ଇସ୍ତଫା ଜିଦରେ ରାହୁଲ, ସଭାପତି ହୋଇପାରନ୍ତି ପ୍ରିୟଙ୍କା ଗାନ୍ଧି!

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନରେ ଦଳର ଶୋଚନୀୟ ପରଜାୟ ପରେ ଇସ୍ତଫା ଜିଦରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି। ତାଙ୍କର ନୂଆ ଉତ୍ତରାଧିକାରୀ ଖୋଜିବା ପାଇଁ ରାହୁଲ ଗାନ୍ଧି କଂଗ୍ରେସ କାର୍ଯ୍ୟକାରୀଣୀ କମିଟିକୁ କହିଥିବା ଜଣାପଡ଼ିଛି। ତିନି ଚାରି ଦିନ ମଧ୍ୟରେ କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ ବସି ଅଧ୍ୟକ୍ଷ ପଦବୀ ବାବଦରେ ଆଲୋଚନା ହେବ ବୋଲି ଜଣାପଡ଼ିଛି। ଶନିବାର ଦିନ ବସିଥିବା କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରେ ରାହୁଲଙ୍କ ଇସ୍ତଫା ଅଗ୍ରାହ୍ୟ ହୋଇଥିଲା। ଗତକାଲି ରାହୁଲ ଗାନ୍ଧିଙ୍କୁ ଭେଟିଥିଲେ କଂଗ୍ରେସ […]

RAHUL PRIYANKA KERALA

Subhransu Sekhar
  • Published: Tuesday, 28 May 2019
  • , Updated: 28 May 2019, 10:46 AM IST

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନରେ ଦଳର ଶୋଚନୀୟ ପରଜାୟ ପରେ ଇସ୍ତଫା ଜିଦରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି। ତାଙ୍କର ନୂଆ ଉତ୍ତରାଧିକାରୀ ଖୋଜିବା ପାଇଁ ରାହୁଲ ଗାନ୍ଧି କଂଗ୍ରେସ କାର୍ଯ୍ୟକାରୀଣୀ କମିଟିକୁ କହିଥିବା ଜଣାପଡ଼ିଛି। ତିନି ଚାରି ଦିନ ମଧ୍ୟରେ କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ ବସି ଅଧ୍ୟକ୍ଷ ପଦବୀ ବାବଦରେ ଆଲୋଚନା ହେବ ବୋଲି ଜଣାପଡ଼ିଛି। ଶନିବାର ଦିନ ବସିଥିବା କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରେ ରାହୁଲଙ୍କ ଇସ୍ତଫା ଅଗ୍ରାହ୍ୟ ହୋଇଥିଲା।

ଗତକାଲି ରାହୁଲ ଗାନ୍ଧିଙ୍କୁ ଭେଟିଥିଲେ କଂଗ୍ରେସ କାର୍ଯ୍ୟକାରିଣୀ କମିଟି ସଦସ୍ୟ ଅହମଦ ପଟେଲ ଓ କେସି ବେଣୁଗୋପାଳ। ଇସ୍ତଫା ନିଷ୍ପତ୍ତି ପ୍ରତ୍ୟାହାର କରିବା ପାଇଁ ରାହୁଲଙ୍କୁ ବୁଝାଇଥିଲେ ଏହି ଦୁଇ ନେତା। ଏମିତିକି ପରାଜୟର କାରଣ ଜଣେ ନୁହେଁ ସମସ୍ତ ଦଳୀୟ ନେତା ବୋଲି କହି ଅହମଦ ପଟେଲ ଓ ବେଣୁଗୋପାଳ ବୁଝାଇଥିଲେ। ହେଲେ ରାହୁଲ ନିଜ ଜିଦରେ ଅଟଳ ଥିବା ସୂଚନା ରହିଛି। ଏହାପରେ ଅନେକ ନେତା ରାହୁଲଙ୍କୁ ଭେଟିବାକୁ ଚେଷ୍ଟା କରିଥିଲେ। ହେଲେ ରାହୁଲ ଗାନ୍ଧି ମନା କରିଦେଇଥିଲେ ବୋଲି ଜଣାପଡ଼ିଛି। ଏମିତିକି ନବ ନିର୍ବାଚିତ କଂଗ୍ରେସ ସାଂସଦଙ୍କୁ ଭେଟିବା କାର୍ଯ୍ୟକ୍ରମ ମଧ୍ୟ ରାହୁଲ ବାତିଲ କରି ଦେଇଥିଲେ।

ଏହି ଭେଟଘାଟ ସମୟରେ ସୋନିଆ ଗାନ୍ଧିଙ୍କୁ ପୁଣି କଂଗ୍ରେସ ଅଧ୍ୟକ୍ଷ ଦାୟିତ୍ୱ ସମ୍ଭାଳିବାକୁ ପଡ଼ିବ ବୋଲି ଅହମଦ ପଟେଲ ଓ ବେଣୁ ଗୋପାଳ କହିଥିଲେ। ଯଦି ସୋନିଆ ରାଜି ନହେବେ ତାହେଲେ ପ୍ରିୟଙ୍କା ଗାନ୍ଧି ଭାଡ୍ରାଙ୍କ ବାବଦରେ ରାହୁଲଙ୍କୁ ଅହମଦ ପଟେଲ ଓ କେସି ବେଣୁଗୋପାଳ ପ୍ରସ୍ତାବ ଦେଇଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ସେପଟେ ଚଳିତ ନିର୍ବାଚନରେ ଦଳ ଦକ୍ଷିଣ ଭାରତରେ ଭଲ ପ୍ରଦର୍ଶନ କରିଛି। ତେଣୁ ଅଧ୍ୟକ୍ଷ ପଦ ପାଇଁ ଦକ୍ଷିଣ ଭାରତର ନେତାଙ୍କୁ କଂଗ୍ରେସ ସୁଯୋଗ ଦେଇପାରେ ବୋଲି ମଧ୍ୟ ଗୋଟିଏ ପଟେ ଆଲୋଚନା ହେଉଛି।

ସୂଚନାଯୋଗ୍ୟ ଯେ, ସାଧାରଣତଃ କଂଗ୍ରେସ ନେହରୁ-ଗାନ୍ଧି ପରିବାର ଦ୍ୱାରା ପରିଚାଳିତ ହୋଇ ଆସିଛି। ରାଜୀବ ଗାନ୍ଧିଙ୍କ ମୃତ୍ୟୁ ପରେ ପରିବାର ବାହାରର ନେତା ସୀତାରମ କେଶରୀ ଦଳର ଅଧ୍ୟକ୍ଷ ହୋଇଥିଲେ। ହେଲେ ଦଳ ଭଲ ଭାବରେ ପରିଚାଳିତ ହୋଇନଥିଲା। ପରିଣାମସ୍ୱରୂପ ରାଜୀବ ଗାନ୍ଧିଙ୍କ ସ୍ତ୍ରୀ ତଥା ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧି କଂଗ୍ରେସ ଅଧ୍ୟକ୍ଷ ହୋଇଥିଲେ।

ଚଳିତ ନିର୍ବାଚନରେ କଂଗ୍ରେସ ମାତ୍ର ୫୨ଟି ଆସନରେ ବିଜୟୀ ହୋଇଛି। ଗତବର୍ଷ ଜିତିଥିବା ହିନ୍ଦୀ ହାର୍ଟଲ୍ୟାଣ୍ଡ ରାଜ୍ୟ ଏବଂ କର୍ଣ୍ଣାଟକର ମେଣ୍ଟ ସରକାରରେ ଦଳ ସାମିଲ ଅଛି। ହେଲେ ଏହି ସ୍ଥାନରେ ହୋଇଥିବା ସାଧାରଣ ନିର୍ବାଚନରେ କଂଗ୍ରେସ ଏକ ପ୍ରକାର ଶୋଚନୀୟ ପରାଜୟ ହୋଇଛି। ଯାହାକି ଦଳ ପାଇଁ ଚିନ୍ତାର ବିଷୟ ପାଲଟିଛି।

Related story