ଅହମ୍ମଦାବାଦ: ଗୁଜରାଟ ନିର୍ବାଚନରେ ଭୋଟରଙ୍କୁ ହାତେଇବା ପାଇଁ ସବୁ ରାଜନୈତିକ ଦଳ ଭିନ୍ନ ଭିନ୍ନ ତରିକା ଆପଣାଇଛନ୍ତି। ବିଭିନ୍ନ ଉପାୟରେ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଉଦ୍ୟମ ଚଳାଇଛନ୍ତି। ଏଥିରେ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧି ମଧ୍ୟ ପଛରେ ପଡ଼ି ନାହାନ୍ତି। ଗତ ୩ ଦିନ ହେବ ସେ ଗୁଜରାଟ ଗସ୍ତରେ ଅଛନ୍ତି। ଭୋଟରଙ୍କ ହୃଦୟ ଜିତିବା ପାଇଁ ରାହୁଲ ଏବେ ପୂରାପୁରି ଗୁଜରାଟି ଟୋକା ବନି ଯାଇଛନ୍ତି। ସେ ଢାବାରେ ବସି ଗୁଜରାଟୀ ଖାଦ୍ୟ ଖାଇବା ସହ ସ୍ଥାନୀୟ ଲୋକଙ୍କ ସହ କଥା ବାର୍ତ୍ତା ହେଉଥିବା ଦେଖିବାକୁ ମିଳିଛି।
ଗତକାଲି ସନ୍ଧ୍ୟାରେ ରାହୁଲ ପାଟଣାର ଏକ ଢାବାରେ ଖଟିଆରେ ବସି ଗୁଜରାଟୀ ଖାଦ୍ୟର ମଜା ଉଠାଇଥିଲେ। ଏଠାରେ ସେ ବାଜରା ରୁଟି, ହଳଦୀ ଓ ରସୁଣ ତରକାରୀ ଖାଇବା ସହ ୧ ଘଣ୍ଟା ଯାଏଁ ଗୁଜରାଟୀ ଗୀତ ମଧ୍ୟ ଶୁଣି ଥିଲେ। ଗୁଜରାଟ ସଂସ୍କୃତିର ଛାପ ଏବେ ରାହୁଲ ନିକଟରେ ଦେଖିବାକୁ ମିଳୁଛି।
ସୂଚନାଯୋଗ୍ୟ, ରାହୁଲଙ୍କ ଗୁଜରାଟ ଗସ୍ତର ଆଜି ଶେଷ ଦିନ। ସେ ବାରମ୍ୱାର ଗୁଜରାଟ ଯାତ୍ରା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ଉପରେ ବର୍ଷୁଛନ୍ତି। ରାହୁଲ ଟାର୍ଗେଟ୍ରେ ଜିଏସ୍ଟି ଓ ନୋଟବନ୍ଦୀ ରହିଛି।