ୟୁପିଏ ସରକାରରେ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ କାର୍ଯ୍ୟାଳୟ ଏବଂ ଘର ପର୍ଯ୍ୟନ୍ତ ପହଞ୍ଚ ରଖିଥିଲେ ବରିଷ୍ଠ ସାମ୍ୱାଦିକ ସଞ୍ଜୟ ବାରୁ। ଯେଉଁମାନେ ତାଙ୍କ ଦ୍ୱାରା ଲିଖିତ ବହି 'ଦ ଆକ୍ସିଡେଣ୍ଟାଲ୍ ପ୍ରାଇମମିନିଷ୍ଟର' ପଢ଼ିଛନ୍ତି ସେମାନେ ଜାଣିଥିବେ ମନରେଗା (ପ୍ରଥମେ ନରେଗା) ଯୋଜନା ପଛରେ ଆରଜେ଼ଡି ନେତା ତଥା ସେତେବେଳର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରଘୁବଂଶ ପ୍ରସାଦ ସିଂହଙ୍କ ଅବଦାନ। ଦେଶରେ କୋଟି କୋଟି ଗରିବ ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିଥିବା ଏହି ଯୋଜନା ପଛର ନାୟକ ରଘୁବଂଶ ବୋଲି ସଞ୍ଜୟ ବାରୁ 'ଦ ଆକ୍ସିଡେଣ୍ଟାଲ୍ ପ୍ରାଇମମିନିଷ୍ଟର'ରେ ଲେଖିଛନ୍ତି। ତେବେ ରଘୁବଂଶ କିନ୍ତୁ ଏହାର ଶ୍ରେୟ ନେବାକୁ ଚାହିଁ ନାହାନ୍ତି ପରିଣାମସ୍ୱରୂପ କଂଗ୍ରେସ ସରକାର ଏହାର ଶ୍ରେୟ ନେଇଛି। ଆଉ ଆଜି ବି ଗାଁ ଏବଂ ଗରିବ ଜାଣିଛନ୍ତି ଏହି ଯୋଜନା କଂଗ୍ରେସର। ସଞ୍ଜୟ ବାରୁଙ୍କ ବହି ଦୀର୍ଘ ୫ ବର୍ଷ ହେବା ପ୍ରକାଶିତ ହୋଇଛି। ଏଯାଏ ମନରେଗାକୁ ନେଇ କଂଗ୍ରେସ ମଧ୍ୟ କେବେ ଆପତ୍ତି ଜଣାଇନଥିବା ସୂଚନା ରହିଛି।
'ଦ ଆକ୍ସିଡେଣ୍ଟାଲ୍ ପ୍ରାଇମମିନିଷ୍ଟର'ର ଲେଖକ ଲେଖିଛନ୍ତି ଯେ ମନମୋହନ ସିଂ ଏବଂ ତତ୍କାଳୀନ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରଘୁବଂଶ ମନରେଗା କାର୍ଯ୍ୟକାରୀ ହେବା ପଛରେ ମୁଖ୍ୟ ଲୋକ ଥିଲେ। ସଞ୍ଜୟ ବାରୁ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ମୁଖ୍ୟ ମିଡିଆ ପରାମର୍ଶଦାତା ଥିଲେ। ତେବେ ଏହାର ଶ୍ରେୟ ରାହୁଲ ଗାନ୍ଧୀଙ୍କୁ ଦିଆଯିବା ଦରକାର ବୋଲି କଂଗ୍ରେସ କିଭଳି ଚାପ ପ୍ରୟୋଗ କରିଥିଲା ଏହାର ଉଦାହରଣ ମଧ୍ୟ ସଞ୍ଜୟ ବାବୁ 'ଦ ଆକ୍ସିଡେଣ୍ଟାଲ୍ ପ୍ରାଇମମିନିଷ୍ଟର'ରେ ଲେଖିଛନ୍ତି।
ସେ ଲେଖିଛନ୍ତି ଯେ ମନରେଗା ଯୋଜନାର ଶ୍ରେୟ ନେବା ପାଇଁ କଂଗ୍ରେସ ଦଳ ଏକ ସୁଚିନ୍ତିତ ଯୋଜନା କରିଥିଲା। ୨୬ ସେପ୍ଟେମ୍ବର ୨୦୦୭ ରେ ମନମୋହନ ସିଂହଙ୍କ ଜନ୍ମଦିନ ଥିଲା। ଏହି ସମୟରେ ରାହୁଲ ଦଳରେ ମହାସଚିବ ଥିଲେ। ଜନ୍ମଦିନ ଅବସରରେ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କିଛି କଂଗ୍ରେସ ନେତା ଏକାଠି ହୋଇ ମନମୋହନ ସିଂହଙ୍କୁ ଭେଟିଥିଲେ। ଏଥିସହ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ଏହି ଯୋଜନାକୁ ସମସ୍ତ ଜିଲ୍ଲାରେ କାର୍ଯ୍ୟକାରୀ କରାଇବା ଦରକାର ବୋଲି ରାହୁଲ୍ ସ୍ମାରକପତ୍ର ଜରିଆରେ କହିଥିଲେ।
