ଚେନ୍ନାଇ: ନିକଟରେ ମୋଦି ସରକାରଙ୍କ କ୍ୟାବିନେଟ୍ ଜାତୀୟ ଜନସଂଖ୍ୟା ପଞ୍ଜିକରଣ (ଏନପିଆର)କୁ ଅନୁମୋଦନ ଦେଇଛି। ଯଦିଓ ଏନପିଆର ଆଇନରେ ପରିଣତ ହୋଇନି ତଥାପି ପଶ୍ଚିମବଙ୍ଗ ଏବଂ କେରଳ ସରକାର ଏହି ଏନପିଆରକୁ ନିଜ ନିଜ ରାଜ୍ୟରେ ଲାଗୁ କରିବେ ନାହିଁ ବୋଲି କହି ଦେଇଛନ୍ତି। ଏବେ ଆଉ ୧୦ଟି ରାଜ୍ୟ ଯଦି ଏନପିଆରକୁ ବିରୋଧ କରିବେ ତା’ହେଲେ ସରକାରଙ୍କ ଏହି ଏନପିଆର ସବୁଦିନ ପାଇଁ ସମାଧି ନେବ ବୋଲି ମାର୍କସବାସୀ କମ୍ୟୁନିଷ୍ଟ ପାର୍ଟି (ସିପିଏମ) ନେତା ପ୍ରକାଶ କରାତ କହିଛନ୍ତି।
ନାଗରିକତା ଆଇନରେ ହୋଇଥିବା ସଂଶୋଧନକୁ ବିରୋଧ କରିବାକୁ ଯାଇ ଏକ ସେମିନାରରେ ପ୍ରକାଶ କରାତ କହିଛନ୍ତି, ନରେନ୍ଦ୍ର ମୋଦି ସରକାର ସମ୍ୱିଧାନ ଉପରେ ପ୍ରହାର କରୁଛନ୍ତି। ପ୍ରଥମେ ନାଗରିକତା ସଂଶୋଧନ ଆଇନ (ସିଏଏ) ଆଣିବା ପରେ ଦ୍ୱିତୀୟରେ ଜାତୀୟ ଜନସଂଖ୍ୟା ପଞ୍ଜିକରଣ (ଏନପିଆର) ଏବଂ ତୃତୀୟରେ ଜାତୀୟ ନାଗରିକତା ପଞ୍ଜିକରଣ (ଏନଆରସି) ଆଇନ ଆଣିବାକୁ ଯାଉଛନ୍ତି। ଏହି ଆଇନ୍ ସବୁ ସମ୍ୱିଧାନ ବିରୋଧୀ। ଏହି ତିନୋଟି ଯାକ ଆଇନ ପରସ୍ପର ସହିତ ସଂପର୍କ ରହିଛି। ନାଗରିକତା ଆଇନକୁ ସାରା ଦେଶରେ ବିରୋଧ ପରେ ବିଜେପି ସରକାର ଏବେ ଭୟଭୀତ ହୋଇଯାଇଛି। ଆଗାମୀ ଦିନରେ ଏନଆରସି ଲାଗୁ କରିବା ବେଳେ ଅନେକ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ଏବେ ସାବଧାନତା ଅବଲମ୍ୱନ କରିଛି ଶାସକ ଦଳ। ତେଣୁ ଏବେ ଏନପିଆର ଓ ଏନଆରସି ସହ ଲିଙ୍କ୍ ନାହିଁ ବୋଲି ସରକାର କହୁଛନ୍ତି ବୋଲି ସେ କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।