କୃଷି ବିଲ୍‌ ବିରୋଧରେ ଲଢ଼େଇ ଜୋରଦାର: ଧାରଣାରେ ବସିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ, ଚାଷୀଙ୍କ ବିରୋଧ ଜାରି

ନୂଆଦିଲ୍ଲୀ: ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ନିକଟରେ ସଂସଦରେ ପାରିତ କରିଥିବା ନୂଆ କୃଷି ବିଲ୍‌ ବିରୋଧରେ ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି। ବିଶେଷ କରି ପଞ୍ଜାବ, ହରିଆଣା ଓ କର୍ଣ୍ଣାଟକାରେ ଚାଷୀମାନେ ଏହାକୁ ବିରୋଧ କରି ଆନ୍ଦୋଳନ ଜାରି ରଖିଛନ୍ତି। ସଂସଦରେ ନୂଆ କୃଷି ବିଲ୍‌ ପାସ୍‌ ହେବା ପରେ ଦେଶର ପ୍ରଥମ ରାଜ୍ୟ ଭାବେ ବିଜେପି କ୍ଷମତାସୀନ କର୍ଣ୍ଣାଟକା ବିଧାନସଭାରେ ମଧ୍ୟ ଏହା ଅନୁମୋଦନ ଲାଭ କରିଛି। ଏହାକୁ ବିରୋଧ କରି ଆଜି କଂଗ୍ରେସ […]

a

Hemant Lenka
  • Published: Monday, 28 September 2020
  • , Updated: 28 September 2020, 03:36 PM IST

ନୂଆଦିଲ୍ଲୀ: ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ନିକଟରେ ସଂସଦରେ ପାରିତ କରିଥିବା ନୂଆ କୃଷି ବିଲ୍‌ ବିରୋଧରେ ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି। ବିଶେଷ କରି ପଞ୍ଜାବ, ହରିଆଣା ଓ କର୍ଣ୍ଣାଟକାରେ ଚାଷୀମାନେ ଏହାକୁ ବିରୋଧ କରି ଆନ୍ଦୋଳନ ଜାରି ରଖିଛନ୍ତି।

ସଂସଦରେ ନୂଆ କୃଷି ବିଲ୍‌ ପାସ୍‌ ହେବା ପରେ ଦେଶର ପ୍ରଥମ ରାଜ୍ୟ ଭାବେ ବିଜେପି କ୍ଷମତାସୀନ କର୍ଣ୍ଣାଟକା ବିଧାନସଭାରେ ମଧ୍ୟ ଏହା ଅନୁମୋଦନ ଲାଭ କରିଛି। ଏହାକୁ ବିରୋଧ କରି ଆଜି କଂଗ୍ରେସ ପକ୍ଷରୁ ଦିଲ୍ଲୀର ଇଣ୍ଡିଆ ଗେଟ୍‌ ନିକଟରେ ଚାଷୀଙ୍କ ସହ ମିଶି ଜୋରଦାର ବିକ୍ଷୋଭ କରାଯାଇଛି। ଏହି ସମୟରେ ଆନ୍ଦୋଳନକାରୀମାନେ ନିଜ ଅସନ୍ତୋଷକୁ ପ୍ରକାଶ କରିବା ପାଇଁ ଗୋଟିଏ ଟ୍ରାକ୍ଟରରେ ନିଆଁ ମଧ୍ୟ ଲଗାଇ ଦେଇଛନ୍ତି।

