ନୁଆଦିଲ୍ଲୀ: କୋକେନ୍ ନିଶା ସେବନ କରୁଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି। ଏଭଳି ଗୁରୁତର ଅଭିଯୋଗ ଆଣିଛନ୍ତି ବିଜେପି ସାଂସଦ ସୁବ୍ରମଣ୍ୟମ୍ ସ୍ୱାମୀ। ଯଦି ଡୋପ୍ ଟେଷ୍ଟ କରାଯାଏ ତେବେ ରାହୁଲ ଧରାପଡ଼ିଯିବେ ବୋଲି ସେ କହିଛନ୍ତି। କିନ୍ତୁ ସିଧାସଳଖ ଏକଥା ନ କହି ଏଥିପାଇଁ କେନ୍ଦ୍ର ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରୀ ହରସିମ୍ରତ କୌର ବାଦଲଙ୍କୁ ଆୟୁଧ କରିଛନ୍ତି ସ୍ୱାମୀ। ହରସିମ୍ରତଙ୍କ ଏକ ବକ୍ତବ୍ୟକୁ ଆଧାର କରି ସେ ଏହା କହିଛନ୍ତି।
ସରକାରୀ କର୍ମଚାରୀ ନିଯୁକ୍ତି କ୍ଷେତ୍ରରେ ପଞ୍ଜାବ ସରକାର ଡୋପ୍ ଟେଷ୍ଟକୁ ବାଧ୍ୟତାମୂଳକ କରିବା ପରେ ବିରୋଧୀ ଦଳଗୁଡ଼ିକ ମଧ୍ୟରେ ବୟାନବାଜି ଆରମ୍ଭ ହୋଇଯାଇଛି। ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ଉପରେ ବିଭିନ୍ନ ଦଳ ଭିନ୍ନ ଭିନ୍ନ ମତ ଦେଉଛନ୍ତି। ଏହାକୁ ନେଇ କେନ୍ଦ୍ରମନ୍ତ୍ରୀ ହରସିମ୍ରତ କୌର କହିଛନ୍ତି, ପଞ୍ଜାବ ସରକାରଙ୍କ ନିଷ୍ପତ୍ତି ଭଲ। ହେଲେ ଏହାର ଆରମ୍ଭ ପ୍ରଥମେ ରାହୁଲ ଗାନ୍ଧିଙ୍କଠାରୁ ହେବା ଆବଶ୍ୟକ। ଏହାପରେ ନିଜେ ମୁଖ୍ୟମନ୍ତ୍ରୀ ମଧ୍ୟ ଏହି ଟେଷ୍ଟ ଦେବା ଦରକାର ବୋଲି ସେ କହିଛନ୍ତି। ସେହିଭଳି ଶିରୋମଣି ଅକାଳୀ ଦଳର ନେତା ସୁଖବୀର ବାଦଲ ମଧ୍ୟ ପଞ୍ଜାବର ୧୧୭ ଜଣ ବିଧାୟକଙ୍କର ଡୋପ୍ଟେଷ୍ଟ କରିବା ପାଇଁ ଦାବି କରିଛନ୍ତି।
ଅନ୍ୟପକ୍ଷରେ ହରସିମ୍ରତଙ୍କ ଏଭଳି ଚ୍ୟାଲେଞ୍ଜକୁ ସ୍ୱୀକାର କରିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ। ସେ ଡୋପ୍ ଟେଷ୍ଟ କରିବାକୁ ରାଜି ଅଛନ୍ତି ବୋଲି କହିଛନ୍ତି । ତେବେ ଏହି ନିଷ୍ପତ୍ତି ୧୧୭ ଜଣ ବିଧାୟକଙ୍କ ଉପରେ ସେ ଲଦି ପାରିବେ ନାହିଁ। ସେମାନେ ସ୍ୱ-ଇଚ୍ଛାରେ ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି।
ପଞ୍ଜାବର ଡୋପ୍ ଟେଷ୍ଟ ନିୟମ: ପଞ୍ଜାବରେ ସରକାରୀ କର୍ମଚାରୀଙ୍କ ନିଯୁକ୍ତି ଓ ପ୍ରମୋସନ ପାଇଁ ଡୋପ୍ ଟେଷ୍ଟକୁ ବାଧ୍ୟତାମୂଳକ କରାଯାଇଛି। ଏଥିରେ ପୋଲିସ କର୍ମଚାରୀମାନେ ମଧ୍ୟ ସାମିଲ୍ ଅଛନ୍ତ। ପଞ୍ଜାବରେ ନିଶା ନିବାରଣ ପାଇଁ ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି।