ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସକୁ ମାତ ଦେବାରେ ପ୍ଲାଜମା ଥେରାପି କିଛିଟା ଅଂଶରେ କାମ କରିଛି। ଦିଲ୍ଳୀର ସକେତ ଠାରେ ଥିବା ମାକ୍ସ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣେ କରୋନା ରୋଗୀଙ୍କ ଶରୀରରେ ଏହି ପ୍ଲାଜମା ଥେରାପି ସକାରାତ୍ମକ ପ୍ରଭାବ ପକାଇଛି।
ଏହି ବ୍ୟକ୍ତି ଜଣ କରୋନା ଭାଇରସରେ ଆକ୍ରାନ୍ତ ହୋଇ ଗୁରୁତର ଅବସ୍ଥାରେ ଅସୁସ୍ଥ ହୋଇ ପଡ଼ିଥିଲେ। ଏଥିପାଇଁ ତାଙ୍କୁ ଭେଣ୍ଟିଲେଟର ରଖାଯାଇଥିଲା। ଏହାପରେ ଡାକ୍ତରମାନେ ତାଙ୍କ ଶରୀରରେ ପ୍ଲାଜମା ଥେରାପି କରିଥିଲେ। ଏବେ ସେ ଧୀରେଧୀରେ ସୁସ୍ଥ ହେବାରୁ ତାଙ୍କୁ ଏବେ ଭେଣ୍ଟିଲେଟରରୁ ବାହାର କରାଯାଇଛି।
ଏହି ୪୯ ବର୍ଷୀୟ ବ୍ୟକ୍ତି ଦେଶର ପ୍ରଥମ କରୋନା ରୋଗୀ, ଯାହାଙ୍କ ଉପରେ ପ୍ଲାଜମା ଥେରାପି ପରୀକ୍ଷାମୂଳକ ଭାବେ ବ୍ୟବହାର କରାଯାଇଥିଲା। ପ୍ଲାଜମା ଥେରାପି ପାଇଁ ପ୍ରଥମେ କରୋନା ଭାଇରସରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇଥିବା ଲୋକଙ୍କ ଠାରୁ ରକ୍ତ ସଂଗ୍ରହ କରାଯାଏ। ଏହାପରେ ଏହି ରକ୍ତଙ୍କୁ କରୋନା ଭାଇରସରେ ଆକ୍ରାନ୍ତ ହୋଇଥିବା ଲୋକଙ୍କୁ ଦିଆଯାଏ। ଏହାଦ୍ୱାରା ତାଙ୍କର ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି ପାଇଥାଏ।
ଏଯାଏ ଭାରତରେ ପ୍ଲାଜମା ଥେରାପି ପାଇଁ ଅନୁମତି ମିଳି ନଥିଲା। ତେବେ ଗୁରୁତର ଅସୁସ୍ଥ ହେଉଥିବା ଲୋକଙ୍କ ଉପରେ ଏହାକୁ ପରୀକ୍ଷା କରିବା ପାଇଁ ମାକ୍ସ ହସ୍ପିଟାଲର ଡାକ୍ତରମାନେ ଆଇସିଏମଆରକୁ ଅନୁମତି ମାଗିଥିଲେ। କୌଣସି ଅନ୍ୟ ବିକଳ୍ପ ନଥିବାରୁ ଆଇସିଏମଆର ପ୍ଲାଜମା ଥେରାପି ପାଇଁ ଅନୁମତି ଦେଇଥିଲା।
ପ୍ଲାଜମା ଥେରାପି ଦ୍ୱାରା ଧୀରେଧୀରେ ସୁସ୍ଥ ହେଉଥିବା ୪୯ ବର୍ଷୀୟ ବ୍ୟକ୍ତି ଏପ୍ରିଲ ୪ରେ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ଏହାପରେ ତୁରନ୍ତ ତାଙ୍କୁ ମାକ୍ସ ହସ୍ପିଟାଲର ସ୍ୱତନ୍ତ୍ର କୋଭିଡ-୧୯ ୱାର୍ଡରେ ଭର୍ତ୍ତି କରାଯାଇଥିଲା। ତେବେ ଏଠାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ଏପ୍ରିଲ ୮ରୁ ଭେଣ୍ଟିଲେଟରରେ ରଖାଯାଇଥିଲା।
ତାଙ୍କ ଉପରେ ଚିକିତ୍ସାର କୌଣସି ପ୍ରଭାବ ନ ପଡ଼ିବାରୁ ପରିବାର ଲୋକ ଡାକ୍ତରମାନଙ୍କୁ ପ୍ଲାଜମା ଥେରାପି କରିବାକୁ ନିବେଦନ କରିଥିଲେ। ଏଥିପାଇଁ ସେମାନେ ୩ ସପ୍ତାହ ତଳେ କରୋନା ଭାଇରସରୁ ଆରୋଗ୍ୟ ଲାଭ କରିଥିବା ଜଣେ ବ୍ୟକ୍ତିଙ୍କୁ ମଧ୍ୟ ହସ୍ପିଟାଲକୁ ଆଣି ରକ୍ତଦାନ କରିବାକୁ କହିଥିଲେ। ପରିବାର ଲୋକଙ୍କ ନିବେଦନ କ୍ରମେ ଶେଷରେ ଡାକ୍ତରମାନେ ପ୍ଲାଜମା ଥେରାପି କରିଥିଲେ। ଏପ୍ରିଲ ୧୪ରେ ଏହା କରାଯାଇଥିଲା। ଦୀର୍ଘ ୪ରୁ ୫ ଦିନ ପରେ ସେ ଭେଣ୍ଟିଲେଟରରୁ ବାହାରିଥିଲେ।