ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦକୁ ୨ ମାସରୁ ଅଧିକ ହୋଇଛି, ହେଲେ ଆହୁରି କେତେ ଦିନ ପ୍ରତିବନ୍ଧକ ଲଗାଇବ? କେନ୍ଦ୍ର ସରକାରକୁ ଏହି ପ୍ରଶ୍ନ କରି ଜବାବ ମାଗିଛନ୍ତି ସୁପ୍ରିମକୋର୍ଟ। ତୁରନ୍ତ ଏହାର ଜବାବ ରଖିବାକୁ ଜଷ୍ଟିସ ଏନ.ଭି ରମଣଙ୍କ ନେତୃତ୍ୱାଧୀନ ତିନି ଜଣିଆ ଖଣ୍ଡପୀଠ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ୱର ୫ରେ ହେବ।
ପ୍ରତିବନ୍ଧକ ଲଗାଇବାର ଅଧିକାର ସରକାର ପାଖରେ ଅଛି, ହେଲେ ନିଜ ନିଷ୍ପତ୍ତିର ସମୀକ୍ଷା କରିବା ଦରକାର ବୋଲି ସୁପ୍ରିମକୋର୍ଟ କେନ୍ଦ୍ରକୁ କହିଛନ୍ତି।
ଜମ୍ମୁ କଶ୍ମୀର ପ୍ରଶାସନ ପକ୍ଷରୁ ସଲିଟର ଜେନେରାଲ ତୁଷାର ମେହେଟା କୋର୍ଟରେ ପକ୍ଷ ରଖି କହିଛନ୍ତି ଜମ୍ମୁ କଶ୍ମୀରରେ ୯୯ ପ୍ରତିଶତ ପ୍ରତିବନ୍ଧକ ହଟାଇ ଦିଆଯାଇଛି। ଯେଉଁ କେତେକ ସ୍ଥାନରେ ପ୍ରତିବନ୍ଧକ ଲଗାଯାଇଛି ତାହା ସୁରକ୍ଷା ଦୃଷ୍ଟିରୁ। ଇଣ୍ଟରନେଟ ସଂଯୋଗ ହେବା ଦ୍ୱାରା ସୀମାପାର ଆତଙ୍କବାଦ ଅଧିକ ସକ୍ରିୟ ହେବାର ସମ୍ଭାବନା ରହିଛି ବୋଲି ସେ କହିଛନ୍ତି। ଏଥିପାଇଁ ଜମ୍ମୁ କଶ୍ମୀର ପ୍ରଶାସନ ପକ୍ଷରୁ ଏକ ସତ୍ୟପାଠ ମଧ୍ୟ ଦାଖଲ କରାଯାଇଛି।
ଜମ୍ମୁ କଶ୍ମୀରରେ ଧାରା ୩୭୦ ଉଚ୍ଛେଦ ହେବା ପରେ ସେଠିକାର ସ୍ଥାନୀୟ ସମାଜସେବୀ, ନେତା ଆଦି ସରକାରଙ୍କ ବିଭିନ୍ନ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଯାହାର ଶୁଣାଣି କରୁଛନ୍ତି ସୁପ୍ରିମକୋର୍ଟ।