‘ଦେଶର ମତ୍ସ୍ୟ ଉଦ୍ୟୋଗରେ ସବୁଠୁ ବଡ଼ କାର୍ଯ୍ୟକ୍ରମ ଆରମ୍ଭ’

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପିଏମ୍‌ ମତ୍ସ୍ୟ ସଂପଦ ଯୋଜନା, ଇ-ଗୋପାଳ ଆପ୍‌ ଏବଂ ବିହାରରେ ମତ୍ସ୍ୟ ଓ ପଶୁସଂପଦ ସଂକ୍ରାନ୍ତ ବିଭିନ୍ନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଏକ ଭିଡିଓ କନଫରେନ୍ସିଂ ଜରିଆରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି।

ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏସବୁ ଯୋଜନାର ଲକ୍ଷ୍ୟ ହେଲା ଆମ ଗାଁଗୁଡିକୁ ସଶକ୍ତ କରିବା ଏବଂ ଭାରତକୁ ଏକବିଂଶ ଶତାବ୍ଦୀରେ ଆତ୍ମନିର୍ଭରଶୀଳ କରାଇବା ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ମତ୍ସ୍ୟ ସଂପଦ ଯୋଜନା ମଧ୍ୟ ଏହି ଲକ୍ଷ୍ୟରେ କାର୍ଯ୍ୟକାରୀ ହେଉଛି । ଦେଶର 21ଟି ରାଜ୍ୟରେ 20 ହଜାର କୋଟି ଟଙ୍କା ବିନିଯୋଗରେ ଏହା କାର୍ଯ୍ୟକାରୀ କରାଯିବ । ଆସନ୍ତା 4ରୁ 5ବର୍ଷ ମଧ୍ୟରେ ଏସବୁ ଅର୍ଥ ଏହି ଯୋଜନାରେ ଖର୍ଚ୍ଚ କରାଯିବ । ସେଥିମଧ୍ୟରୁ ଆଜି ଆରମ୍ଭ ହୋଇଥିବା କାର୍ଯ୍ୟକ୍ରମରେ 1700 କୋଟି ଟଙ୍କା ଖର୍ଚ୍ଚ ହେବ । ଏହି ଯୋଜନାରେ ଆଜି ବିହାରର ପାଟନା, ପୂର୍ଣ୍ଣିଆ, ସୀତାମାଢି, ମାଧେପୁରା, କିଷାନଗଞ୍ଜ ଓ ସମସ୍ତିପୁରରେ ବିଭିନ୍ନ ପ୍ରକଳ୍ପମାନ ଉଦ୍‌ଘାଟିତ ହୋଇଛି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହି ଯୋଜନାରେ ନୂଆ ଭିତ୍ତିଭୂମି, ଆଧୁନିକ ଉପକରଣ ଏବଂ ନୂଆ ବଜାର ସୁବିଧା ମତ୍ସ୍ୟ ଉତ୍ପାଦକଙ୍କୁ ଯୋଗାଇ ଦିଆଯିବ । ଏହାଛଡା ମାଛଚାଷ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଅଧିକରୁ ଅଧିକ ସୁବିଧା ଯୋଗାଇ ଦେବାକୁ ସରକାର ଲକ୍ଷ୍ୟ ରଖିଛନ୍ତି । ସେ କହିଛନ୍ତି ଯେ ସ୍ୱାଧୀନତା ପରେ ପ୍ରଥମଥର ପାଇଁ ଦେଶର ମତ୍ସ୍ୟ ଉଦ୍ୟୋଗରେ ଏଭଳି ବଡ଼ଧରଣର ଯୋଜନା ଆରମ୍ଭ ହୋଇଛି । ଏହି ଉଦ୍ୟୋଗର