ନୂଆଦିଲ୍ଲୀ: କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଜମ୍ମୁକଶ୍ମୀରରେ ରାଷ୍ଟ୍ରପତି ଶାସନର ଅବଧି ବୃଦ୍ଧି ପାଇଁ ସୋମବାର ଆଗତ କରିଥିବା ବିଲ ରାଜ୍ୟସଭାରେ ପାରିତ ହୋଇଛି। ଏଥିସହିତ ଆସନ୍ତା ୩ ତାରିଖଠାରୁ ଲାଗୁ ହେଲେ ରାଷ୍ଟ୍ରପତି ଶାସନ ଅବଧିରେ ଆଉ ୬ ମାସ ବୃଦ୍ଧି ହେବ। ପୂର୍ବରୁ ଲୋକସଭାରେ ମଧ୍ୟ ଏହି ବିଲ୍ ପାରିତ ହୋଇଥିଲା। ଅନ୍ୟପକ୍ଷରେ ଜମ୍ମୁକଶ୍ମୀର ଆରକ୍ଷଣ (ଆମେଣ୍ଡମେଣ୍ଟ) ବିଲ୍ ମଧ୍ୟ ପାରିତ ହୋଇଯାଇଛି। ଏହି ବିଲ୍ରେ ରହିଥିବା ବ୍ୟବସ୍ଥା ଅନୁଯାୟୀ କଶ୍ମୀରର ଏଲଓସି ଭଳି ଜମ୍ମୁ ପଟକୁ ଥିବା ଅନ୍ତର୍ଜାତୀୟ ସୀମାର ୧୦ କିଲୋମିଟର ପରିଧି ମଧ୍ୟରେ ଶିକ୍ଷାନୁଷ୍ଠାନ ଓ ସରକାରୀ ନିଯୁକ୍ତି କ୍ଷେତ୍ରରେ ସ୍ଥାନୀୟ ଲୋକଙ୍କ ପାଇଁ ଆରକ୍ଷଣ ଲାଗୁ ହେବ।
ଆଜି ଏହି ବିଲ୍ ଆଗତ କରିଥିବା ସ୍ୱରାଷ୍ଟ୍ରମନ୍ତ୍ରୀ ଶାହ ନେହରୁଙ୍କୁ ପ୍ରସଙ୍ଗ କରି କଂଗ୍ରେସକୁ ଟାର୍ଗେଟ୍ କରିଥିଲେ। କଶ୍ମୀର ବିବାଦ ପାଇଁ ନେହରୁଙ୍କୁ ଦାୟୀ କରି ସେ କହିଥିଲେ, ଭାରତ ସହିତ କଶ୍ମୀର ମହାରାଜାଙ୍କ ଚୁକ୍ତି ପରେ କଶ୍ମୀର ଭାରତର ଆଭ୍ୟନ୍ତରୀଣ ଅଙ୍ଗ ପାଲଟିଥିଲା। ଏହା ପରେ ଜାତିସଂଘ ଯିବା କ’ଣ ଦରକାର ଥିଲା? ଏହା କ’ଣ ଭୁଲ ନଥିଲା? ଆମେ ଯଦି ଅତୀତରୁ ଶିଖିବାନି ଏବଂ ନିଜ ଭୁଲ ଗ୍ରହଣ କରିବାନି, ତା'ହେଲେ ପର ପିଢ଼ି ମଧ୍ୟ ସମାନ ଭୁଲ କରିବ।
ଏନ୍ଡିଏ ବାହାରୁ ବିଭିନ୍ନ ଦଳ ମଧ୍ୟ ରାଜ୍ୟସଭାରେ ଉଭୟ ବିଲ୍କୁ ସମର୍ଥନ ଦେଇଥିଲେ। ବିଜୁ ଜନତା ଦଳ ଉଭୟ ବିଲ୍କୁ ସମର୍ଥନ ଜଣାଇଥିଲା। ସେହିଭଳି ତୃଣମୂଳର ସାଂସଦ ଡେରେକ୍ ଓ’ବ୍ରାଏନ କହିଥିଲେ, ତାଙ୍କ ଦଳ ରାଷ୍ଟ୍ରପତି ଶାସନ ଅବଧି ବୃଦ୍ଧିକୁ ସମର୍ଥନ କରୁଛି। ଅନ୍ୟପକ୍ଷରେ ସେ ଏହି ରାଜ୍ୟରେ ଯଦି ଲୋକସଭା ନିର୍ବାଚନ ହୋଇପାରିଲା, ତାହାଲେ ବିଧାନସଭା ନିର୍ବାଚନରେ ଅସୁବିଧା କେଉଁଠି ରହିଛି ବୋଲି ପ୍ରଶ୍ନ କରିଥିଲେ। ଅନ୍ୟ ଦଳମାନଙ୍କ ମଧ୍ୟରେ ସମାଜବାଦୀ ପାର୍ଟି ମଧ୍ୟ ଏହି ବିଲ୍କୁ ସମର୍ଥନ ଦେଇଥିଲା।
ମୋଦି ସରକାର ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କ ନାମରେ ଅପପ୍ରଚାର କରୁଥିବା ଅଭିଯୋଗ ସମ୍ପର୍କରେ ସେ କହିଥିଲେ, ଗୁଲାମ ନବୀ ଆଜାଦ ଏବଂ ମନୋଜ ଝା’ କହିଛନ୍ତି ଆମେ କୁଆଡ଼େ ନେହରୁଙ୍କ ବିଷୟରେ ଅପପ୍ରଚାର କରୁଛୁ। ଏହା ଭୁଲ କଥା। ଆମର ସେମିତି ଉଦ୍ଦେଶ୍ୟ ଆଦୌ ନାହିଁ। କିନ୍ତୁ ଯେଉଁ ରାଷ୍ଟ୍ର ଇତିହାସରେ ଘଟିଥିବା ଭୁଲରୁ ଶିଖେନି, ତା’ର ଭବିଷ୍ୟତ କେବେ ହେଲେ ଉଜ୍ଜ୍ୱଳ ହୋଇପାରିବ ନାହିଁ।
ଶ୍ରୀ ଶାହ ଆହୁରି ମଧ୍ୟ କହିଛନ୍ତି, ଆମେ କଶ୍ମିରୀଙ୍କ ସଂସ୍କୃତିର ସଂରକ୍ଷଣ ପାଇଁ କାମ କରିବୁ। ଦିନ ଆସିବ କଶ୍ମିରୀ ପଣ୍ଡିତ ମାତା ଖୀର ଭବାନୀ ମନ୍ଦିରରେ ପୂଜା କରୁଥିବେ ଏବଂ ସେମାନଙ୍କ ସହ ସୁଫି ଅନୁଗାମୀ ମଧ୍ୟ ଥିବେ। ଆମେ ନୈରାଶ୍ୟବାଦ ନୁହେଁ ମାନବବାଦର କଥା କହୁଛୁ।