ନୂଆଦିଲ୍ଲୀ: ଗୁରୁଗ୍ରାମ ସ୍ଥିତ ରିଆନ୍ ଇଣ୍ଟରନ୍ୟାସନାଲ ସ୍କୁଲରେ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିବା ୭ ବର୍ଷର ସ୍କୁଲ ଛାତ୍ର ପ୍ରଦ୍ୟୁମ୍ନ ହତ୍ୟାକାଣ୍ଡ ନୂଆ ମୋଡ଼ ନେଇଛି। ମାମଲାର ତଦନ୍ତ କରୁଥିବା ଜଣେ ସିବିଆଇ ଅଧିକାରୀ କହିଛନ୍ତି,“ପ୍ରଦ୍ୟୁମ୍ନଙ୍କୁ ରିଆନ୍ ଇଣ୍ଟରନ୍ୟାସନାଲ ସ୍କୁଲର ଏକାଦଶ ଶ୍ରେଣୀରେ ପଢ଼ୁଥିବା ଜଣେ ଛାତ୍ର ହତ୍ୟା କରିଛି। ତାଙ୍କୁ ଗିରଫ କରାଯାଇଛି।
ସିବିଆଇର ମୁଖପାତ୍ର ଅଭିଷେକ ଦୟାଲ କହିଛନ୍ତି,“ସ୍କୁଲରେ ଯେପରି ପରୀକ୍ଷା ଓ ପିଟିଏମ୍ ହୋଇ ନ ପାରିବ ସେଥିପାଇଁ ଅଭିଯୁକ୍ତ ଛାତ୍ର ଜଣଙ୍କ ପ୍ରଦ୍ୟୁମ୍ନଙ୍କୁ ହତ୍ୟା କରିଥିଲା। ଏହା ପୂର୍ବରୁ ଏହି ମାମଲାରେ ବସ୍ କଣ୍ଡକ୍ଟରଙ୍କୁ ଗିରଫ କରାଯାଇଥିଲା।”
ସେ ଆହୁରି କହିଛନ୍ତି,“ସମସ୍ତ ସାଇଣ୍ଟିଫିକ୍ ପ୍ରମାଣ ଅଧ୍ୟୟନ କରିବା ପରେ ଉକ୍ତ ଛାତ୍ରଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତ ଛାତ୍ରଙ୍କୁ ଆଇପିସି ଧାରା ୩୦୨( ହତ୍ୟା) ଏବଂ ୨୫ ଆର୍ମ୍ସ ଆକ୍ଟ ଅନୁସାରେ ଗିରଫ କରାଯାଇଛି। ତାଙ୍କୁ ୪ରୁ ୫ଥର ପଚରାଉଚରା କରାଯାଇଛି। ସିବିଆଇ ଅଭିଯୁକ୍ତ ଛାତ୍ରଙ୍କୁ ଜୁଭେନାଇଲ କୋର୍ଟ ହଜାର କରିବା ପରେ ପଚରାଉଚରା କରିବା ପାଇଁ ରିମାଣ୍ଡ ଆବେଦନ କରିବ।”
ସିବିଆଇର ମୁଖପାତ୍ର କହିଛନ୍ତି,“ଅଭିଯୁକ୍ତ ଛାତ୍ରର ମାନସିକ ସ୍ଥିତି ଠିକ୍ ନାହିଁ। ତାଙ୍କର ଏକ ବର୍ଷେ ହେବ ଚିକିତ୍ସା ଚାଲିଛି। ଅଭିଯୁକ୍ତ ଛାତ୍ର ଛୁରି ନେଇ ସ୍କୁଲ ଆସିଥିଲା। ପ୍ରଦ୍ୟୁମ୍ନ ହତ୍ୟାକାଣ୍ଡର କିଛି ଦିନ ପୁର୍ବରୁ ସ୍କୁଲ ବନ୍ଦ ରହିବ ବୋଲି ସେ ଛାତ୍ରମାନଙ୍କୁ କହୁଥିବା ଶୁଣିବାକୁ ମିଳିଥିଲା।”
ପ୍ରଦ୍ୟୁମ୍ନ’ଙ୍କୁ ଯୌନ ଶୋଷଣ ଦିଆଯାଇଥିବା କଥାକୁ ସିବିଆଇ ଖଣ୍ଡନ କରିଛି।
ପ୍ରଦ୍ୟୁମ୍ନଙ୍କ ବାପା ବରୁଣ ଠାକୁର କହିଛନ୍ତି,“ମୋ ସନ୍ଦେହ ଠିକ୍ ହେଲା। ପ୍ରଦ୍ୟୁମ୍ନ ହତ୍ୟାକାଣ୍ଡର ଅଭିଯୁକ୍ତ କଣ୍ଡକ୍ଟର ନୁହେଁ ଅନ୍ୟ କେହିଥିବା ମୋ ର ସନ୍ଦେହ ହେଉଥିଲା।”