ପିଏମ କେୟାର୍ସ ଫଣ୍ଡ ସରକାରୀ ନା ବେସରକାରୀ? ଦସ୍ତାବିଜ କହୁଛି ଭିନ୍ନଭିନ୍ନ କଥା

ନୂଆଦିଲ୍ଲୀ: ମହାମାରୀ କରୋନା ବେଳେ ଗଠନ ହୋଇଥିବା ପିଏମ କେୟାର୍ସ ଫଣ୍ଡ ଏକ ସରକାରୀ ସଂସ୍ଥା ନା ବେସରକାରୀ ସଂସ୍ଥା, ତା’କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। କର୍ପୋରେଟ୍‌ ଦାନ ପାଇଁ ଏହାକୁ ଏକ ସରକାରୀ ପାଣ୍ଠି କୁହାଯାଉଥିବା ବେଳେ ଟ୍ରଷ୍ଟର ଦସ୍ତାବିଜ୍‌ରେ ଥିବା ଗୋଟିଏ ଧାରା ଏହାକୁ ଘରୋଇ ପାଣ୍ଠି ବୋଲି ଦର୍ଶାଉଛି। ଏଥିପାଇଁ ଆରଟିଆଇ ଆଇନ ଅଧୀନରେ ଏହି ପାଣ୍ଠିର ତଥ୍ୟ ସାର୍ବଜନୀନ ହୋଇପାରିବ ନାହିଁ ବୋଲି କୁହାଯାଇଛି। ପିଏମ କେୟାର୍ସ ଫଣ୍ଡକୁ ରାଜସ୍ୱ […]

s

Hemant Lenka
  • Published: Thursday, 17 December 2020
  • , Updated: 17 December 2020, 04:26 PM IST

ନୂଆଦିଲ୍ଲୀ: ମହାମାରୀ କରୋନା ବେଳେ ଗଠନ ହୋଇଥିବା ପିଏମ କେୟାର୍ସ ଫଣ୍ଡ ଏକ ସରକାରୀ ସଂସ୍ଥା ନା ବେସରକାରୀ ସଂସ୍ଥା, ତା’କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। କର୍ପୋରେଟ୍‌ ଦାନ ପାଇଁ ଏହାକୁ ଏକ ସରକାରୀ ପାଣ୍ଠି କୁହାଯାଉଥିବା ବେଳେ ଟ୍ରଷ୍ଟର ଦସ୍ତାବିଜ୍‌ରେ ଥିବା ଗୋଟିଏ ଧାରା ଏହାକୁ ଘରୋଇ ପାଣ୍ଠି ବୋଲି ଦର୍ଶାଉଛି। ଏଥିପାଇଁ ଆରଟିଆଇ ଆଇନ ଅଧୀନରେ ଏହି ପାଣ୍ଠିର ତଥ୍ୟ ସାର୍ବଜନୀନ ହୋଇପାରିବ ନାହିଁ ବୋଲି କୁହାଯାଇଛି।

ପିଏମ କେୟାର୍ସ ଫଣ୍ଡକୁ ରାଜସ୍ୱ ବିଭାଗ ଅଧୀନରେ ପଞ୍ଜିକୃତ କରାଯାଇଛି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ରଷ୍ଟର ଅଧ୍ୟକ୍ଷ ରହିଥିବା ବେଳେ ୩ ଜଣ ବରିଷ୍ଠ ମନ୍ତ୍ରୀ ଏହାର ଟ୍ରଷ୍ଟି ଭାବେ କାର୍ଯ୍ୟ କରୁଛନ୍ତି। ନିକଟରେ ଟ୍ରଷ୍ଟର କିଛି ତଥ୍ୟ ୱେବସାଇଟ୍‌ରେ ସାର୍ବଜନୀନ କରାଯାଇଥିଲା। ଏଥିରୁ ଜଣାପଡ଼ିଥିଲା ଯେ ଏହା ସରକାରୀ ଟ୍ରଷ୍ଟ ନୁହେଁ।

