ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଇସ୍ତଫା ଦେବା ପ୍ରସଙ୍ଗରେ ନିଜ ଟ୍ୱିଟର ହ୍ୟାଣ୍ଡଲରେ ପ୍ରତିକ୍ରିୟା ରଖିଛନ୍ତି ବିହାର ରାଷ୍ଟ୍ରୀୟ ଜନତା ଦଳର ସୁପ୍ରିମୋ ଲାଲୁ ଯାଦବ। ରାହୁଲ ଯଦି ଇସ୍ତଫା ପ୍ରସଙ୍ଗରେ ଅଟଳ ରୁହନ୍ତି, ତାହେଲେ କଂଗ୍ରେସ ପାଇଁ ଏହା ଆତ୍ମହତ୍ୟା ସଦୃଶ ହେବ। ଏବଂ ଅନ୍ୟ ସମସ୍ତ ବିରୋଧୀ ଦଳ ପାଇଁ ମଧ୍ୟ ସମାନ ଅବସ୍ଥା ହେବ ବୋଲି ଲାଲୁ ଯାଦବ କହିଛନ୍ତି।
ଯଦି ରାହୁଲ ଗାନ୍ଧି ଇସ୍ତଫା ଦେଉଛନ୍ତି ତାହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ସଭାପତି ଅମିତ ଶାହଙ୍କର ଗୋଟିଏ ପଟେ ଉଦ୍ଦେଶ୍ୟ ସତ ହେବ। ଏବଂ ଏହା ପରେ ଗାନ୍ଧି ପରିବାର ବ୍ୟତୀତ ଯିଏ ବି ଦଳର ସଭାପତି ହେବ ତାଙ୍କୁ ସୋନିଆ ଓ ରାହୁଲଙ୍କ ‘ରିମୋଟ କଣ୍ଟ୍ରୋଲ’ ବୋଲି ମୋଦି ଓ ଅମିତ ଶାହ କହିବେ ବୋଲି ଲାଲୁ କହିଛନ୍ତି। ତେଣୁ ବିଜେପିକୁ ଏଭଳି ସୁଯୋଗ ରାହୁଲ ନଦେବା ଉଚିତ ବୋଲି ସେ ପରାମର୍ଶ ଦେଇଛନ୍ତି।
ସୂଚନାଯୋଗ୍ୟ ଗୋ ଖାଦ୍ୟ ଦୂର୍ନୀତିରେ ଦୋଷୀ ସାବ୍ୟସ୍ତ ହୋଇ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ଯାଦବ ଏବେ ଝାରଖଣ୍ଡର ବିର୍ସା ମୁଣ୍ଡା ଜେଲରେ ଅଛନ୍ତି। ସେ ଜେଲରେ ଥିଲେ ମଧ୍ୟ ତାଙ୍କ ପରିବାର ସଦସ୍ୟଙ୍କ ଦ୍ୱାରା ଲାଲୁଙ୍କ ଟ୍ୱିଟର ହ୍ୟାଣ୍ଡଲ ପରିଚାଳିତ ହେଉଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।