ଏହି ଘଟଣାରେ ପୁଲିସ୍‌ ପଞ୍ଜାବର ୫ ଜଣ ଚାଷୀଙ୍କୁ ଅଟକ ରଖିଛି। ଦିଲ୍ଲୀର ଡେପୁଟି କମିଶନର କହିଛନ୍ତି, ସକାଳ ପ୍ରାୟ ୭.୧୫ରୁ ୭.୩୦ ମଧ୍ୟରେ ୧୫ରୁ ୨୦ ଜଣ ଲୋକ ଏକାଠି ହୋଇ ବିରୋଧ ପ୍ରଦର୍ଶନ କରିଥିଲେ। ସେମାନେ ଗୋଟିଏ ଟ୍ରାକ୍ଟରକୁ ପୋଡ଼ିବାକୁ ମଧ୍ୟ ଚେଷ୍ଟା କରିଥିଲେ। ତେବେ ଉଦ୍ଧାରକାରୀ ଦଳ ଟ୍ରାକ୍ଟରରେ ଲାଗିଥିବା ନିଆଁକୁ ତୁରନ୍ତ ଆୟତ୍ତ କରିଦେଇଥିଲେ। ଏବେ ଏହି ଘଟଣାରେ ସାମିଲ ଥିବା ଲୋକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଅନ୍ୟପକ୍ଷରେ ପଞ୍ଜାବରେ ଆଜି ମଧ୍ୟ ଶତାଧିକ ଚାଷୀ କୃଷି ବିଲ୍‌କୁ ବିରୋଧ କରି ଜୋରାଦାର ଆନ୍ଦୋଳନ ଜାରି ରଖିଛନ୍ତି। ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହ ଏହାକୁ ସମର୍ଥନ କରିଛନ୍ତି। ଏଥିପାଇଁ ସେ କଟକାର କଲାନ ଠାରେ ଅନ୍ୟ ଚାଷୀମାନଙ୍କ ସହ ମିଶି ଧାରଣାରେ ବସିଛନ୍ତି। ଏହି ଅଞ୍ଚଳଟି ସହିଦ ଭଗତ ସିଂହଙ୍କ ଜନ୍ମ ସ୍ଥାନ। ଆଜି ସହିଦ ଭଗତ ସିଂହଙ୍କ ଜନ୍ମଦିନରେ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ତାଙ୍କୁ ଶ୍ରଦ୍ଧାଞ୍ଜଳି ମଧ୍ୟ ଜଣାଇଛନ୍ତି। ଚାଷୀଙ୍କୁ ଶେଷ କରି ଦେବା ପାଇଁ କେନ୍ଦ୍ର ସରକାର ଏହି ବିଲ ଆଣିଛନ୍ତି ଓ ଏହାକୁ ସବୁ ସ୍ତରରେ ବିରୋଧ କରାଯିବ ବୋଲି ସେ କହିଛନ୍ତି।

ସେହିପରି ନୂଆ କୃଷି ବିଲ୍‌ ବିରୋଧରେ କଂଗ୍ରେସ ସାଂସଦ ପ୍ରତାପନ ସୁପ୍ରିମକୋର୍ଟରେ ଆବେଦନ କରିବେ ବୋଲି କହିଛନ୍ତି। କର୍ଣ୍ଣାଟକାରେ ମଧ୍ୟ ନୂଆ କୃଷି ବିଲ୍‌କୁ ବିରୋଧ କରି ଆଜି ଚାଷୀ ସଂଗଠନ ପକ୍ଷରୁ ରାଜ୍ୟରେ ବନ୍ଦ ଡାକରା ଦିଆଯାଇଥିଲା। ଏହାକୁ ପ୍ରୋ କନ୍ନଡ ସଂଗଠନ, ବିରୋଧୀ କଂଗ୍ରେସ ଓ ଜେଡିଏସ୍‌ ସମର୍ଥନ କରିଛନ୍ତି। ସେମାନେ ବିଲ୍‌ରେ ସଂଶୋଧନ ଓ ମୁଖ୍ୟମନ୍ତ୍ରୀ ୟେଦ୍ଦ୍ୟୁରପ୍ପା ଲାଗୁ କରିଥିବା ଜମି ସଂସ୍କାର ଆଇନରେ ପରିବର୍ତ୍ତନ ପାଇଁ ଦାବି କରିଛନ୍ତି।

Related story