ପୁନେ: ରାତିରେ ମୁଣ୍ଡ ଗୁଞ୍ଜିବାକୁ ଆଶ୍ରୟ ଖୋଜୁଥିବା ପତିପତ୍ନୀଙ୍କୁ ନିଜ ବସ୍ରେ ଆଶ୍ରୟ ଦେଲେ। ହେଲେ ପତି ବାହାରକୁ ଯାଇଥିବା ବେଳେ ବସ୍କୁ ଦ୍ରୁତ ଗତିରେ ନେଇ ଫେରାର ହୋଇଯାଇଥିବା ଡ୍ରାଇଭର ଅସହାୟ ପତ୍ନୀଙ୍କ ଇଜ୍ଜତ ଲୁଟିଲେ। ନିଜ ବସ୍ ଭିତରେ ୨ ଥର ତାଙ୍କ ସହ ଦୁଷ୍କର୍ମ କଲେ। ଏପରି ଅଭାବନୀୟ ଘଟଣା ପୁନେରେ ଘଟିଥିବା ବେଳେ ପୁଲିସ୍ ଅଭିଯୁକ୍ତ ଡ୍ରାଇଭର ନବନାଥ ଭୋଙ୍ଗଙ୍କୁ ଗିରଫ କରିଛି। ନବନାଥ ନିଜେ ବସ୍ ମାଲିକ ହୋଇଥିବା ବେଳେ ଡ୍ରାଇଭିଂ ବି କରୁଥିଲେ।
ପୂରା ଘଟଣାଟି ଏହିପରି। କିଛି ଦିନ ପୂର୍ବେ ଉଭୟ ପତିପତ୍ନୀ କାମ ସନ୍ଧାନରେ ପୁନେ ଆସିଥିଲେ। ଏହି ପତିପତ୍ନୀଙ୍କ ମଧ୍ୟରୁ ପତିଙ୍କ ବୟସ ୨୩ ବର୍ଷ ହୋଇଥିବା ବେଳେ ପତ୍ନୀଙ୍କ ବୟସ ୨୧ ବର୍ଷ। ପୁନେର ଏକ ହୋଟେଲରେ ସେମାନେ କାମ କରୁଥିବା ବେଳେ ରାତିରେ ନିକଟସ୍ଥ ବସ୍ଷ୍ଟାଣ୍ଡରେ ଆଶ୍ରୟ ନେଉଥିଲେ। ଶନିବାର ରାତିରେ ଏହି ପତିପତ୍ନୀ ନିକଟସ୍ଥ ସ୍ୱାରଗେଟ ବସ୍ଷ୍ଟାଣ୍ଡ ପରିସରକୁ ଆଶ୍ରୟ ନେବାକୁ ଯାଇଥିଲେ। ଏହି ସମୟରେ ସେଠାରେ ନିଜ ବସ୍ ପାର୍କିଂ କରୁଥିବା ନବନାଥ ଭୋଙ୍ଗ ନାମକ ବସ୍ ମାଲିକ ଉଭୟ ପତିପତ୍ନୀଙ୍କୁ ତାଙ୍କ ବସ୍ ଭିତରେ ଆଶ୍ରୟ ନେବାକୁ କହିଥିଲେ। ଏହା ପରେ ଉଭୟ ତାଙ୍କ ବସ୍ ଭିତରକୁ ଯାଇ ସେଠାରେ ଶୋଇ ପଡ଼ିଥିଲେ।
ବିଳମ୍ବିତ ରାତିରେ ପୀଡ଼ିତା ଶୋଇଥିବା ବେଳେ ତାଙ୍କ ସ୍ୱାମୀ ଶୌଚାଳୟ ଯାଇଥିଲେ। ଏହାର ସୁଯୋଗ ନେଇ ନବନାଥ ଦ୍ରୁତ ଗତିରେ ବସ୍କୁ ଏକ ନିକାଞ୍ଚନ ଜାଗାକୁ ନେଇ ଯାଇଥିଲେ। ସେଠାରେ ପୀଡ଼ିତାଙ୍କୁ ଭୟଭୀତ କରି ତାଙ୍କ ସହ ୨ ଥର ଦୁଷ୍କର୍ମ କରିଥିଲେ। ଏହା ପରେ ସେ ପୀଡ଼ିତାଙ୍କୁ ଛାଡ଼ି ଦେଇଦେଇଥିଲେ।
ପତ୍ନୀଙ୍କୁ ନ ପାଇ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିବା ଯୁବକ ଜଣକ ଶେଷରେ ତାଙ୍କୁ ପାଇଥିଲେ। ଏହାପରେ ମହିଳା ଜଣକ ନିଜ ସ୍ୱାମୀଙ୍କ ଆଗରେ ସବୁ କଥା କହିବା ପରେ ଏନେଇ ପତିପତ୍ନୀ ଥାନାରେ ଅଭିଯୋଗ କରିଥିଲେ। ପୁଲିସ୍ ତଦନ୍ତ ଆରମ୍ଭ କରି ସିସିଟିଭି ଯାଞ୍ଚ କରିଥିଲା। ଅଭିଯୁକ୍ତଜଣକ ଏକ ଧଳା ବସ୍ ଧରି ଫେରାର ହୋଇ ଯାଇଥିବା ଜାଣି ପୁଲିସ୍ ସନ୍ଧାନ କାର୍ଯ୍ୟ ଆରମ୍ଭ କରିଥିଲା।
ରବିବାର ସକାଳେ ବସ୍ଟି ସ୍ୱାରଗେଟ୍ ବସ୍ଷ୍ଟାଣ୍ଡରୁ କଟରାଜ୍ ଅଭିମୁଖେ ଯାଉଥିବା ବେଳେ ପୁଲିସ୍ ବସ୍ଟିର ପିଛା କରିଥିଲା। ଏହା ଜାଣିପାରି ନବନାଥ ଭୋଙ୍ଗ ବସ୍ଟିକୁ ଦ୍ରୁତ ଗତିରେ ନେଇ ଯିବାକୁ ଯୋଜନା କରିଥିଲେ। ମାତ୍ର ବାଟ ମଝିରେ ବସ୍ ଛାଡ଼ି ସେ ଫେରାର ହୋଇ ଯାଇଥିଲେ। ପୁଲିସ୍ ପିଛା କରି ତାଙ୍କୁ କାବୁ କରିବାରେ ସଫଳ ହୋଇ ତାଙ୍କୁ ଗିରଫ କରିଥିଲା। ବସ୍କୁ ଜବତ କରି ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି।