିତ ବିବରଣୀ ମଧ୍ୟ ତାଙ୍କୁ ପ୍ରଦାନ କରାଯାଇଥିବା ମରିୟମ ସୂଚନା ଦେଇଛନ୍ତି। ଉଭୟ ଲେଫ୍‌ଟନାଣ୍ଟ ଜେନେରାଲ ମୁନିର ଓ ମିର୍ଜାଙ୍କୁ ଜେନେରାଲ୍‌ ପଦକୁ ପଦୋନ୍ନତି ଦିଆଯାଇଛି।

ସେପ୍ଟେମ୍ବର ୨୦୨୨ରେ ମୁନିରଙ୍କ କାର୍ଯ୍ୟକାଳ ଶେଷ ହେବାକୁ ବସିଥିବା ବେଳେ ତାହାକୁ ନଭେମ୍ବର ୨୭ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା। ଏହା ମଧ୍ୟରେ ତାଙ୍କୁ ପରବର୍ତ୍ତୀ  ସେନା ମୁଖ୍ୟ ଭାବେ ଘୋଷଣା କରାଯାଇଛି। ବର୍ତ୍ତମାନ ସେ ଆସନ୍ତା ତିନି ବର୍ଷ ପାଇଁ ସେନା ମୁଖ୍ୟ ଭାବରେ କାର୍ଯ୍ୟ କରିବେ।

ପାକିସ୍ତାନରେ ସେନା ନିଯୁକ୍ତି, ପୋଷ୍ଟିଂ, ସ୍ଥାନାନ୍ତର ଆଦି ପ୍ରମୁଖ କ୍ଷମତା ଆର୍ମି ଚିଫ୍‌ଙ୍କ ନିକଟରେ ଥାଏ। ତେଣୁ ଉକ୍ତ ପଦକୁ ଦେଶର ସବୁଠୁ ଶକ୍ତିଶାଳୀ ପଦ ବୋଲି ବିବେଚନା କରାଯାଏ। ପାକିସ୍ତାନ ସ୍ୱାଧୀନ ହେବାର ୭୫ ବର୍ଷ ପୂରି ସାରିଥିବା ବେଳେ ଅଧାରୁ ଅଧିକ ସମୟ କିନ୍ତୁ ଉକ୍ତ ଦେଶ ସେନା ଦ୍ୱାରା ଶାସିତ ହୋଇଛି।

ପାକିସ୍ତାନ ମୁସଲିମ ଲିଗ୍-ନୱାଜ (ପିଏମଏଲ-ଏନ) କହିଛି ଯେ ମୁନିର ସେନା ମୁଖ୍ୟଙ୍କ ପାଇଁ ଉପଯୁକ୍ତ ଏବଂ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ସଠିକ୍ ଉତ୍ତର ଦେଇପାରିବେ।

ଜେନେରାଲ ମୁନିର ଜେନେରାଲ ବାଜୱାଙ୍କର ପ୍ରିୟ ଥିଲେ ଏବଂ ସେ ଚାହୁଁଥିଲେ ମୁନିର ସେନା ମୁଖ୍ୟ ହୁଅନ୍ତୁ। ତାଙ୍କ ସୁପାରିଶ କ୍ରମେ ଅକ୍ଟୋବର ୨୦୧୮ରେ ମୁନିରଙ୍କୁ ଇଣ୍ଟେଲିଜେନ୍ସ ଏଜେନ୍ସି ଆଇଏସଆଇର ମୁଖ୍ୟ କରାଯାଇଥିଲା। ମାତ୍ର ଆଠ ମାସ ପରେ ଅର୍ଥାତ୍ ମେ ୨୦୧୯ରେ ତାଙ୍କୁ ଏହି ପଦବୀରୁ ହଟାଇ ଦିଆଯାଇଥିଲା।

ଜେନେରାଲ ମୁନିର ହିଁ ଇମ୍ରାନ ଖାନଙ୍କ ପତ୍ନୀ ବୁଶ୍ରା ବିବିଙ୍କ ସହ ଜଡ଼ିତ ଦୁର୍ନୀତି ଉପରୁ ପରଦା ହଟାଇଥିଲେ। ଏହି ଅଭିଯୋଗ ଆସିବା ପରେ ଇମ୍ରାନ ଖାନ ଜେନେରାଲ ମୁନିରଙ୍କୁ ତାଙ୍କ ପଦରୁ ହଟାଇ ଦେଇଥିଲେ।

ଜେନେରାଲ ଅସୀମ ମୁନିର୍ ପାକିସ୍ତାନର ଓପନ୍ ଟ୍ରେନିଂ ସର୍ଭିସ (ଓଟିଏସ୍) ମାଧ୍ୟମରେ ସେନାରେ ଯୋଗ ଦେଇଥିଲେ। ଏହା ପରେ ସେ ଗୁଜରନୱାଲା କର୍ପସ କମାଣ୍ଡର ପଦରେ  ଦୁଇ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ।

ପାକିସ୍ତାନର ବରିଷ୍ଠ ସାମ୍ବାଦିକ ନଜାମ ସେଠୀଙ୍କ ସୂଚନା ଅନୁଯାୟୀ, ମୁନିର ଆଇଏସ୍‌ଆଇର ଡିଜି ଥିବା ବେଳେ ପଞ୍ଜାବ ପ୍ରଦେଶର ଅବସ୍ଥା ଖରାପ ଥିବା ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଅବଗତ କରିଥିଲେ। ଏଥିସହ ତୁରନ୍ତ ନେତୃତ୍ୱରେ ପରିବର୍ତ୍ତନ କରା ନ ଗଲେ ସେନା ଓ ସରକାର ପାଇଁ ସମସ୍ୟା ଉପୁଜିପାରେ ବୋଲି କହିଥିଲେ। ଏହା ଶୁଣିବା ପରେ ପ୍ରଥମେ ଇମ୍ରାନ ଖାନ ତାଙ୍କୁ କିଛି କହି ନଥିଲେ। କିନ୍ତୁ ପରେ ସେ ତାଙ୍କୁ ପଦରୁ ହଟାଇ ଦେଇଥିଲେ।

Related story