ଟ୍ରଷ୍ଟର ଦସ୍ତାବିଜ୍‌ ୫.୩ ଧାରାରେ କୁହାଯାଇଛି ଯେ “ଟ୍ରଷ୍ଟର କୌଣସି ସରକାରୀ ସଂସ୍ଥା ଦ୍ୱାରା ପରିଚାଳିତ, ନିୟନ୍ତ୍ରିତ ହେଉନାହିଁ। ଏହାର ମାଲିକାନା ମଧ୍ୟ ସରକାରଙ୍କ ଅଧୀନରେ ନାହିଁ। ସରକାର ଏହି ପାଣ୍ଠିକୁ କୌଣସି ପ୍ରକାରର ଆର୍ଥିକ ସହାୟତା କରୁନାହାନ୍ତି। ଟ୍ରଷ୍ଟ କାର୍ଯ୍ୟକଳାପ ଉପରେ କେନ୍ଦ୍ର ସରକାର କିମ୍ବା କୌଣସି ରାଜ୍ୟ ସରକାରଙ୍କର ପ୍ରତ୍ୟେକ୍ଷ କିମ୍ବା ପରୋକ୍ଷ ହସ୍ତକ୍ଷେପ ନାହିଁ।”

କରୋନା ସମୟରେ ଜରୁରୀ କାଳୀନ ସହାୟତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ପାଣ୍ଠି ଗଠନ କରିଥିଲେ। ବଦାନ୍ୟ ବ୍ୟକ୍ତି ଓ ସଂସ୍ଥାଗୁଡ଼ିକ ଏହି ପାଣ୍ଠିକୁ ଆର୍ଥିକ ସହାୟତା କରିବାକୁ ନିବେଦନ କରାଯାଇଥିଲା। ୨୭ ମାର୍ଚ୍ଚରେ ଟ୍ରଷ୍ଟ ପଞ୍ଜୀକରଣ ହୋଇଥିଲା। ଏହାର ଗୋଟିଏ ଦିନ ପରେ ଅର୍ଥାତ ମାର୍ଚ୍ଚ ୨୮ରେ କର୍ପୋରେଟ୍‌ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ପିଏମ କେୟାର୍ସକୁ ସିଏସଆର (କର୍ପୋରେଟ୍‌ ସୋଶାଲ ରେସପନ୍‌ସିବିଲିଟି) ପାଣ୍ଠି ସଂଗ୍ରହର କ୍ଷମତା ଦେଇଥିଲା।

ତେବେ କମ୍ପାନୀ ଆଇନ୍‌ ଆକ୍ଟରେ କେଉଁମାନେ କର୍ପୋରେଟ୍‌ ସେକ୍ଟରରୁ ଚାନ୍ଦା ପାଇପାରିବେ, ସେଥିପାଇଁ ସ୍ୱତନ୍ତ୍ର ନିୟମ ରହିଛି। କମ୍ପାନୀ ଆଇନରେ କୁହାଯାଇଛି ଯେ “ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ ଫଣ୍ଡ, କେନ୍ଦ୍ର କିମ୍ବା ଯେ କୌଣସି ରାଜ୍ୟ ସରକାରଙ୍କ ଦ୍ୱାରା ସାମାଜିକ ବିକାଶ ଓ ରିଲିଫ ପାଇଁ ପ୍ରତିଷ୍ଠା ହୋଇଥିବା ପାଣ୍ଠିକୁ ସିଏସଆର ପାଣ୍ଠି ମିଳିପାରିବ। ସେହିପରି ଅନୁସୂଚିତ ଜାତି, ଜନଜାତି, ଅନ୍ୟ ପଛୁଆ ବର୍ଗ, ସଂଖ୍ୟାଲଘୁ ଓ ମହିଳାଙ୍କ ବିକାଶ ପାଇଁ ମଧ୍ୟ କର୍ପୋରେଟ ସଂସ୍ଥାଗୁଡ଼ିକ ସିଏସଆର ଜରିଆରେ ଆର୍ଥିକ ଅନୁଦାନ ଦେଇପାରିବେ।”

