ନୂଆଦିଲ୍ଲୀ: ମହାମାରୀ କରୋନା ବେଳେ ବିଦେଶରେ ଫସି ହୋଇ ରହିଥିବା ପ୍ରବାସୀଙ୍କ ପ୍ରତ୍ୟାବର୍ତ୍ତନ ହେବ। ଆସନ୍ତା ୭ ତାରିଖରୁ ପ୍ରବାସୀମାନେ ବିଭିନ୍ନ ପର୍ଯ୍ୟାୟରେ ସ୍ୱଦେଶ ଫେରିବେ। ଏଥିପାଇଁ କେନ୍ଦ୍ର ସରକାର ବିମାନ ସେବା ସହିତ ନୌସେନାର ସହଯୋଗ ଲୋଡ଼ିବେ। ସ୍ୱଦେଶ ଫେରିବା ବେଳେ ଭାରତ ସରକାରଙ୍କ କରୋନା ପ୍ରଟୋକୋଲ ମାନିବାକୁ ପଡ଼ିବ। ଏଥିପାଇଁ ଏକେ ଷ୍ଟାଣ୍ଡାର୍ଡ ପ୍ରୋଟୋକଲ୍ ପ୍ରସ୍ତୁତ କରାଯାଇଛି। ପାଖାପାଖି ୧୦ ହଜାରରୁ ଅଧିକ ପ୍ରବାସୀଙ୍କୁ ଭାରତ ଆଣିବା ପାଇଁ ସରକାର ପ୍ରସ୍ତୁତି କରୁଛନ୍ତି।
ବିଦେଶରେ ଥିବା ଭାରତୀୟ ଦୂତାବାସ ଏବଂ ଉଚ୍ଚ ଆୟୋଗ ଫସି ରହିଥିବା ଭାରତୀୟ ନାଗରିକଙ୍କ ତାଲିକା ପ୍ରସ୍ତୁତ କରୁଛନ୍ତି। ଯିଏ ଯେମିତି ପଇସା ଦେବେ ସେହିଭଳି ବ୍ୟବସ୍ଥା କରାଯିବ ବୋଲି ଜଣାପଡ଼ିଛି। ମୁଖ୍ୟତଃ ଗଲ୍ଫ ଦେଶ ଓ ୟୁରୋପୀୟ ଦେଶ ଗୁଡ଼ିକରେ ଫସିଥିବା ଲୋକଙ୍କୁ ଉଦ୍ଧାର କରିବାକୁ ସରକାର ଅଗ୍ରାଧିକାର ଦେଉଥିବା ଜଣାପଡ଼ିଛି।
ବିମାନ, ଜାହାଜ ଯେଉଁଥିରେ ଆସିଲେ ମଧ୍ୟ ପ୍ରବାସୀଙ୍କର ପ୍ରଥମେ ଥର୍ମାଲ୍ ସ୍କ୍ରିନିଂ ହେବ। ଯେଉଁମାନଙ୍କ ପାଖରେ କୌଣସି ଲକ୍ଷଣ ନଥିବା ସେମାନଙ୍କୁ ଯାତ୍ରା କରିବାର ସୁବିଧା ମିଳିବ ବୋଲି ସରକାରଙ୍କ ତରଫରୁ କୁହାଯାଇଛି।
ସେହିପରି ଭାରତରେ ପହଞ୍ଚିବା ପରେ ସମସ୍ତଙ୍କର କରୋନ ପରୀକ୍ଷା ହେବ। ଏହାପରେ ୧୪ ଦିନ ପାଇଁ ସଂପୃକ୍ତ ବ୍ୟକ୍ତି ନିଜ ରାଜ୍ୟର ସରକାରଙ୍କ ନିର୍ଦ୍ଦେଶକ୍ରମେ ଏକାନ୍ତବାସରେ ରହିବେ। ଏକାନ୍ତବାସ ଅବଧି ଶେଷ ହେବା ପରେ କରୋନା ପରୀକ୍ଷା ହେବ। ଏହାପରେ ପରବର୍ତ୍ତୀ ପ୍ରକ୍ରିୟା ବାବଦରେ ସରକାର ନିଷ୍ପତ୍ତି ନେବେ ବୋଲି ଜଣାପଡ଼ିଛି।
https://twitter.com/ANI/status/1257289898073055233
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।