ନୂଆଦିଲ୍ଲୀ: ଡିସେମ୍ୱର ୨୮ କଂଗ୍ରେସର ପ୍ରତିଷ୍ଠା ଦିବସ। ଏହାର ଗୋଟିଏ ଦିନ ପୂର୍ବରୁ ରାହୁଲ୍ ଗାନ୍ଧୀ ବିଦେଶ ଗସ୍ତରେ ଯାଇଛନ୍ତି। କଂଗ୍ରେସ ମୁଖପାତ୍ର ରଣଦୀପ ସୁରଜେଓ୍ୱାଲା ଏହି ସୂଚନା ଦେଇଛନ୍ତି। ତେବେ ରାହୁଲଙ୍କ ଗସ୍ତ ବ୍ୟକ୍ତିଗତ, କେଉଁଠିକି ଯାଇଛନ୍ତି ତାହା କହି ନାହାନ୍ତି ସୁରଜେଓ୍ୱାଲା।
ତେବେ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁୟାୟୀ ରବିବା ସକାଳୁ ରାହୁଲ୍ କାତାର ବିମାନ ବନ୍ଦର ଦେଇ ଇଟାଲୀର ମିଲନ ସହରକୁ ଗସ୍ତ କରିଛନ୍ତି। ରାହୁଲ୍ ଗାନ୍ଧୀଙ୍କ ଆଈ ଏଠାରେ ରୁହନ୍ତି। ପୂର୍ବରୁ ଅନେକ ଥର ସେ ଇଟାଲୀ ଆସିଥାନ୍ତି ଆଈଙ୍କୁ ଭେଟିବାକୁ।
ସୂଚନାଯୋଗ୍ୟ, ଆସନ୍ତାକାଲି କଂଗ୍ରେସର ୧୩୬ତମ ପ୍ରତିଷ୍ଠା ଦିବସ। ଏହି ଅବସରରେ ଦଳର ମୁଖ୍ୟ କାର୍ଯାଳୟରେ ଦଳୀୟ ପତାକା ଉତ୍ତୋଳନ କରାଯିବାର କାର୍ଯ୍ୟକ୍ରମ ରହିଛି।