ତେବେ ବାରୁଙ୍କୁ ପିଏମଓରୁ କୁହାଯାଇଥିଲା ଯେ ରାହୁଲ ପ୍ରଧାନମନ୍ତ୍ରୀଙ୍କୁ ସାରା ଦେଶରେ ମନରେଗା କାର୍ଯ୍ୟକାରୀ କରିବାକୁ କହିଛନ୍ତି। ଦ୍ୱିତୀୟ ଦିନରେ କଂଗ୍ରେସ ଚାହୁଁଥିବା ସମସ୍ତ ଖବରକାଗଜ ଏବଂ ଟିଭିରେ ସମାନ ଖବର ପ୍ରକାଶ ପାଇଲା। କିନ୍ତୁ ଇଣ୍ଡିଆନ୍ ଏକ୍ସପ୍ରେସରେ ତତ୍କାଳୀନ ବରିଷ୍ଠ ରାଜନୀତିକ ସାମ୍ବାଦିକ ଶିଶିର ଗୁପ୍ତା ଅଲଗା ଲେଖିଥିଲେ୍। ଯେମିତି ସଞ୍ଜୟ ବାରୁ କହିଥିଲେ।
ମନମୋହନ ସିଂହଙ୍କ କିନ୍ତୁ ଏହି ଯୋଜନା ବାବଦରେ ପୂର୍ବରୁ ଲାଲ କିଲ୍ଲାରୁ ଘୋଷଣା କରିସାରିଥିଲେ। ଏହି ଯୋଜନା ସାରା ଦେଶରେ ଲାଗୁ ହେବ ବୋଲି ସେ କହିସାରିଥିଲେ। ହେଲେ ସଞ୍ଜୟ ବାରୁ ଚାହୁଁଥିଲେ ଏହି ଯୋଜନାର ଶ୍ରେୟ ଆରଜେଡି ସାଂସଦ ତଥା ମନ୍ତ୍ରୀ ରଘୁବଂଶ ଏବଂ ପିଏମ୍ ମନମୋହନ ସଂହଙ୍କୁ ମଧ୍ୟ ଯିବା ଦରକାର।
ଖାଲି ଇଣ୍ଡିଆନ୍ ଏକ୍ସପ୍ରେସର ସାମ୍ୱାଦିକଙ୍କୁ ନୁହଁ ବରଂ ଅନ୍ୟ ସାମ୍ୱାଦିକଙ୍କୁ ମଧ୍ୟ ସଞ୍ଜୟ ବାରୁ ନିଜର ବାର୍ତ୍ତା ଏ ବାବଦରେ ପହଞ୍ଚାଇଥିଲେ। ପରେ କିନ୍ତୁ ମନମୋହନ ସିଂହଙ୍କ କାନରେ ଏ କଥା ପଡ଼ିଥିଲା। ସଞ୍ଜୟ ବାରୁଙ୍କୁ ନିଜ ଅଫିସକୁ ଡାକି ଗାଳିଗୁଲଜ କରିଥିଲେ। ଏମିତିକି ସେ ଶ୍ରେୟ ନେବା ପାଇଁ ଚାହୁଁ ନାହାନ୍ତି ବୋଲି ସଞ୍ଜୟଙ୍କୁ ମନମାହନ ସିଂହ କହିଥିଲେ ବୋଲି ଜଣାପଡ଼ିଛି।
ପୂର୍ବତନ କେନ୍ଦ୍ର ମନ୍ତ୍ରୀ ରଘୁବଂଶ ପ୍ରସାଦ ସିଂଙ୍କର ଆଜି ଦିଲ୍ଲୀ ଏମ୍ସରେ ଦେହାନ୍ତ ହୋଇଛି। ୭୪ ବର୍ଷ ବୟସରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ପରେ ଏମ୍ସରେ ଭର୍ତ୍ତି କରାଯାଇଥିଲା। ଦୁଇ ଦିନ ପୂର୍ବରୁ ତାଙ୍କ ଅବସ୍ଥା ବିଗିଡି ଯାଇଥିଲା। ନିଃଶ୍ୱାସ ନେବାରେ ଅସୁବିଧା ହେବା ପରେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ଏ ନେଇ ଦିଲ୍ଲୀ ଏମ୍ସ ସୂଚନା ଦେଇଛି।
ରଘୁବଂଶଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସମେତ, ବିଜେପି, ଜେଡିୟୁ, ଆରଜେଡି, କଂଗ୍ରେସ ଆଦି ଅନେକ ଦଳର ନେତା ଟ୍ୱିଟ୍ କରି ଶୋକ ପ୍ରକାଶ କରିଛନ୍ତି।
ସେ ବୈଶାଳୀର ସାଂସଦ ଥିଲେ। ହେଲେ ୨୦୧୪ ପାଖରୁ ସେ ନିର୍ବାଚନରେ ପରାଜୟ ହୋଇଥିଲେ। ଏହା ପୂର୍ବରୁ ସେ ପାଞ୍ଚ ଥର ଏହି ଆସନରୁ ସଂସଦକୁ ନିର୍ବାଚିତ ହୋଇଥିଲେ। ୩୨ ବର୍ଷ ଧରି ଆରଜେଡି ସହିତ ଥିଲେ। ମୃତ୍ୟୁର ଦୁଇ ଦିନ ପୂର୍ବରୁ ଦଳ ଉପରେ ଅସନ୍ତୋଷ ପ୍ରକାଶ କରି ୩୮ଟି ଶବ୍ଦରେ ନିଜ ଇସ୍ତଫା ପତ୍ର ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ନିକଟକୁ ପଠାଇଥିଲେ।