ଜେଡିୟୁରୁ ବିଦା ହେଲେ ‘ଷ୍ଟ୍ରାଟେଜୀଷ୍ଟ’ ପ୍ରଶାନ୍ତ କିଶୋର

ପାଟନା: ନୀତୀଶ କୁମାରଙ୍କ ଜେଡିୟୁ ଦଳର ଉପସଭାପତି ତଥା ପ୍ରସିଦ୍ଧ ‘ଷ୍ଟ୍ରାଟେଜୀଷ୍ଟ’ ପ୍ରଶାନ୍ତ କିଶୋର ଏବଂ ବିଦ୍ରୋହୀ ପୱନ ବର୍ମାଙ୍କୁ ଦଳରୁ ବହିଷ୍କାର କରିଛି। ଗତ କିଛି ଦିନ ହେଲା ଦଳର ଶୀର୍ଷ ସ୍ତରର ନେତାଙ୍କ ମଧ୍ୟରେ ତୁ ତୁ ମେଁ ମେଁ ଲାଗିରହିବା ପରେ ଏଭଳି ପଦକ୍ଷେପ ନିଆଯାଇଛି। ଜେଡିୟୁ ପକ୍ଷରୁ ଏକ ବିବୃତି ଜାରି କରି କୁହାଯାଇଛି, “ପ୍ରଶାନ୍ତ କିଶୋରଙ୍କୁ ଦିଆଯାଇଥିବା ପଦବୀର ସେ ଅପବ୍ୟବହାର କରୁଥିଲେ। ସେ ନିଜ ସ୍ୱାର୍ଥ ପାଇଁ ଏହାର […]

prashant

Subrat Kumar Nayak
  • Published: Wednesday, 29 January 2020
  • , Updated: 29 January 2020, 04:41 PM IST

ପାଟନା: ନୀତୀଶ କୁମାରଙ୍କ ଜେଡିୟୁ ଦଳର ଉପସଭାପତି ତଥା ପ୍ରସିଦ୍ଧ ‘ଷ୍ଟ୍ରାଟେଜୀଷ୍ଟ’ ପ୍ରଶାନ୍ତ କିଶୋର ଏବଂ ବିଦ୍ରୋହୀ ପୱନ ବର୍ମାଙ୍କୁ ଦଳରୁ ବହିଷ୍କାର କରିଛି। ଗତ କିଛି ଦିନ ହେଲା ଦଳର ଶୀର୍ଷ ସ୍ତରର ନେତାଙ୍କ ମଧ୍ୟରେ ତୁ ତୁ ମେଁ ମେଁ ଲାଗିରହିବା ପରେ ଏଭଳି ପଦକ୍ଷେପ ନିଆଯାଇଛି।

ଜେଡିୟୁ ପକ୍ଷରୁ ଏକ ବିବୃତି ଜାରି କରି କୁହାଯାଇଛି, “ପ୍ରଶାନ୍ତ କିଶୋରଙ୍କୁ ଦିଆଯାଇଥିବା ପଦବୀର ସେ ଅପବ୍ୟବହାର କରୁଥିଲେ। ସେ ନିଜ ସ୍ୱାର୍ଥ ପାଇଁ ଏହାର ବ୍ୟବହାର କରୁଥିଲେ। ଯଦିଓ ତାଙ୍କୁ ନିଜ ଇଛାରେ ଦଳ ଛାଡ଼ିବାକୁ କୁହାଯାଇଥିଲା, ସେ ତାହା ନକରି ଦଳର ଅଧ୍ୟକ୍ଷଙ୍କ ବାବଦରେ ଆପତ୍ତିଜନକ ଶବ୍ଦ ବ୍ୟବହାର କରୁଥିଲେ। ସେ ଆଉ କିଛି ଖରାପ ଶବ୍ଦ ବ୍ୟବହାର କରିବା ଆଗରୁ ସେ ଦଳରୁ ଯିବା ଗୁରୁତ୍ୱପୂର୍ଣ୍ଣ।”

ପୱନଙ୍କ ବାବଦରେ କୁହାଯାଇଥିଲେ, “ସେ ତାଙ୍କୁ ମିଳିଥିବା ସମ୍ମାନକୁ ହେୟଜ୍ଞାନ କରିଆସୁଥିଲେ। ସେ ଦୁର ମୁଖ୍ୟ ନୀତୀଶ କୁମାରଙ୍କୁ ଲେଖିଥିବା ଗୋପନ ଚିଠି ସର୍ବସାଧାରଣରେ ପ୍ରକାଶ କରି ଦଳ ପ୍ରତି ଅସମ୍ମାନ କରିଛନ୍ତି।”

ଏଥିରେ ଆହୁରି ମଧ୍ୟ ଲେଖା ଅଛି, “ପ୍ରଶାନ୍ତ କିଶୋର ଏବଂ ପୱନ ବର୍ମାଙ୍କ ବ୍ୟବହାରରୁ ଜଣାପଡ଼ୁଛି ଦଳର ନିୟମ ପ୍ରତି ସେମାନଙ୍କର ଆଦୌ ସମ୍ମାନ ନାହିଁ। ତେଣୁ ସେମାନଙ୍କୁ ପ୍ରାଥମିକ ସଦସ୍ୟତା ଏବଂ ପଦବୀରୁ ଦାୟିତ୍ୱମୁକ୍ତ କରାଗଲା।”

ସୂଚନାଯୋଗ୍ୟ ଯେ, ନିଜେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଜେଡିୟୁ ମୁଖ୍ୟ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଦୁଇ ଦୁଇ ଥର ଫୋନ୍‌ କରି ପ୍ରଶାନ୍ତ କିଶୋରଙ୍କୁ ତାଙ୍କ ଡେପୁଟୀ ନିଯୁକ୍ତି ଦେବାକୁ ସୁପାରିଶ କରିଥିଲେ ବୋଲି କୁହାଯାଏ। ଏକଥାକୁ ସ୍ୱୀକାର କରି ଥରେ ନୀତୀଶ କହିଥିଲେ, “ପ୍ରଥମ ଥର ପାଇଁ, ମୁଁ ସର୍ବସାଧାରଣରେ ପ୍ରକାଶ କରିବାକୁ ଚାହୁଁଛି ପ୍ରଶାନ୍ତ କିଶୋରଙ୍କୁ ଦଳୀୟ ପଦବୀ ଦେବା ସମ୍ପୂର୍ଣ୍ଣ ଭାବରେ ମୋ ନିଷ୍ପତ୍ତି ନଥିଲା। ପ୍ରଶାନ୍ତଙ୍କୁ ଦଳୀୟ ପଦବୀ ଦେବାପାଇଁ ମୁଁ ଅମିତ ଶାହଙ୍କଠାରୁ ଦୁଇ ଦୁଇ ଥର କଲ୍‌ ପାଇଥିଲି।”

କେବଳ ଯେ ଶାହ କହିଲେ ବୋଲି ତାହା ନୁହେଁ, ନୀତୀଶ ମଧ୍ୟ କୂଟନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କୁ ବେଶ୍‌ ପସନ୍ଦ କରନ୍ତି ବୋଲି କହିଥିଲେ। ନୀତୀଶ କହିଥିଲେ, ପ୍ରଶାନ୍ତ କିଶୋରଙ୍କୁ ଯୁବ ପ୍ରତିଭାଙ୍କୁ ବିଭିନ୍ନ ସାମାଜିକ ବର୍ଗରୁ ରାଜନୀତି ଆଡ଼କୁ ଆକର୍ଷିତ କରିବାପାଇଁ ଦାୟିତ୍ୱ ଦିଆଯାଇଛି। ରାଜନୀତିକ ପରିବାରରେ ଜନ୍ମନେଇନଥିବା ଯୁବବର୍ଗଙ୍କ ପାଖରେ ବହୁଦିନ ଧରି ରାଜନୀତି ପହଞ୍ଚିପାରୁନଥିବାରୁ, ସେ ଏହି ଦିଗରେ ପ୍ରୟାସ କରୁଛନ୍ତି। ପ୍ରଶାନ୍ତ କିଶୋରଙ୍କୁ ୨୦୧୪ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଜୟ, ୨୦୧୫ ମସିହାରେ ବିହାର ବିଧାନସଭାରେ ନୀତୀଶ କୁମାରଙ୍କ ବିଜୟ ପଛର ପ୍ରଚ୍ଛଦପଟ ନାୟକ କୁହାଯାଏ। ଏହି ସମୟକୁ ମନେ ପକାଇ ନୀତୀଶ କୁହନ୍ତି, ଆମ ପାଇଁ ସେ ନୂଆ ନୁହେଁ। ସେ ୨୦୧୫ ବିଧାନସଭା ନିର୍ବାଚନ ସମୟରେ ଆମ ସହିତ ବେଶ୍‌ କିଛି ଦିନ କାମ କରିଛନ୍ତି।

ତେବେ ଗତ କିଛି ଦିନ ହେଲା ବିରୋଧୀଙ୍କ ଶିବିରରେ ପ୍ରଶାନ୍ତ କିଶୋର ବେଶ ଆତଯାତ ହେବାକୁ ଆରମ୍ଭ କରିଥିଲେ। ତାହା କେବଳ ଷ୍ଟ୍ରାଟେଜୀ ସମ୍ବନ୍ଧୀୟ କାରବାରରେ ସୀମିତ ନରହି ବ୍ୟକ୍ତିଗତ ମତ ପାର୍ଥକ୍ୟ ଆଡ଼କୁ ଚାଲଆସିଥିଲା। ଏପରିକି ସେ ମୋଦି ସରକାର ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାବଦରେ କଡ଼ା ସମାଲୋଚନା କରୁଥିଲେ। ଏହା ନୀତୀଶଙ୍କ ପାଇଁ ଗ୍ରହଣୀୟ ହୋଇପାରିନାହିଁ।

Related story