ଲକ୍ଷ୍ନୌ:ମୁସଲିମ୍ ମହିଳାଙ୍କୁ ତିନି ତଲାକ । ସମ୍ବିଧାନକୁ ଉଲ୍ଲଂଘନ। ନିୟମ କାନୁନକୁ ଅଣଦେଖା। ସୁପ୍ରିମକୋର୍ଟ ତିନି ତଲାକ ପ୍ରଥା ଉପରେ ରୋକ ଲଗାଇବା ପରେ ବି ଆସିଛି ଏପରି ଅଭିଯୋଗ। ହ୍ୱାଟସ୍ଆପ୍ରେ ସ୍ୱାମୀ ତଲାକ ଦେଇଥିବା କହିଛନ୍ତି ପତ୍ନୀ। ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଫେରାଦ ହେବେ ବୋଲି ପୀଡ଼ିତା ଗଣମାଧ୍ୟମ ସମ୍ମୁଖରେ ବୟାନ ରଖିଛନ୍ତି।
ଉତ୍ତରପ୍ରଦେଶ ଅଲ୍ଲୀଗଡ଼ ମୁସଲିମ୍ ବିଶ୍ୱବିଦ୍ୟାଳୟ ପ୍ରଫେସରକଙ୍କ ବିରୋଧରେ ଲାଗିଛି ଏପରି ସଙ୍ଗୀନ ଅଭିଯୋଗ। ପ୍ରଫେସର ଖାଲିଦ୍ ଖାନ୍ଙ୍କ ନାଁରେ ଅଭିଯୋଗ କରିଛନ୍ତି ପତ୍ନୀ। ବିଶ୍ୱବିଦ୍ୟାଳୟରେ ଏନେଇ ଅଭିଯୋଗ କରିଥିଲେ। ତେବେ କୌଣସି ଫଳ ନ ମିଳିବାରୁ ଥାନାରେ ଫେରାଦ ହୋଇଛନ୍ତି ପୀଡ଼ିତା। ଏହାସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିକଟରେ ଗୁହାର ବି କରିଛନ୍ତି।
ଅନ୍ୟପଟେ ନିଜ ଉପରେ ଲାଗିଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଖାଲିଦ୍ । ମିଥ୍ୟା ସୂଚନା ଦେଇ ବିବାହ ହୋଇଥିବା ଓଲଟା ଅଭିଯୋଗ ଆଣିଛନ୍ତି ସେ। ଏହାସହ ଇସଲାମିକ୍ ନିୟମ ଅନୁସାରେ ଗୋଟିଏ ତଲାକ ଦେଇଥିବା ସେ ଦୋହରାଇଛନ୍ତି । ଉତ୍ତରପ୍ରଦେଶରେ ଏହି ତିନି ତଲାକଙ୍କୁ ନେଇ ଆସିଥିବା ଅଭିଯୋଗ ଚର୍ଚ୍ଚାର ବିଷୟ ପାଲଟିଛି । ବିଭିନ୍ନ ମହଲରୁ ଘଟଣାକୁ ନିନ୍ଦା କରିବା ସହ ବିରୋଧ ମଧ୍ୟ ହୋଇଛି । ମୁସଲିମ୍ ସମାଜ ପକ୍ଷରୁ ଘଟଣାକୁ ନିନ୍ଦା କରିବା ସହ ଆପୋଷ ବୁଝାମଣା ପାଇଁ ଦେଇଛନ୍ତି ପରାମର୍ଶ । ଗତ ଦୁଇ ମାସ ତଳେ ତିନି ତଲାକକୁ ଅସାମ୍ବିଧାନିକ ଘୋଷଣା କରିଥିଲେ ସୁପ୍ରିମକୋର୍ଟ। ଦେଶରେ କୌଣସି ମତେ ତିନି ତଲାକକୁ ସହମତି ମିଳିବ ନାହିଁ ବୋଲି ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ। ନିର୍ଦ୍ଦେଶର ୬ ମାସ ମଧ୍ୟରେ ସଂସଦରେ ଆଇନ ପ୍ରଣୟନ ପାଇଁ ରାୟ ଦେଇଥିଲେ କୋର୍ଟ।