ନୂଆଦିଲ୍ଲୀ: ମଙ୍ଗଳବାର ସକାଳ ୧୦ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧିତ କରିବେ। ଏହି ଅବସରରେ ସେ କରୋନା ମହାମାରୀର ମୁକାବିଲା ପାଇଁ ଲକ୍ଡାଉନ୍ର ଅବଧି ବୃଦ୍ଧି ସମ୍ପର୍କରେ ଘୋଷଣା କରିବେ। ମାର୍ଚ୍ଚ୨୫ରୁ ସାରା ଦେଶରେ ଲାଗୁ ହୋଇଥିବା ୨୧ ଦିନିଆ ଲକ୍ଡାଉନ୍ର ଅବଧି ମଙ୍ଗଳବାର ସରୁଥିବାରୁ ସେ ଏବେ ଏହାର ଅବଧି ବୃଦ୍ଧି ସହ ନୂଆ ଲକ୍ଡାଉନ୍ ବୃଦ୍ଧି ସମୟରେ କୋହଳ ଏବଂ ଅନ୍ୟ କଳେବର ବାବଦରେ ସ୍ପଷ୍ଟ କରିବାର ଅଛି।
ଏହା ପୂର୍ବରୁ କେନ୍ଦ୍ରର କିଛି ନିଷ୍ପତ୍ତିକୁ ଅପେକ୍ଷା ନକରି ପ୍ରଥମେ ଓଡ଼ିଶା ଏବଂ ପରେ ପଞ୍ଜାବ, ତେଲେଙ୍ଗାନା ଓ ମହାରାଷ୍ଟ୍ର ଆଦି ରାଜ୍ୟ ଅବଧି ବୃଦ୍ଧି କରିଛନ୍ତି। ତେବେ ଏଥିରେ କଟକଣା କୋହଳ କରିବା ନେଇ କୌଣସି ସ୍ପଷ୍ଟ ଉଲ୍ଲେଖ ନଥିଲା। ତେବେ କେନ୍ଦ୍ର ଲକ୍ଡାଉନ୍ ଅବଧି ବୃଦ୍ଧି ପାଇଁ ମୋଦି ପୂର୍ବରୁ ଘୋଷଣା କରିଥିବା ‘ଜାନ୍ ଭି, ଜହାନ୍ ଭି’ ଉକ୍ତିକୁ ଲାଗୁ କରିବା ମନେ ହେଉଛି। ଏହାର ଅର୍ଥ ଉଭୟ ଜୀବନ ଏବଂ ଅର୍ଥନୀତିକୁ ଗୁରୁତ୍ୱ ଦେବାର ଅଛି।
ଯଦିଓ ଦେଶବ୍ୟାପୀ କଟକଣା କୋହଳ କରାଯିବାର ଅଛି କିଛି ସହରରେ ଏହା ଲାଗୁ ହେବନାହିଁ ବୋଲି କୁହାଯାଉଛି। କରୋନା ସବୁଠାରୁ ଅଧିକ ତାଣ୍ଡବ କରିଥିବା ସହର ମଧ୍ୟରେ ଦିଲ୍ଲୀ, ମୁମ୍ବାଇ, ଇନ୍ଦୋର, ଗୁରୁଗ୍ରାମ, ଭୋପାଲ, ହାଇଦ୍ରାବାଦ, ଅହମ୍ମଦାବାଦ, ଜୟପୁର ଏବଂ ବେଙ୍ଗାଲୁରୁ ଆଦି ସହର ରହିଛି। ସେହିଭଳି ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ରାଜ୍ୟର ସବୁଠାରୁ ଅଧିକ ଆକ୍ରାନ୍ତ ରହିଥିବାରୁ ଏଠାରେ କଟକଣା କମିବାର ଖୁବ୍ କମ୍ ସମ୍ଭାବନା ରହିଛି। କିନ୍ତୁ କଟକଣାର କଳେବର କ’ଣ ହୋଇପାରେ ପ୍ରଶ୍ନ ପଚାରିଲେ ମୋଦିଙ୍କ ପାଖରେ ୩ଟି ବିକଳ୍ପ ଥିବା କୁହାଯାଉଛି।
