ଭୋପାଲ: ଠିକ୍ ହୋଲି ପୂର୍ବରୁ ମଧ୍ୟପ୍ରଦେଶ ରାଜନୀତିର ରଙ୍ଗ ବଦଳିବା ଆରମ୍ଭ କରିଛି। ରାଜ୍ୟରେ ଶିବରାଜ ସିଂହ ଚୌହାନଙ୍କୁ ଚକ୍ମା ଦେଇ କଂଗ୍ରେସକୁ କ୍ଷମତାସୀନ କରାଇଥିବା ଟାଣୁଆ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବେ ଗେରୁଆ ରଙ୍ଗରେ ରଙ୍ଗେଇ ହେବାର ଚର୍ଚ୍ଚା ଆରମ୍ଭ ହୋଇଛି।
ଗୋଟିଏ ପଟେ ସିନ୍ଧିଆଙ୍କ ସମର୍ଥନରେ ୨୦ ବିଧାୟକ ବେଙ୍ଗାଲୁରୁରେ ଥିବା କୁହାଯାଉଛି। ଏହା ପୂର୍ବରୁ ସିନ୍ଧିଆଙ୍କୁ ମିଶାଇ ୧୭ ଜଣ ଥିଲା। କଂଗ୍ରେସରେ ଦଳୀୟ କନ୍ଦଳ ଏପରିର ରହିଛି ଯେ ଭବିଷ୍ୟତରେ ଅଧିକ ବିଧାୟକ ସିନ୍ଧିଆଙ୍କୁ ସମର୍ଥନ ଦେବେ ବୋଲି କୁହାଯାଉଛି।
ବିଜେପି ପକ୍ଷରୁ ଏହାପରେ କୁହାଯାଇଛି, କମଲ ନାଥଙ୍କ ସରକାର ଭାଙ୍ଗିବା ନିଶ୍ଚିତ। ଏହି ସରକାର ଭାଙ୍ଗିଲେ ବିଜେପି ସରକାର ଗଠନ ଦାବି କରିବ।
ସିନ୍ଧିଆଙ୍କ ସମର୍ଥକ କଂଗ୍ରେସ ନେତା କହିବା ଅନୁଯାୟୀ, ତାଙ୍କୁ କୋଣ ଠେସା କରିବାକୁ ଚାହୁଁଥିବା ଲୋକଙ୍କ ସହ ସିନ୍ଧିଆ ଲଢ଼ୁଛନ୍ତି। ଦଳର ବରିଷ୍ଠ ନେତାଙ୍କ ଦ୍ୱାରା ସେ ଅବହେଳାର ଶିକାର ହୋଛନ୍ତି। ତେଣୁ ବେଙ୍ଗାଲୁରୁରେ ୧୬ ନୁହେଁ, ୨୦ ଜଣ ବିଧାୟକ ସିନ୍ଧିଆଙ୍କ ସମର୍ଥନରେ ଏକାଠି ହୋଇଛନ୍ତି। ଏବେ ବିଜେପି ମଧ୍ୟ ଅଙ୍କ କଷିବା ଆରମ୍ଭ କରିଛି। କୁହାଯାଉଛି ବିଜେପିରେ ସାମିଲ ହେଲେ ସିନ୍ଧିଆଙ୍କୁ ରାଜ୍ୟସଭାକୁ ପଠାଯିବା ସହ ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରୀପଦ ମିଳିବ। ଯଦି ଏଥିରେ ସେ ସହମତି ପ୍ରକାଶ କରନ୍ତି, ଭାରତୀୟ ରାଜନୀତିରେ ବଡ଼ ପରିବର୍ତ୍ତନ ଆସିବ।