ଶ୍ରୀନଗର: ବ୍ୟାପକ ସୁରକ୍ଷାକର୍ମୀ ନିୟୋଜନ, ସରକାରଙ୍କ ନିର୍ଦ୍ଦେଶ ଏବଂ ଜମ୍ମୁକଶ୍ମୀରର ଆଞ୍ଚଳିକ ଦଳଙ୍କ ଚେତାବନୀ ଭିତରେ ବିଭିନ୍ନ ଆଶଙ୍କା ମଧ୍ୟରେ ରହିଛନ୍ତି କଶ୍ମୀରବାସୀ। ଆଗକୁ କ’ଣ ପଦକ୍ଷେପ ରହିବ ଏବଂ କାହିଁକି ଏପରି ମିଲିଟାରୀ ଆୟୋଜନ, ସେନେଇ କାହା ପାଖରେ ସ୍ପଷ୍ଟ ଉତ୍ତର ନାହିଁ। ଅନ୍ୟପକ୍ଷରେ ସମ୍ଭାବ୍ୟ ଅଘଟଣ ନେଇ ସରକାରଙ୍କ ସତର୍କବାଣୀ ପରେ କଶ୍ମୀର ଛାଡ଼ିବାକୁ ବ୍ୟାକୁଳ ହେଉଥିବା ପର୍ଯ୍ୟଟକ ଏବଂ ଅମରନାଥ ଯାତ୍ରା ଶ୍ରଦ୍ଧାଳୁ ଘରକୁ ଫେରିବାକୁ ସମସ୍ତ ପ୍ରୟାସ ଆରମ୍ଭ କରି ଦେଇଛନ୍ତି। ଅନ୍ୟପକ୍ଷେ, କଶ୍ମୀରବାସୀ ସେମାନଙ୍କ ଭବିଷ୍ୟତକୁ ନେଇ ଚିନ୍ତିତ ରହିଥିବାବେଳେ ବିଚ୍ଛିନ୍ନତାବାଦୀ ଏବଂ ଆତଙ୍କବାଦୀଙ୍କ ସମର୍ଥକଙ୍କ ଭିତରେ ଭୟର ବାତାବରଣ ସୃଷ୍ଟି ହୋଇଛି।
ଆଜି ବ୍ରିଟେନ୍ ଏବଂ ଜର୍ମାନୀ ସରକାରଙ୍କ ପକ୍ଷରୁ ଏହାର ନାଗରିକ ମାନଙ୍କୁ ଆଡଭାଇଜରୀ ଜାରି କରି କୁହାଯାଇଛି କଶ୍ମୀର ବୁଲିବାକୁ ଯାଇଥିଲେ, ଶୀଘ୍ର ସ୍ୱଦେଶ ଫେରିଆସନ୍ତୁ। ବିଶେଷ କରି ପହଲଗାମ୍, ଗୁଲମାର୍ଗ ଏବଂ ସୋନ୍ମାର୍ଗ ଆଦି ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳରେ ବିଦେଶୀଙ୍କ ଭିଡ଼ ଜମୁଥିବାରୁ ଏହି ସ୍ଥାନର ନାମ ମଧ୍ୟ ବ୍ରିଟିଶ ସରକାର ଆଡଭାଇଜରୀରେ ଉଲ୍ଲେଖ କରିଛନ୍ତି। ସ୍ଥିତି ନ ସୁଧୁରିବା ଯାଏ ଏହି ସବୁ ସ୍ଥାନ ସମେତ କଶ୍ମୀର ଗସ୍ତ ନ କରିବାକୁ କୁହାଯାଇଛି। ଜର୍ମାନୀ ପକ୍ଷରୁ ମଧ୍ୟ ସମାନ ବାର୍ତ୍ତା ଦିଆଯାଇଛି।
ଧାରା ୩୭୦ ଏବଂ ଧାରା ୩୫-ଏ ପ୍ରତ୍ୟାହାର ହେବାର ଆଶଙ୍କା ଏଯାଏ କଶ୍ମୀରର ଆଞ୍ଚଳିକ ଦଳମାନଙ୍କୁ ଘାରିଛି। ଆରମ୍ଭରୁ ହିଁ ଏହି ଚର୍ଚ୍ଚା ଜୋର ଧରିଥିବାବେଳେ ଆଜି ପୂର୍ବତନ ଜମ୍ମୁକଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଏହି ପ୍ରସଙ୍ଗ ନେଇ ରାଜ୍ୟପାଳ ସତ୍ୟପ୍ରକାଶ ମଲିକଙ୍କୁ ଭେଟିଥିଲେ। ଏଭଳି କିଛି ହେବନି ବୋଲି ରାଜ୍ୟପାଳ ଆଶ୍ୱାସନା ଦେଇଥିଲେ ମଧ୍ୟ ତାହା ଓମାରଙ୍କୁ ସନ୍ତୁଷ୍ଟ କରିପାରିନାହିଁ। କେନ୍ଦ୍ର ସରକାର ସଂସଦରେ ଏନେଇ ଉତ୍ତର ରଖନ୍ତୁ ବୋଲି ସେ ଦାବି କରିଛନ୍ତି। ସୂଚନାଯୋଗ୍ୟ, ଧାରା ୩୫-ଏ ନିର୍ଦ୍ଧାରଣ କରିଛି କିଏ କଶ୍ମୀରର ନାଗରିକ ହୋଇପାରିବେ ଏବଂ କିଏ ହୋଇପାରିବେନି। ଏତଦ୍ବ୍ୟତୀତ ଏହି ଧାରା ରାଜ୍ୟରେ ସମ୍ପତ୍ତିର ମାଲିକାନାକୁ ନେଇ ମଧ୍ୟ କଶ୍ମୀରବାସୀଙ୍କୁ ସ୍ୱତନ୍ତ୍ର ଅଧିକାର ଦେଇ ଆସୁଛି।
ପିଡିପି ମୁଖ୍ୟ ମେହବୁବା ମୁଫ୍ତି ଏଭଳି ସ୍ଥିତି ପାଇଁ ଚିରାଚରିତ ଭାବେ କେନ୍ଦ୍ର ସରକାରଙ୍କୁ ଦାୟୀ କରିଛନ୍ତି। ସେ କହିଛନ୍ତି, “ସମସ୍ତ ରାଜନୀତିକ ଦଳର କର୍ମୀ ଏକାଠି ହୋଇ କେନ୍ଦ୍ର ସରକାରଙ୍କୁ ବାର୍ତ୍ତା ଦେବାର ଅଛି ଯେ ସେମାନେ ଜମ୍ମୁକଶ୍ମୀରକୁ ମିଳିଥିବା ସ୍ୱତନ୍ତ୍ର ମାନ୍ୟତା ସହିତ ଖେଳିପାରିବେ ନାହିଁ। ଗତ କିଛିଦିନ ମଧ୍ୟରେ କେନ୍ଦ୍ର ସରକାରଙ୍କ ଦ୍ୱାରା ନିଆଯାଇଥିବା କେତେକ ପଦକ୍ଷେପ କଶ୍ମୀରବାସୀଙ୍କ ମନରେ ଭୟ ସୃଷ୍ଟି କରିଛି। ଦୁର୍ଭାଗ୍ୟଜନକ କଥା ହେଉଛି, କେନ୍ଦ୍ର ସରକାର ଏଯାଏ କୌଣସି ସ୍ପଷ୍ଟ ବିବୃତି ଜାରି କରିନାହାନ୍ତି।”
ଅନ୍ୟପକ୍ଷରେ କଂଗ୍ରେସ ନେତା ତଥା ସାଂସଦ ଗୁଲାମ ନବୀ ଆଜାଦ୍ କହିଛନ୍ତି, "ପୂର୍ବରୁ ମଧ୍ୟ ଅମରନାଥ ଯାତ୍ରା ପଥରେ ଲ୍ୟାଣ୍ଡମାଇନ୍ ମିଳିଛି, ହେଲେ ଏମିତି ଆଡଭାଇଜରୀ ଜାରି କରାଯିବା ଏହା ପ୍ରଥମ। ଏହି ଆଡଭାଇଜରୀ ଲୋକଙ୍କ ମନରେ ଭୟ ଓ ଘୃଣା ସୃଷ୍ଟି କରିବା ପାଇଁ ଉଦ୍ଦିଷ୍ଟ।"
ସୂଚନାଯୋଗ୍ୟ,ରାଜ୍ୟରେ ପିଡିପି-ବିଜେପି ମେଣ୍ଟ ସରକାର ଭାଙ୍ଗିଲା ପରେ ପ୍ରଥମେ ରାଜ୍ୟପାଳ ଏବଂ ପରେ ରାଷ୍ଟ୍ରପତି ଶାସନ ଜାରି ହୋଇଛି। କୌଣସି ବଡ଼ ଧରଣର ହମ୍ଲାର ଆଶଙ୍କା କରି ବୃହତ୍ ଧରଣର ସୁରକ୍ଷା କର୍ମୀ ନିୟୋଜନ କରାଯାଇଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି। କିନ୍ତୁ ପୂର୍ବରୁ କେନ୍ଦ୍ର ସରକାର ୩୫-ଏ ଏବଂ ୩୭୦ ଧାରା ନେଇ ନିଜର ମତ ବ୍ୟକ୍ତ କରିସାରିଥିବାରୁ ଏସବୁରୁ ବିଶେଷ ସୁବିଧା ପାଉଥିବା ଦଳ ଗୁଡ଼ିକ ଆଶଙ୍କାରେ ଅଛନ୍ତି। ସମ୍ଭବତଃ ଏହି ଦୁଇ ଧାରାକୁ ଉଠାଇବା ପାଇଁ କିମ୍ବା ଏଥିରେ ପରିବର୍ତ୍ତନ କରିବା ପାଇଁ ସରକାର ଆଗୁଆ ପ୍ରସ୍ତୁତି ଆରମ୍ଭ କରିଥାଇ ପାରନ୍ତି ବୋଲି କୁହାଯାଉଛି।