୧. ସମ୍ପୂର୍ଣ୍ଣ ଲକ୍ଡାଉନ୍- କିଛି ରାଜ୍ୟ ପୂର୍ବରୁ କରିଥିବା ଘୋଷଣା ପରି କେନ୍ଦ୍ର ସମସ୍ତ କଟକଣା ସହ ଲକ୍ଡାଉନ୍ ଘୋଷଣା କରିପାରେ। ଏହାର ଅର୍ଥ ମାସେଯାଏ ପୁଣି ଅର୍ଥନୀତିକ କାର୍ଯ୍ୟକାଳପ ସ୍ଥାଣୁ ଅବସ୍ଥାରେ ରହିବ। କିନ୍ତୁ ମୋଦିଙ୍କ ‘ଜାନ୍ ଭି, ଜହାନ୍ ଭି’ ଉକ୍ତିରୁ ଲାଗୁଛି ସରକାର ଏପରି କରିବେନି।
୨. ପର୍ଯ୍ୟାୟ କ୍ରମେ ଉଠିବ କଟକଣା- ବର୍ତ୍ତମାନ ପରିସ୍ଥିତରେ ହଠାତ ସବୁ ସ୍ଥାନରେ କଟକଣା ଜୋର କରି ଲଗାଇବା ବା ଉଠାଇବା ଅପେକ୍ଷା ପର୍ଯ୍ୟାୟ କ୍ରମେ କଟକଣା ଉଠାଇବା ଶ୍ରେୟସ୍କର ମନେ ହେଉଛି। ଅର୍ଥାତ ବିଭିନ୍ନ ସ୍ତରରେ କଟକଣା ଉଠାଯାଇପାରିବ। ପ୍ରାଥମିକ ଅବସ୍ଥାରେ କୃଷି କାର୍ଯ୍ୟ ଆରମ୍ଭ ହୋଇପାରିବ, ଅମଳ କାର୍ଯ୍ୟ ହୋଇପାରିବ ଏବଂ କୃଷି ଉତ୍ପାଦ କିଣା କାର୍ଯ୍ୟ ବିନା କଟକଣାରେ ହୋଇପାରିବ। ଏତଦ୍ବ୍ୟତୀତ ସାମାଜିକ ଦୂରତାକୁ ବଜାୟ ରଖି କାରଖାନା ଚାଲୁ ରଖିବାର ପ୍ରୟାସ କରାଯିବାର ସମ୍ଭାବନା ରହିଛି। ଏଥିପାଇଁ ସ୍ୱତନ୍ତ୍ର ବସ୍ ବା ଟ୍ରେନ୍ ଯୋଗେ ପ୍ରବାସୀ ଶ୍ରମିକଙ୍କୁ କାରଖାନାକୁ ଫେରାଇ ଅଣାଯାଇ ପାରିବ। ସେହିଭଳି ସମସ୍ତ ସାମଗ୍ରୀର ପରିବାହନ ପୂର୍ବବତ୍ ଚାଲୁ ରଖାଯିବ ଏବଂ ମତ୍ସ୍ୟଜୀବୀଙ୍କୁ ମାଛମରା ପାଇଁ ପୂର୍ବପରି ଅନମୁତି ମିଳିବ।
୩. କଲର କୋଡ୍- ଏହା ସବୁଠାରୁ ଚର୍ଚ୍ଚିତ ବିକଳ୍ପ ହୋଇଛି। ଏପରିକି କିଛି ଜାତୀୟ ଗଣମାଧ୍ୟମଙ୍କ ଚର୍ଚ୍ଚା ଅନୁଯାୟୀ ସରକାର ଏହାକୁ ହିଁ ବାଛିବେ। ଏଥିରେ ରେଡ୍, ଅରେଞ୍ଜ ଏବଂ ଗ୍ରୀନ୍ ୩ଟି ଜୋନ୍ ରହିବ। ଆକ୍ରାନ୍ତଙ୍କ ସଂଖ୍ୟାକୁ ଭିତ୍ତି କରି ଏହି ଜୋନ୍ ବିଭକ୍ତିକରଣ କରାଯିବ। ରେଡ୍ ଜୋନ୍ରେ ସବୁଠାରୁ ଅଧିକ କଣ୍ଟେନ୍ମେଣ୍ଟ ଜୋନ୍ ରହିବ ଏବଂ ଗ୍ରୀନ୍ ଜୋନ୍ରେ ସବୁଠାରୁ ଅଧିକ କୋହଳ ରହିବ।