ନୂଆଦିଲ୍ଲୀ: ଦଶନ୍ଧି ଦଶନ୍ଧି ଧରି କାଳ୍ପନିକ ଅବସ୍ଥାରେ ଥିବା ଅଯୋଧ୍ୟା ରାମ ମନ୍ଦିର ବାସ୍ତବ ରୂପ ନେବାର ଶେଷ ପଦକ୍ଷେପ ସ୍ୱରୂପ ଆଜି ଟ୍ରଷ୍ଟ ଗଠନକୁ ମଞ୍ଜୁରୀ ମିଳିଛି। ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ ଏକ ଟ୍ରଷ୍ଟ ଗଠନ କରାଯାଇଥିବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସଂସଦରେ ଘୋଷଣା କରିଛନ୍ତି। ଏହାର ନାମ ‘ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର’ ଟ୍ରଷ୍ଟ ରହିଛି, ଯାହାକି ସମ୍ପୂର୍ଣ୍ଣ ସ୍ୱୟଂଶାସିତ ରହିବ। ଏହାର କାର୍ଯ୍ୟାଳୟ ଦିଲ୍ଲୀର ଗ୍ରେଟର କୈଲାସଠାରେ ରହିବ ବୋଲି ଜଣାପଡ଼ିଛି। କୁହାଯାଉଛି ‘ଆର-୨୦, ଜିକେ-୧’ ଠିକଣା ହିନ୍ଦୁଙ୍କ ପକ୍ଷରୁ ଲଢ଼ୁଥିବା ୯୩ ବର୍ଷ ବୟସ୍କ ଓକିଲ କେ ପରାଶରନ୍ଙ୍କ ଠିକଣା। ତେବେ ବର୍ତ୍ତମାନ ଦିଲ୍ଲୀ ବିଧାନସଭା ନିର୍ବାଚନ ରହିଥିବାରୁ ଏହି ସମୟରେ ଟ୍ରଷ୍ଟ ଘୋଷଣାକୁ ବିରୋଧୀ ଦଳମାନେ ବେଶ ବିରୋଧ କରିଛନ୍ତି।
ଆଜି ଗେରୁଆ ମଫଲର ପିନ୍ଧା ପ୍ରଧାନମନ୍ତ୍ରୀ ମୋଦି କ୍ୟାବନେଟ୍ ବୈଠକରୁ ସିଧା ଲୋକସଭାରେ ପହଞ୍ଚିଥିଲେ। ଏହାପରେ ବିଜେପି ସାଂସଦମାନେ ‘ଜୟ ଶ୍ରୀରାମ’ ନାରା ଦେବାକୁ ଆରମ୍ଭ କରିଥିଲେ। ମୋଦି ଟ୍ରଷ୍ଟ ବାବଦରେ ଘୋଷଣା କରି କହିଥିଲେ, “ମୁଁ ଆନନ୍ଦର ସହ ଘୋଷଣା କରୁଛି ଯେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ କ୍ୟାବିନେଟ୍ ଏକ ବିସ୍ତୃତ ଯୋଜନା ପ୍ରସ୍ତୁତ କରିଛି। ମୋ ସରକାର ‘ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର’ ଟ୍ରଷ୍ଟ ସ୍ଥାପନ ପାଇଁ ନିଷ୍ପତ୍ତି ନେଇଛି, ଯାହାକି ସ୍ୱୟଂଶାସିତ ଭାବେ କାର୍ଯ୍ୟ କରିବ। ଏହା ରାମ ମନ୍ଦିର ଏବଂ ତତ୍ ସମ୍ପର୍କିତ ପ୍ରସଙ୍ଗ ପରିଚାଳନା କରିବ।”