ଗୁରୁତ୍ୱକୁ ବିଚାରକୁ ନେଇ ସ୍ୱତନ୍ତ୍ରଭାବେ ଏକ ମତ୍ସ୍ୟ ମନ୍ତ୍ରଣାଳୟ ଭାରତ ସରକାର ସୃଷ୍ଟି କରିଛନ୍ତି । ଏହାଦ୍ୱାରା ଆମ ମତ୍ସ୍ୟଜୀବି ଏବଂ ମତ୍ସ୍ୟ ଉଦ୍ୟୋଗ ସହ ସଂପୃକ୍ତ ପକ୍ଷ ଉପକୃତ ହୋଇପାରିବେ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆସନ୍ତା 3-4 ବର୍ଷ ମଧ୍ୟରେ ଦେଶର ମତ୍ସ୍ୟ ରପ୍ତାନୀ ପରିମାଣ ଦ୍ୱିଗୁଣିତ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହାଫଳରେ କେବଳ ମତ୍ସ୍ୟ ଉଦ୍ୟୋଗରେ ଲକ୍ଷ ଲକ୍ଷ ନିଯୁକ୍ତି ସୃଷ୍ଟି ହେବ । ଏହି ଉଦ୍ୟୋଗ  ସଂପର୍କରେ ମୋର ବନ୍ଧୁମାନଙ୍କ ସହ ଆଜି କଥାବାର୍ତ୍ତା କଲାବେଳେ ଏହାର ଦକ୍ଷତା ଓ ସମ୍ଭାବନା ଘେନି ମୋର ବିଶ୍ୱାସ ଆହୁରି ବୃଦ୍ଧି ପାଇଛି । ସେ କହିଛନ୍ତି ଯେ ସ୍ୱଚ୍ଛ ଜଳ ଉପରେ ମାଛଚାଷ ବିଶେଷ ନିର୍ଭର କରେ । ଗଙ୍ଗା ସଫେଇ ଅଭିଯାନ ଏହି କ୍ଷେତ୍ରକୁ ସହାୟକ ହେବ । ସେ କହିଛନ୍ତି ଯେ ଗଙ୍ଗା ନଦୀର ଆଖପାଖରେ ନୌ-ପରିବହନ ପାଇଁ ଯେଉଁ କାର୍ଯ୍ୟ ଚାଲିଛି ତାହା ମଧ୍ୟ ମତ୍ସ୍ୟ ଉଦ୍ୟୋଗକୁ ସହାୟତା ଯୋଗାଇ ଦେବ । ଗତ ଅଗଷ୍ଟ 15ରେ ମିଶନ ଡଲ୍‌ଫିନ ଘୋଷଣା କରାଯାଇଥିଲା । ମତ୍ସ୍ୟ ଉଦ୍ୟୋଗ ଉପରେ ଏହା ମଧ୍ୟ ଅନୁକୂଳ ପ୍ରଭାବ ପଡିବ ।

ପ୍ରତ୍ୟେକ ଘରକୁ ନିରାପଦ ପାନୀୟ ଜଳଯୋଗାଣ କ୍ଷେତ୍ରରେ ବିହାର ସରକାରଙ୍କ କାର୍ଯ୍ୟକୁ ପ୍ରଧାନମନ୍ତ୍ରୀ ଏହି ଅବସରରେ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଯେ ମାତ୍ର 4ରୁ 5ବର୍ଷ ତଳେ ବିହାରରେ ମାତ୍ର 2 ଶତାଂଶ ଘରକୁ ପାଇପ ଜଳଯୋଗାଣ ବ୍ୟବସ୍ଥା ଥିଲା । ଖୁବ୍‌ କମ୍‌ ଦିନରେ ଏବେ 70 ଶତାଂଶରୁ ଅଧିକରେ ପହଞ୍ଚିଛି । ଏମାନେ ସ୍ୱଚ୍ଛ ପେୟ ଜଳ ନିଜ ଘରେ ପାଇବାର ସୁବିଧା ଲାଭ କରିଛନ୍ତି । ବିହାର ସରକାରଙ୍କ ଏହି ଉଦ୍ୟମକୁ କେନ୍ଦ୍ର ସରକାରଙ୍କ ଜଳ ଜୀବନ ମିଶନ ଏବେ ଅଧିକ ସହାୟତା ଯୋଗାଇଛି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କରୋନା