ଶ୍ରୀନଗର: ଧାରା ୩୭୦ ଉଚ୍ଛେଦ ପରେ ଜମ୍ମୁ କଶ୍ମୀରରେ ସେନା ମୁତୟନ ରହିଛନ୍ତି। ଏବେ କଶ୍ମୀରରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମ ଅବ୍ୟାହତ ରହିଛି, ହେଲେ ପ୍ରାୟ ସବୁ ଉଦ୍ୟବ ବିଫଳ ହେଉଛି ବୋଲି କହିଛନ୍ତି ଜମ୍ମୁ କଶ୍ମୀର ଡିଜିପି ଦିଲବାଗ ସିଂହ। ସେ କହିଛନ୍ତି ଧାରା ୩୭୦ ଉଚ୍ଛେଦ ହେବା ପରେ ଜମ୍ମୁ କଶ୍ମୀରର ସ୍ଥାନୀୟ ଯୁବକ କେତେ ଜଣ ଆତଙ୍କବାଦୀ ସଂଗଠନରେ ସାମିଲ୍ ହୋଇଛନ୍ତି ସେ ନେଇ ରିପୋର୍ଟ ନାହିଁ। ପୂର୍ବରୁ କିଛି ଯୁବକଙ୍କୁ ମତେଇ ଆତଙ୍କବାଦୀ ତାଙ୍କ ଗ୍ରୁପରେ ସାମିଲ୍ କରିଥିଲେ ସେଥିମଧ୍ୟରୁ କିଛି ଜଣଙ୍କୁ ଫେରାଇ ଆଣିବାରେ ଆମେ ସଫଳ ହୋଇଛୁ ବୋଲି ଡିଜିପି କହିଛନ୍ତି।
ଦକ୍ଷିଣ କଶ୍ନୀରରେ କିଛି ଫଳ ବ୍ୟବସାୟୀଙ୍କୁ ଆତଙ୍କବାଦୀମାନେ ଯେଉଁ ଧମକ ଦେଉଛନ୍ତି ସେ ବାବଦରେ ଅବଗତ ଅଛି ତା ଉପରେ କଡ଼ା ନଜର ରହିଛି ବୋଲି ଜମ୍ମୁ କଶ୍ମୀର ଡିଜିପି କହିଛନ୍ତି। ତେବେ ଭାରତରେ ପ୍ରବେଶ ପାଇଁ ପାକିସ୍ତାନର ଅନୁପ୍ରବେଶକାରୀଙ୍କ ଉଦ୍ୟମ ଜାରି ରହିଛି। ଗତ ମାସରେ ଗୁଲମାର୍ଗ ସେକ୍ଟରରେ ପାକିସ୍ତାନର ୨ ଅନୁପ୍ରବେଶକାରୀ ଧରା ପଡ଼ିଥିଲେ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ ଅଗଷ୍ଟ ୨୧ ଓ ୨୨ ବିଳମ୍ୱିତ ରାତ୍ରିରେ ବାରମୁଳା ଜିଲ୍ଲାର ଘାଟିରେ ଦୁଇ ଲଶ୍କର-ଇ-ତଇବାର ଆତଙ୍କବାଦୀ ଅନୁପ୍ରବେଶ କରି ସେନା ଦ୍ୱାରା ଗିରଫ ହୋଇଥିଲେ। ଏହାପରେ ସେପ୍ଟେମ୍ୱର ୪ରେ ଉଭୟ ସେନା ଓ ରାଜ୍ୟ ପୁଲିସ ପ୍ରେସ କନଫରେନସ କରି ଦୁଇ ଆତଙ୍କବାଦୀ ଖଲିଲ୍ ଅହମଦ ଏବଂ ମୋଜମ୍ ଖୋକରର ଭିଡିଓ କ୍ଲିପ୍ ଜାରି କରିଥିଲେ। ସେମାନେ ଆତଙ୍କବାଦୀ ଲଶ୍କର-ଇ-ତଇବାର ନିର୍ଦ୍ଦେଶ କ୍ରମେ କଶ୍ମୀରରେ ଆସି ଆକ୍ରମଣ କରିବାର ଯୋଜନା ଥିଲା ବୋଲି କହିଥିଲେ।
ଡିଜିପି ଆହୁରି କହିଛନ୍ତି ସୀମାରେ ଏବେ ସ୍ୱାଭାବିକ ଅବସ୍ଥାକୁ ଫେରୁଛି। ସମସ୍ତ ସ୍କୁଲ, କଲେଜ ଏବଂ ସରକାରୀ ଅଫିସ ସକ୍ରିୟ ରହିଛି।