ସାମାଜିକ କର୍ମୀ ଅଞ୍ଜଳୀ ଭରଦ୍ୱାଜ ଆରଟିଆଇ ଦ୍ୱାରା ପାଇଥିବା ତଥ୍ୟ ଅନୁଯାୟୀ, ମାର୍ଚ୍ଚ ୨୮ରେ ଯେତେବେଳେ କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟ ପିଏମ କେୟାର୍ସ ଫଣ୍ଡ ପାଇଁ ଅଫିସ ମେମୋରେଣ୍ଡମ ଜାରି କରିଥିଲା ସେତେବେଳେ ଏହାକୁ କେନ୍ଦ୍ର ସରକାରଙ୍କ ଦ୍ୱାରା ସ୍ଥାପିତ ଏକ ଅନୁଷ୍ଠାନ ଭାବେ ଦର୍ଶାଇଥିଲା।

କିନ୍ତୁ ଟ୍ରଷ୍ଟର ଦସ୍ତାବିଜ୍‌ ପିଏମ କେୟାର୍ସ ଫଣ୍ଡ କୌଣସି ସରକାରୀ ସଂସ୍ଥା ନୁହେଁ ବୋଲି କହୁଛି। ତେଣୁ ଏହି ସଂସ୍ଥା କୌଣସି କର୍ପୋରେଟ୍‌ ଦାନ ପାଇବାକୁ ଯୋଗ୍ୟତା ଅର୍ଜନ କରୁନାହିଁ। ଏଭଳି ପରସ୍ପର ବିରୋଧୀ ତଥ୍ୟକୁ ନେଇ ପିଏମ କେୟାର୍ସ ଫଣ୍ଡ ଦୀର୍ଘ ଦୁଇମାସ ଯାଏ କାର୍ଯ୍ୟ କରିଥିଲା। ତେବେ ମେ’ ୨୬ ତାରିଖରେ କର୍ପୋରେଟ ମନ୍ତ୍ରଣାଳୟ ପିଛିଲା ଭାବେ ମାର୍ଚ୍ଚ ୨୮ରୁ ପିଏମ କେୟାର୍ସ ପାଣ୍ଠିକୁ କମ୍ପାନୀ ଅଧିନିୟମରେ ସାମିଲ କରିଥିଲା। ଏହାର ଅର୍ଥ ସେ ଯାଏ ପିଏମ କେୟାର୍ସ ଫଣ୍ଡ ଘରୋଇ ସଂସ୍ଥା ଭାବେ ରହିଥିଲା। ଏହା ସତ୍ତ୍ୱେ ୨ ମାସ ଧରି ଏହି ପାଣ୍ଠିକୁ ବିଭିନ୍ନ କର୍ପୋରେଟ୍‌ ସଂସ୍ଥା ଚାନ୍ଦା ଦେଉଥିଲେ।

ଅଗଷ୍ଟ ୨୦ରେ ପୂର୍ବତନ ଅର୍ଥମନ୍ତ୍ରୀ ପି. ଚାଦାମ୍ବରମ ଗୋଟିଏ ଟ୍ୱିଟ କରିଥିଲେ। ଏଥିରେ ସେ କହିଥିଲେ ଯେ “ଯଦି ପିଏମ କେୟାର୍ସ ଫଣ୍ଡକୁ ସରକାର ସ୍ଥାପନ କରିନାହାନ୍ତି, ତା’ହେଲେ ପ୍ରଧାନମନ୍ତ୍ରୀ ଓ ୩ ଜଣ କେନ୍ଦ୍ରମନ୍ତ୍ରୀ କେମିତି ଏଥିରେ କାମ କରୁଛନ୍ତି? ସେମାନଙ୍କୁ କିଏ ଟ୍ରଷ୍ଟି ଭାବେ ନିଯୁକ୍ତି ଦେଲା? ଯଦି ଏହା ଏକ ଘରୋଇ ପାଣ୍ଠି, ତା’ହେଲେ ଏଠାକୁ ଆସୁଥିବା ଦାନକୁ କାହିଁକି ସିଏସଆର ଭାବେ ଗଣତି କରାଯାଉଛି?

Related story