ମହାମାରୀ ସମୟରେ ମଧ୍ୟ ବିହାରର 60 ଲକ୍ଷ ପରିବାରକୁ ପାଇପ ଜଳ ଯୋଗାଣ ସୁବିଧା ଯୋଗାଇ ଦିଆଯାଇଛି । ଏହା ଏକ ବଡ଼ ଉପଲବ୍ଧି । ସଂକଟ ସମୟରେ ଆମ ଦେଶର ଗାଁମାନଙ୍କରେ କାମ କିପରି ହେଉଛି ଏହା ତାହାର ଏକ ଉଦାହରଣ । ଦେଶର ପ୍ରାୟ ସବୁ କ୍ଷେତ୍ର ବନ୍ଦ ଥିବାବେଳେ ଗାଁଗହଳିରେ ଏହା ସମ୍ଭବ ହୋଇପାରିଛି । ଏହା ଆମ ଗାଁଗୁଡିକର ଶକ୍ତି । କରୋନା ମହାମାରୀ ସତ୍ତ୍ୱେ ଖାଦଶସ୍ୟ, ଫଳ, ପନିପରିବା ଏବଂ ଦୁଗ୍ଧ ଆଦି ନିରନ୍ତର ମଣ୍ଡି ଓ ଡେରିକୁ ଆସୁଥିଲା ଏବଂ ଏଥିରେ କୌଣସି ଅଭାବ ପରିଲକ୍ଷିତ ହୋଇନାହିଁ । ଏହା ହିଁ ଆମ ଗାଁଗୁଡିକର ବିଶେଷତ୍ୱ ।

କେବଳ ଏତିକି ନୁହେଁ, ଦୁଗ୍ଧ ଉଦ୍ୟୋଗ ମଧ୍ୟ କରୋନା ମହାମାରୀ ଭଳି ଦୁଃସମୟରେ ରେକର୍ଡ ପରିମାଣର କ୍ଷୀର ଗୋପାଳଙ୍କଠାରୁ କିଣିଛି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପିଏମ୍‌ କିଷାନ ସମ୍ମାନ ନିଧି ମଧ୍ୟ ସିଧାସଳଖ 10 କୋଟିରୁ ଅଧିକ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବାରେ ସହାୟକ ହୋଇଛି । ସେଥିମଧ୍ୟରୁ ବିହାରର 75 ଲକ୍ଷ କୃଷକ ଉପକୃତ ହୋଇଛନ୍ତି । କରୋନା ମହାମାରୀ ସହିତ ବନ୍ୟା ବିତ୍ପାତକୁ ମଧ୍ୟ ବିହାର ସାହସର ସହିତ ମୁକାବିଲା କରିଛି । ଏଥିପାଇଁ ବିହାରବାସୀ ପ୍ରଶଂସାର ପାତ୍ର । ବନ୍ୟା ବିପନ୍ନଙ୍କୁ ଶୀଘ୍ର ରିଲିଫ ଯୋଗାଇବା ସହ ସାହାଯ୍ୟ ଓ ଉଦ୍ଧାର କାର୍ଯ୍ୟ ଶେଷ କରିବାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ଉଦ୍ୟମ ଚଳାଇଛନ୍ତି । ମାଗଣା ରାସନ କାର୍ଡ ଓ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ରୋଜଗାର ଅଭିଯାନ ଯୋଜନା ସଂପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବିହାରର ପ୍ରତ୍ୟେକ ଅଭାବୀ ପରିବାର ପାଖରେ ସହାୟତା ପହଞ୍ଚାଇବାକୁ ସରକାର ନିଶ୍ଚିତ କରିଛନ୍ତି । ଏହାଛଡା ବିଦେଶରୁ ଫେରି ଆସିଥିବା ପ୍ରବାସୀ ଶ୍ରମିକମାନଙ୍କୁ ଘରପାଖରେ କାମଧନ୍ଦା ଯୋଗାଇ ଦେବାକୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି । ପରିସ୍ଥିତିକୁ ଦେଖି ଜୁନ୍‌ରେ ଆରମ୍ଭ ହୋଇଥିବା ଏହି ମାଗଣା ରାସନ ଯୋଗାଣ କାର୍ଯ୍ୟକ୍ରମକୁ ଛଟ୍‌ପୂଜା ଓ ଦିପାବଳୀ ଶେଷ ପର୍ଯ୍ୟନ୍ତ ବଢାଇ ଦିଆଯାଇଛି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କରୋନା ଯୋଗୁଁ ଯେଉଁସବୁ ଶ୍ରମିକ ସହରରୁ ଗାଁକୁ ଫେରିଛନ୍ତି ସେମାନେ ଗୋପାଳନ ଏବଂ ତତ୍‌ସଂକ୍ରାନ୍ତ ଧନ୍ଦା ଆଡ଼େ ମୁହାଁଇଛନ୍ତି । ଏଥିପାଇଁ ବିଭିନ୍ନ କେନ୍ଦ୍ରୀୟ ଏବଂ ପ୍ରାଦେଶିକ ଯୋଜନା ସେମାନଙ୍କୁ ସହାୟକ ହୋଇଛି ।  ଦୁଗ୍ଧ ଉଦ୍ୟୋଗର ବିକାଶ ପାଇଁ ସରକାର ନିରନ୍ତର ଉଦ୍ୟମ କରୁଛନ୍ତି । ନୂଆ ନୂଆ ଦୁଗ୍ଧଜାତ ସାମଗ୍ରୀ ତିଆରି ଏବଂ ନବସୃଜନ ଫଳରେ ଉଭୟ ଚାଷୀ ଓ ପଶୁପାଳକ ଅଧିକରୁ ଅଧିକ ଆୟ କରୁଛନ୍ତି । ଏହା ସହିତ ପଶୁ ସଂପଦର ମାନବୃଦ୍ଧି ପାଇଁ ଉଦ୍ୟମ ଆରମ୍ଭ କରାଯାଇଛି । ଗୋମହିଷାଦିଙ୍କୁ ପରିଷ୍କାର ପରିଚ୍ଛନ୍ନ ରଖିବା ଏବଂ ସେମାନଙ୍କୁ ପୁଷ୍ଟିକର ଖାଦ୍ୟ ପ୍ରଦାନ କରିବା ସହ ସେମାନଙ୍କ ସ୍ୱାସ୍ଥ୍ୟ ଯତ୍ନ ନେବା ପାଇଁ ମଧ୍ୟ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି । 50 କୋଟିରୁ ଅଧିକ ଗୋମହିଷାଦିଙ୍କୁ ଫାଟୁଆ ରୋଗରୁ ରକ୍ଷା କରିବା ପାଇଁ ଆଜିଠାରୁ ମୁକ୍ତ ଟିକାଦାନ ଅଭିଯାନ ଆରମ୍ଭ ହୋଇଛି । ଗୋରୁଙ୍କୁ ମୁହଁ ଓ ଖୁରା ତଥା ବୃଶେଲସିସ (ଜ୍ୱର) ଭଳି ରୋଗରୁ ରକ୍ଷା କରିବା ପାଇଁ ଏହି ଅଭିଯାନ ସହାୟକ ହେବ । ଗୋସଂପଦ ପାଇଁ ଉତ୍ତମ ପଶୁଖାଦ୍ୟ ଉତ୍ପାଦନ କରିବାକୁ ନାନା ପ୍ରକାର କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଗୋକୁଳ ମିଶନ ଦେଶରେ କାର୍ଯ୍ୟକାରୀ ହେଉଛି । ଦେଶରେ ଉନ୍ନତ ପ୍ରଜାତିର ଦେଶୀ ଗାଈଙ୍କ ସଂଖ୍ୟ ବୃଦ୍ଧି ଏହାର ଲକ୍ଷ୍ୟ । ଏଥିପାଇଁ ବର୍ଷକ ପୂର୍ବେ ଏକ ଦେଶବ୍ୟାପୀ କୃତ୍ରିମ ପ୍ରଜନନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଆଜି ଏହାର ପ୍ରଥମ ପର୍ଯ୍ୟାୟ ଶେଷ ହୋଇଛି । ସେ କହିଛନ୍ତି ଯେ ଉନ୍ନତ ପ୍ରଜାତିର ଦେଶୀ ଗୋରୁ ସୃଷ୍ଟି କରିବାରେ ବିହାର ଏବେ ଦେଶର ଏକ ପ୍ରମୁଖ କେନ୍ଦ୍ର ପାଲଟିଛି । ଏହାଫଳରେ ବିହାର ଦୁଗ୍ଧ ଉଦ୍ୟୋଗରେ ପ୍ରମୁଖ ଭୂମିକା ଗ୍ରହଣ କରିବ । ରାଜ୍ୟର ପୂର୍ଣ୍ଣିଆ, ପାଟନା ଏବଂ ବାରାଉଣୀରେ ଜାତୀୟ ଗୋକୁଳ ମିଶନରେ ଆଜିଠାରୁ ପଶୁ ସଂପଦର ବିକାଶ ପାଇଁ ଆଧୁନିକ ବ୍ୟବସ୍ଥା କାର୍ଯ୍ୟକ୍ଷମ ହୋଇଛି । ପୂର୍ଣ୍ଣିଆରେ ନିର୍ମିତ କେନ୍ଦ୍ର ଦେଶର ଅନ୍ୟତମ ସର୍ବବୃହତ୍‌ । ଏହା କେବଳ ବିହାର ନୁହେଁ, ପୂର୍ବ ଭାରତର ଏକ ବଡ଼ ଅଞ୍ଚଳକୁ ସେବା ଯୋଗାଇ ଦେବ । ସେ ଆହୁରି କହିଛନ୍ତି ଯେ ବିହାରର ‘ବଚ୍ଛାଉର ଏବଂ ଲାଲପୂର୍ଣ୍ଣିଆ’ ଭଳି ଉନ୍ନତ ପ୍ରଜାତିର ଦେଶୀ ଦୁଧିଆଳି ଗାଈ ସଂଖ୍ୟା ବୃଦ୍ଧିରେ ଏହି କେନ୍ଦ୍ର ବିଶେଷ ସହାୟକ ହେବ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଗାଈ ସ୍ୱାଭାବିକଭାବେ ବର୍ଷକୁ ଗୋଟିଏ ବାଛୁରୀ ଜନ୍ମ ଦେଇଥାଏ । ଏବେ ଯେଉଁ ଆଇଭିଏଫ୍‌ ଟେକ୍ନୋଲଜି ପ୍ରୟୋଗ କରାଯାଉଛି ସେଥିରେ ଗୋଟିଏ ଗାଈ ବର୍ଷକ ମଧ୍ୟରେ ଏକାଧିକ ବାଛୁରୀ ଜନ୍ମ ଦେଇପାରିବ । ଏହି ଟେକ୍ନୋଲଜିକୁ ସବୁ ଗାଁରେ ପହଞ୍ଚାଇବା ଆମର ଲକ୍ଷ୍ୟ । ସେ କହିଛନ୍ତି ଯେ ଉନ୍ନତ ଜାତିଆ ପ୍ରଜାତିର ଗୋରୁ ଓ ମଇଁଷି ସହ ସେମାନଙ୍କ ଯତ୍ନ ଓ ପରିପାଳନ ନିମନ୍ତେ ବିଜ୍ଞାନଭିତ୍ତିକ ସୂଚନା ଲୋକଙ୍କୁ ପ୍ରଦାନ କରିବା ବିଶେଷ ଗୁରୁତ୍ୱପୂର୍ଣ୍ଣ । ଆଜି ଉଦ୍‌ଘାଟିତ ହୋଇଥିବା ଇ-ଗୋପାଳ ଆପ୍‌ ଡିଜିଟାଲ ମାଧ୍ୟମରେ ସେ ଦାୟିତ୍ୱ ନିର୍ବାହ କରିବ । ମଧ୍ୟସ୍ଥଙ୍କ ବିନା ସହାୟତାରେ ଚାଷୀମାନେ ଏହି ଆପ୍‌ ମାଧ୍ୟମରେ ଉତ୍ତମ ପ୍ରଜାତିର ଗୋସଂପଦ ବାଛିବା ସହ ତାହା କ୍ରୟ କରିପାରିବେ । ଏହି ଆପ୍‌ରୁ ଗୋରୁଙ୍କ ଯତ୍ନ, ସେମାନଙ୍କର ଉତ୍ପାଦକତା, ସ୍ୱାସ୍ଥ୍ୟ,ଖାଦ୍ୟ ଆଦି ସଂପର୍କରେ ସବୁ ତଥ୍ୟ ମିଳିପାରିବ । ଏହି କାର୍ଯ୍ୟଟି ସଂପୂର୍ଣ୍ଣ ହୋଇସାରିବା ପରେ ଏବେ ଇ-ଗୋପାଳ ଆପ୍‌ରେ  ପ୍ରାଣୀଙ୍କ ଆଧାର ନମ୍ବର ପଞ୍ଜୀକୃତ ହେବ । ଫଳରେ ପଞ୍ଜୀକୃତ ଯେକୌଣସି ଗୋରୁ କିମ୍ବା ମଇଁଷି ସଂପର୍କରେ ସବିଶେଷ ତଥ୍ୟ ସହଜରେ ଜାଣିହେବ । ଏହାଦ୍ୱାରା ପଶୁ ମାଲିକମାନେ ସହଜରେ ସେ ସବୁକୁ ଖର୍ଦ୍ଦି ବିକ୍ରି କରିପାରିବେ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଗ୍ରାମାଞ୍ଚଳରେ କୃଷି, ଗୋସଂପଦ ଓ ମତ୍ସ୍ୟଚାଷ ଆଦିର ବିକାଶ ପାଇଁ ବିଜ୍ଞାନଭିତ୍ତିକ ପ୍ରଣାଳୀ ଏବଂ ଆଧୁନିକ ଭିତ୍ତିଭୂମି ନିର୍ମାଣର ଆବଶ୍ୟକତା ରହିଛି । କୃଷି କ୍ଷେତ୍ରରେ ବିହାର ଶିକ୍ଷା ଓ ଗବେଷଣାର ଏକ ପ୍ରମୁଖ କେନ୍ଦ୍ର ପାଲଟିଛି ।  ସେ କହିଛନ୍ତି ଯେ ଖୁବ୍‌ କମ୍‌ ଲୋକଙ୍କୁ ଜଣାଥିବ ଯେ ଦିଲ୍ଲୀର ପୁସା ପ୍ରତିଷ୍ଠାନ ବିହାରର ସମସ୍ତିପୁର ନିକଟରେ ଏକ ଛୋଟ ସହର ପୁସା ନାମରେ ନାମିତ ହୋଇଛି । ଉପନିବେଶବାଦୀ ଶାସନ କାଳରେ ସମସ୍ତିପୁରର ପୁସାଠାରେ ଏକ ଜାତୀୟ କୃଷି ଗବେଷଣା କେନ୍ଦ୍ର ପ୍ରତିଷ୍ଠା ହୋଇଥିଲା । ସ୍ୱାଧୀନତା ପରେ ଏହି ପରମ୍ପରାକୁ ଆଗକୁ ନେବାରେ ଦୂରଦୃଷ୍ଟି ସଂପନ୍ନ ନେତା ଡ. ରାଜେନ୍ଦ୍ର ପ୍ରସାଦ ଓ ଜନନାୟକ କର୍ପୁରୀ ଠାକୁର ଅଗ୍ରଣୀ ଭୂମିକା ଗ୍ରହଣ କରିଥିବାରୁ ସେମାନଙ୍କୁ ସେ ପ୍ରଶଂସା କରିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ 2016ରେ ଡ. ରାଜେନ୍ଦ୍ର ପ୍ରସାଦ କୃଷି ବିଶ୍ୱବିଦ୍ୟାଳୟକୁ ଏକ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ପରିଣତ କରାଯାଇଛି । ଏହା ପରେ ଏହି ବିଶ୍ୱବିଦ୍ୟାଳୟ ଓ ଏହା ସହିତ ଅନୁବନ୍ଧିତ କଲେଜଗୁଡିକରେ ପାଠ୍ୟକ୍ରମ ସଂପ୍ରସାରିତ ହୋଇଛି ।  ଏହା ସହିତ ଆଉ ଏକ ପ୍ରସ୍ତ ଯୋଡା ଯାଇଛି । କୃଷି ବ୍ୟବସାୟ ଏବଂ ଗ୍ରାମ୍ୟ ପରିଚାଳନା ପ୍ରତିଷ୍ଠାନ ପାଇଁ ଏକ ନୂଆ ଭବନ ଉଦ୍‌ଘାଟିତ ହୋଇଛି । ଏହାର ହଷ୍ଟେଲ, ଷ୍ଟାଡିୟମ, ଗେଷ୍ଟ ହାଉସ ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । କୃଷି କ୍ଷେତ୍ରର ଆଧୁନିକ ଆବ୍ୟଶକତାକୁ ବିଚାରକୁ ନେଇ ଦେଶରେ 3ଟି କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟ ସ୍ଥାପନ କରାଯାଇଛି । 5-6 ବର୍ଷ ପୂର୍ବରୁ ଏହି ସଂଖ୍ୟା ମାତ୍ର 1ରେ ସୀମିତ ଥିଲା । ବିହାରରେ ପ୍ରତିବର୍ଷ ବନ୍ୟା ଆସୁଥିବାରୁ ତା’ ଦାଉରୁ ଫସଲକୁ ରକ୍ଷା କରିବା ପାଇଁ  ମହାତ୍ମା ଗାନ୍ଧୀ ଗବେଷଣା କେନ୍ଦ୍ର ନାମରେ ପ୍ରତିଷ୍ଠା କରାଯାଇଥିବା ନୂଆ ପ୍ରତିଷ୍ଠାନ ଉଦ୍‌ଘାଟିତ ହୋଇଛି । ସେହିଭଳି ମୋତିପୁରଠାରେ ଆଞ୍ଚଳିକ ମତ୍ସ୍ୟ ଗବେଷଣା ଓ ତାଲିମ କେନ୍ଦ୍ର ଏବଂ ମୋତିହାରୀଠାରେ ପଶୁ ସଂପଦ ଓ ଦୁଗ୍ଧ ଉନ୍ନୟନ କେନ୍ଦ୍ରକୁ ମଧ୍ୟ କାର୍ଯ୍ୟକ୍ଷମ କରାଯାଇଛି । କୃଷି କ୍ଷେତ୍ରକୁ ବିଜ୍ଞାନ ଓ ଟେକ୍ନୋଲଜି ସହ ଯୋଡିବା ପାଇଁ ଏହିସବୁ ପଦକ୍ଷେପ ଗ୍ରହଣ କରାଯାଉଛି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଗାଁଗହଳି ନିକଟରେ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ, ଉଦ୍ୟୋଗ କ୍ଲଷ୍ଟର ଓ ଗବେଷଣା କେନ୍ଦ୍ରମାନ ପ୍ରତିଷ୍ଠା କରାଯିବା ଉଚିତ ।  ଏହାଦ୍ୱାରା ଜୟ କିଷାନ, ଜୟ ବିଜ୍ଞାନ ଏବଂ ଜୟ ଅନୁସନ୍ଧାନର ଲକ୍ଷ୍ୟ ପୂରଣ ହୋଇପାରିବ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କେନ୍ଦ୍ର ସରକାର 1 ଲକ୍ଷ କୋଟି ଟଙ୍କାର କୃଷି ଭିତ୍ତିଭୂମି ପାଣ୍ଠି ଗଠନ କରିଛନ୍ତି । କୃଷି ଉତ୍ପାଦିକା ସଂଗଠନ, ସମବାୟ ଗୋଷ୍ଠୀ ଆଦିଙ୍କୁ ଶୀତଳ ଭଣ୍ଡାର ତଥା ଅନ୍ୟାନ୍ୟ କୃଷି ଭିତ୍ତିଭୂମି ନିର୍ମାଣରେ ସହାୟତା ଯୋଗାଇ ଦେବାକୁ ଏହି ପାଣ୍ଠି ଗଠନ କରାଯାଇଛି । ଏପରିକି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀମାନେ ମଧ୍ୟ ଉତ୍ତମ ସମର୍ଥନ ପାଉଛନ୍ତି । ଗତ 6 ବର୍ଷ ମଧ୍ୟରେ ସେମାନଙ୍କୁ ସରକାରୀ ସହାୟତା 32 ଗୁଣ ବଢିଛି ।

ଆହୁରି ପଢ଼ନ୍ତୁ