ବୁଲେଟ୍‌ ଟ୍ରେନ୍‌ର ଶିଳାନ୍ୟାସ କଲେ ମୋଦି ଏବଂ ସିଂଜୋ

ଅହମ୍ମଦାବାଦ: ବହୁ ପ୍ରତୀକ୍ଷିତ ବୁଲେଟ୍ ଟ୍ରେନ ପ୍ରକଳ୍ପର ଶିଳାନ୍ୟାସ ହୋଇଯାଇଛି। ଅହମ୍ମଦାବାଦର ସାବରମତୀ ଷ୍ଟେସନରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଜାପାନ ପ୍ରଧାନମନ୍ତ୍ରୀ ସିଂଜୋ ଆବେ ଏହାର ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ମୋଦି ଜାପାନ ସରକାରଙ୍କୁ ସହଯୋଗ ପାଇଁ ଧନ୍ୟବାଦ ଦେବା ସହ ଜାପାନ ଓ ସିଂଜୋଙ୍କ ଭଳି ବନ୍ଧୁ ପାଇ ଭାରତ ଗର୍ବିତ ବୋଲି କହିଛନ୍ତି। ସେ ଆହୁରି କହିଛନ୍ତି, ଦେଶର ବିକାଶ ପରିବହନର ଗତି ଉପରେ ନିର୍ଭର କରେ। […]

Rakesh Mallick
  • Published: Thursday, 14 September 2017
  • , Updated: 14 September 2017, 12:45 PM IST

ଅହମ୍ମଦାବାଦ: ବହୁ ପ୍ରତୀକ୍ଷିତ ବୁଲେଟ୍ ଟ୍ରେନ ପ୍ରକଳ୍ପର ଶିଳାନ୍ୟାସ ହୋଇଯାଇଛି। ଅହମ୍ମଦାବାଦର ସାବରମତୀ ଷ୍ଟେସନରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଜାପାନ ପ୍ରଧାନମନ୍ତ୍ରୀ ସିଂଜୋ ଆବେ ଏହାର ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ମୋଦି ଜାପାନ ସରକାରଙ୍କୁ ସହଯୋଗ ପାଇଁ ଧନ୍ୟବାଦ ଦେବା ସହ ଜାପାନ ଓ ସିଂଜୋଙ୍କ ଭଳି ବନ୍ଧୁ ପାଇ ଭାରତ ଗର୍ବିତ ବୋଲି କହିଛନ୍ତି। ସେ ଆହୁରି କହିଛନ୍ତି, ଦେଶର ବିକାଶ ପରିବହନର ଗତି ଉପରେ ନିର୍ଭର କରେ। ଏହି ବୁଲେଟ ଟ୍ରେନ ଦେଶର ବିକାଶକୁ ତ୍ୱରାନ୍ୱିତ କରିବ।

ସେ କହିଛନ୍ତି, କୌଣସି ଦ୍ରବ୍ୟ କିଣିବାକୁ ଋଣ କଲେ ଆମେ ପାଇ ପାଇର ହିସାବ କରିଥାନ୍ତି। ଯଦି ଅଧା ପ୍ରତିଶତ ସୁଧ ବି କିଏ କମାଇ ଦିଏ ଆମେ ବହୁତ ଖୁସି ହୋଇଯାଇଥାନ୍ତି। ଏଠାରେ ତ ଜାପାନ ସରକାର ୮୮,୦୦୦ କୋଟି ଟଙ୍କା ମାତ୍ର o.1 ପ୍ରତିଶତ ସୁଧରେ ଦେଇଛନ୍ତି।

ଏହି ଅବସରରେ ମୋଦି ବିରୋଧୀଙ୍କୁ ଟାର୍ଗେଟ କରିବାକୁ ଭୁଲି ନାହାଁନ୍ତି। ସେ କହିଛନ୍ତି, ପ୍ରଥମେ କହୁଥିଲେ (ବିରୋଧୀ) ମୋଦି ପ୍ରତିଶ୍ରୁତି ଦେଉଥିଲେ, ବୁଲେଟ୍‌ ଟ୍ରେନ୍‌ କେବେ ଆସିବ। ମୁଁ ବୁଲେଟ୍‌ ଟ୍ରେନ୍‌ ନେଇ ଆସିଲି, ଏବେ କହୁଛନ୍ତି, କାହିଁକି ଆଣିଲ।

ପ୍ରଥମ ପର୍ଯ୍ୟାୟରେ ଅହମ୍ମଦାବାଦରୁ ମୁମ୍ବାଇକୁ (୫୦୮ କି.ମି.) ହେବାକୁ ଥିବା ପ୍ରକଳ୍ପ ପାଇଁ  ୧ ଲକ୍ଷ ୧୦ ହଜାର  କୋଟି ଟଙ୍କା ବ୍ୟୟ ହେବ। ଜାପାନ ଦେଇଥିବା ଋଣ ଭାରତ ୫୦ ବର୍ଷରେ ସୁଝିବା ପାଇଁ ଚୁକ୍ତି ହୋଇଛି। ୨୦୨୩ରେ କାର୍ଯ୍ୟ ସରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।

ଏହି ପ୍ରକଳ୍ପର ୭ କିମି ସମୁଦ୍ର ଦେଇ ଯିବ। ୫୦୮ କିମି ରେଳପଥରେ ୧୨ଟି ଷ୍ଟେସନ ରହିବ। ଟ୍ରେନର ସର୍ବାଧିକ ଡିଜାଇନ ସ୍ପିଡ୍ ୩୫୦ କିଲୋମିଟର ଥିବାବେଳେ ଅପରେଟିଂ ସ୍ପିଡ୍ ପ୍ରତିଘଣ୍ଟାରେ ୩୨୦ କିଲୋମିଟର ରହିବ।  ଯଦି ମାତ୍ର ୪ଟି ଷ୍ଟେସନରେ ଏହି ଟ୍ରେନ ରହେ, ତେବେ ଅହମଦାବାଦରୁ ମୁମ୍ବାଇ ପହଞ୍ଚିବାକୁ ମାତ୍ର ୨ଘଣ୍ଟା ୭ ମିନିଟ ସମୟ ଲାଗିବ।  ଯଦି ସବୁ ଷ୍ଟେସନରେ ରହଣି କରେ ତେବେ ପ୍ରାୟ ୩ ଘଣ୍ଟା ଲାଗିବ।

Related story