ନୂଆଦିଲ୍ଲୀ: ଆଜି ସଂସଦର ମୌସୁମୀ ଅଧିବେଶନର ଦ୍ୱିତୀୟ ଦିନ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଦ୍ୱିତୀୟ ଦିନରେ ପୂର୍ବ ଲଦାଖରେ ଭାରତ ଏବଂ ଚୀନ୍ ମଧ୍ୟରେ ହୋଇଥିବା ସାମରିକ ବିବାଦ ସମ୍ପର୍କରେ ମତ ରଖିପାରନ୍ତି। ବିରୋଧୀ ଏହି ପ୍ରସଙ୍ଗରେ ପ୍ରଥମେ ପ୍ରତିରକ୍ଷା ମନ୍ତ୍ରୀଙ୍କ ଉତ୍ତର ଦାବି କରିବେ। ପରେ ମନ୍ତ୍ରୀ ରାଜନାଥ ସିଂହ ଗୃହକୁ ଚୀନ୍ ପ୍ରସଙ୍ଗରେ ଅବଗତ କରାଇବେ ବୋଲି ସୂଚନା ରହିଛି।
ଗତ ସପ୍ତାହରେ ମସ୍କୋରେ ରାଜନାଥ ସିଂହ ତାଙ୍କ ଚୀନ୍ ପ୍ରତିପକ୍ଷ ଜେନ ୱେ ୱେଙ୍ଗେଙ୍କୁ ଭେଟିଥିଲେ। ଏସସିଓ ସମ୍ମିଳନୀରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଏବଂ ଚୀନ୍ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି ମଧ୍ୟ ପରସ୍ପରକୁ ଭେଟିଥିଲେ।
କରୋନା ମହାମାରୀ ଭିତରେ ଜୁନ୍ ମାସରେ ଏଲଏସିରେ ଚୀନ୍ ଏବଂ ଭାରତୀୟ ସେନାଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ଏବେ ବି ସୀମାରେ ସ୍ଥିତି ସ୍ୱାଭାବିକ ନଥିବା ଜଣାପଡ଼ିଛି।
ଚଳିତ ମୌସୁମୀ ଅଧିବେଶନରେ ବିରୋଧୀ ସରକାରଙ୍କୁ ଘେରିବା ପାଇଁ ଯେଉଁ କିଛି ପ୍ରସଙ୍ଗକୁ ଗୁରୁତ୍ୱ ଦେଇଛନ୍ତି ସେଥିମଧ୍ୟରେ ଲଦାଖ ପ୍ରସଙ୍ଗ ଅନ୍ୟତମ। ଏହାବାଦ୍ ଅଭିବୃଦ୍ଧି ହାର, କରୋନା ମହାମାରୀ, ବେକାରୀ ଆଦି ପ୍ରସଙ୍ଗକୁ ଅସ୍ତ୍ର କରି ସରକାରଙ୍କୁ ବିରୋଧୀ କରିବାକୁ ଯୋଜନା କରିଛନ୍ତି। ସରକାର ମଧ୍ୟ ବିରୋଧୀଙ୍କ ସମସ୍ତ ପ୍ରସଙ୍ଗର ଜବାବ ଦେବାକୁ ରାଜି ବୋଲି କହିଛନ୍ତି।