ପଠାନକୋଟ: ଭାରତ-ପାକିସ୍ତାନ ସୀମାର ପଠାନକୋଟର ବାମିୟାଲ ଅଞ୍ଚଳରୁ ଆଜି ବିଏସଏଫ୍ ଯବାନମାନେ ଜଣେ ପାକିସ୍ତାନୀ ନାଗରିକକୁ ଗିରଫ କରିଛନ୍ତି। ଗିରଫ ବ୍ୟକ୍ତିଙ୍କ ନାଁ ମହମ୍ମଦ ଶେଖ୍ (୪୦) । ସେ ପାକିସ୍ତାନର ପଞ୍ଜାବ ପ୍ରଦେଶର ବୋଲି ଜଣାପଡ଼ିଛି। ଗିରଫ ମହମ୍ମଦ ପାଖରୁ ୨୩୦୦ ଟଙ୍କାର ପାକିସ୍ତାନୀ ମୁଦ୍ରା, ଏକ ପାକିସ୍ତାନୀ ଚେକ୍ବୁକ୍ ଓ ଏକ ଜୀବନ୍ତ ଗୁଳି ଜବତ କରାଯାଇଛି। ତାକୁ ପୋଲିସ୍ ଜେରା କରୁଛି।
ଚଳିତବର୍ଷ ଜାନୁୟାରୀ ୨ ତାରିଖରେ ପଞ୍ଜାବର ପଠାନକୋଟ ସ୍ଥିତ ଭାରତୀୟ ବାୟୁସେନାର ଏୟାରବେସ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ପାକିସ୍ତାନରୁ ଆସିଥିବା ୬ ଆତଙ୍କୀ ଏହି ଆକ୍ରମଣ କରିଥିଲେ । ତିନି ଦିନର ଅପରେସନ୍ ପରେ ୬ ଆତଙ୍କୀ ନିହତ ହୋଇଥିଲେ। ଏଥିରେ ୭ଜଣ ଯବାନ ଶହୀଦ ହୋଇଥିଲେ।