ଏହି ଅବସରରେ ସେ ଘୋଷଣା କରିଥିଲେ ଜମି ଚାରିପଟରେ ସମସ୍ତ ୬୭ ଏକର ଜମି ଏହି ଟ୍ରଷ୍ଟକୁ ହିଁ ମିଳିବ। କୋଟି କୋଟି ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ଏହା ଅଯୋଧ୍ୟାର ପବିତ୍ରତା ରକ୍ଷା କରିବା ସହ ମନ୍ଦିର ନିର୍ମାଣରେ ସହାୟକ ହେବ। ସେ ରାମ ମନ୍ଦିର ନିର୍ମାଣ ପାଇଁ ସମସ୍ତଙ୍କ ସହଯୋଗ କାମନା କରିବା ସହ ଏଥିପାଇଁ ହାତ ବଢ଼ାଇବାକୁ ଆହ୍ୱାନ କରିଥିଲେ। ପ୍ରତିକ୍ରିୟାରେ ସାଂସଦମାନେ ଟେବୁଲ ବାଡ଼ାଇ ସ୍ୱାଗତ କରିଥିଲେ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏହି ଘୋଷଣା ପରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଟ୍ୱିଟ୍ କରି ଏହାକୁ ସ୍ୱାଗତ କରିଥିଲେ। ସେ ଘୋଷଣା କରିଥିଲେ ‘ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର’ ଟ୍ରଷ୍ଟରେ ଜଣେ ଦଳିତଙ୍କ ସମେତ ୧୫ ଜଣ ସଦସ୍ୟ ରହିବେ। ଏଥିରେ ୪ ପୀଠର ଶଙ୍କରାଚାର୍ଯ୍ୟ ସଦସ୍ୟ ରହିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଏମାନଙ୍କ ବ୍ୟତୀତ ମହନ୍ତ ନିତ୍ୟ ଗୋପାଳ ଦାସ, ମହନ୍ତ ସୁରେଶ ଦାସ, ମହନ୍ତ ଦୀନେନ୍ଦ୍ର ଦାସ, ଗୋରଖନାଥପୀଠର ଜଣେ ପ୍ରତିନିଧି, ଉଡ଼ୁପି ପେଜୱାର ପୀଠର ଜଣେ ପ୍ରତିନିଧି, ଭିଏଚପିରୁ ଓମ ପ୍ରକାଶ ସିଂହଲ, ଭିଏଚ୍ପି ଉପାଧ୍ୟକ୍ଷ ଚମ୍ପତରାୟ, ସ୍ୱର୍ଗତ ଅଶୋକ ସିଂହଲଙ୍କ ପୁତୁରା ସଲିଲ, ବିଷ୍ଣୁହରି ଡାଲମିଆଙ୍କ ପରିବାରରୁ ପୁନୀତ ଡାଲମିଆ, ଜଣେ ଦଳିତ ପ୍ରତିନିଧି ଏବଂ ଜଣେ ମହିଳା ଟ୍ରଷ୍ଟିଙ୍କ ମଧ୍ୟରେ ରହିବ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଅଯୋଧ୍ୟା ଜିଲ୍ଲାପାଳ ଏବଂ କେନ୍ଦ୍ରରୁ ଜଣେ ସଚିବ ମଧ୍ୟ ସ୍ଥାନ ପାଇବେ।
ଏହି ମନ୍ଦିର ପାଇଁ ସରକାରୀ ଅର୍ଥ ଖର୍ଚ୍ଚ ହେବନାହିଁ। ବରଂ ଟ୍ରଷ୍ଟ ନାମରେ ଏକ ବ୍ୟାଙ୍କ ଆକାଉଣ୍ଟ ଖୋଲାଯିବ ଏବଂ ସେଥିରେ ଲୋକେ ଦାନ କରିପାରିବେ ବୋଲି କୁହାଯାଉଛି। ଅନ୍ୟପକ୍ଷରେ ଉତ୍ତରପ୍ରଦେଶ ସରକାର ସୁନ୍ନି ୱାକ୍ଫ ବୋର୍ଡକୁ ୫ ଏକର ଜମି ଯୋଗାଇଦେଇଛନ୍ତି, ଯେଉଁଠାରେ ମସଜିଦ୍ ନିର୍ମାଣ ହେବ। ଏହା ସୋହୱାଲ ତହସିଲର ଧନ୍ନିପୁର ଗାଁରେ ରହିଛି। ଏହା ଅଯୋଧ୍ୟା ରାମ ମନ୍ଦିର ସ୍ଥଳଠାରୁ ୩୦ କିଲୋମିଟର ଦୂରରେ ଅବସ୍ଥିତ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।