ନୂଆଦିଲ୍ଲୀ: ଭାରତରେ ରହୁଥିବା ରୋହିଙ୍ଗ୍ୟା ଶରଣାର୍ଥୀଙ୍କ ଭବିଷ୍ୟତ ନେଇ ନିଷ୍ପତ୍ତି ନେବେ ସର୍ବୋଚ୍ଚ ନ୍ୟାୟ୍ୟାଳୟ ଏକଥା କହିଛନ୍ତି ସ୍ଵରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ। ନୂଆ ଦିଲ୍ଲୀରେ ଆଜି ସଶସ୍ତ୍ର ସୀମା ବଳ SSBର ଏକ ସ୍ୱତନ୍ତ୍ର ଗୁଇନ୍ଦା ବିଭାଗର ଉଦ୍ଘାଟନ ଅବସରରେ ରାଜନାଥ ଏହା କହିଛନ୍ତି । ସେ କହିଛନ୍ତି ଯେ, ଏହି ପ୍ରସଙ୍ଗ ଏବେ ସୁପ୍ରିମକୋର୍ଟଙ୍କ ବିଚାରାଧୀନ ରହିଛି। ତେଣୁ ଯାହା ନିଷ୍ପତ୍ତି ନିଆଯିବା କଥା ତାହା ସୁପ୍ରିମକୋର୍ଟ ହିଁ ନେବେ। ମ୍ୟାନମାରରୁ ଭାରତ ଚାଲି ଆସିଥିବା ରୋହିଙ୍ଗ୍ୟା ସଂପ୍ରଦାୟ ଲୋକଙ୍କୁ ସେମାନଙ୍କ ଦେଶକୁ ପଠାଇ ଦିଆଯିବ ବୋଲି କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିଲେ। ତେବେ ସରକାରଙ୍କ ଏହି ନିଷ୍ପତ୍ତିକୁ ଚାଲେଞ୍ଜ୍ କରି ସୁପ୍ରିମକୋର୍ଟରେ ଏକ ପିଟିସନ ଦାଏର ହୋଇଥିଲା। କୋର୍ଟ ଆସନ୍ତା ଅକ୍ଟୋବର ୩ ତାରିଖରେ ଏହାର ଶୁଣାଣି କରିବାକୁ ଦିନ ଧାର୍ଯ୍ୟ କରିଛନ୍ତି। ସେପଟେ ମ୍ୟାନମାର ଚାଲିଆସି ଭାରତରେ ରହୁଥିବା ରୋହିଙ୍ଗ୍ୟା ଶରଣାର୍ଥୀମାନେ ଦେଶର ନିରାପତ୍ତା କ୍ଷେତ୍ରରେ ବଡ଼ ବିପଦ ବୋଲି ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଦାଖଲ ସତ୍ୟପାଠରେ ଦର୍ଶାଯାଇଛି । ତେଣୁ ଏ କ୍ଷେତ୍ରରେ ରୋହିଙ୍ଗ୍ୟାମାନଙ୍କୁ ଦେଶ ବାହାରକୁ ବିତାଡ଼ିତ କରାଯିବ କି ନାହିଁ, ସେ ନେଇ କେନ୍ଦ୍ର ସରକାରଙ୍କ ଅପେକ୍ଷା ସୁପ୍ରିମକୋର୍ଟ ସ୍ୱଚ୍ଛ ଏବଂ ନ୍ୟାୟୋଚିତ ଭାବେ କିଛି ନିଷ୍ପତ୍ତି ନେବାକୁ କେନ୍ଦ୍ର ସରକାର ସତ୍ୟପାଠ ଜରିଆରେ ନିବେଦନ କରିଛନ୍ତି।
କିଏ ଏହି ରୋହିଙ୍ଗ୍ୟା
ମ୍ୟାନ୍ମାର୍ର ଉତ୍ତର-ପଶ୍ଚିମ ଅଞ୍ଚଳ ରାଖିନ୍ ପ୍ରଦେଶର ମୂଳ ବାସିନ୍ଦା ହେଉଛନ୍ତି ରୋହିଙ୍ଗ୍ୟା ମୁସଲମାନ। ୧୮୨୬ରେ ବ୍ରିଟିସରମାନେ ଏହି ଅଞ୍ଚଳ ଦଖଲ କଲାପରେ ପୂର୍ବ ବଙ୍ଗ ଅଞ୍ଚଳରୁ ଆସି ଏମାନେ ଶ୍ରମିକ ଭାବରେ କାର୍ଯ୍ୟ କରୁଥିଲେ। ୧୯୭୧ରେ ବାଂଲାଦେଶରେ ମୁକ୍ତି ଯୁଦ୍ଧ ଆରମ୍ଭ ହୋଇଥିଲା। ପରେ ଲକ୍ଷ ଲକ୍ଷ ବଙ୍ଗାଳୀ ମୁସଲମାନ ଦେଶ ଛାଡ଼ି ପଳାଇ ଯାଇ ପୁଣି ରାଖିନ୍ ପ୍ରଦେଶରେ ଆଶ୍ରୟ ନେଲେ। ଫଳରେ ବର୍ମାର ସଂଖ୍ୟାଗରିଷ୍ଠ ବୌଦ୍ଧ ଗୋଷ୍ଠୀ ଏବଂ ଏହି ମୁସଲମାନଙ୍କ ମଧ୍ୟରେ ସଂଘର୍ଷ ଆରମ୍ଭ ହେଲା। ୧୯୮୨ରେ ବର୍ମାର ତତ୍କାଳୀନ ସରକାର ପ୍ରଣୟନ କରିଥିବା ଆଇନ ଅନୁଯାୟୀ ଏହି ମୁସଲମାନମାନେ ବର୍ମାର ନାଗରିକତ୍ୱ ଲାଭରୁ ବଞ୍ଚିତ ହେଲେ। ୧୯୯୪ପରଠାରୁ ବର୍ମା ସରକାର ରୋହିଙ୍ଗ୍ୟାଙ୍କୁ ଜନ୍ମ ପ୍ରମାଣ ପତ୍ର ପ୍ରଦାନ କରିବା ବନ୍ଦ କରିଦେଲେ। ଫଳରେ ସେମାନେ କୌଣସି ସରକାରୀ ସୁବିଧା ପାଇଲେ ନାହିଁ। ରାଖିନ୍ରେ ରହୁଥିବା ରୋହିଙ୍ଗ୍ୟାମାନଙ୍କ ମଧ୍ୟରେ ଏହାକୁନେଇ ତୀବ୍ର ଅସନ୍ତୋଷ ବୃଦ୍ଧିପାଇଲା। ପରିଣାମ ସୂରୁପ ଉଭୟ ବୌଦ୍ଧ ଏବଂ ରୋହିଙ୍ଗ୍ୟାଙ୍କ ମଧ୍ୟରେ ସଂଘର୍ଷ ଓ ହିଂସା ବଢିଲା। ରୋହିଙ୍ଗ୍ୟାମାନେ ନିର୍ଯାତନାର ଶିକାର ହେଲେ। ଫଳରେ ଭାରତକୁ ଅନୁପ୍ରବେଶ ବଢିଲା। କାଳକ୍ରମେ ଏହି ଅନୁପ୍ରବଶକାରୀଙ୍କ ସଂଖ୍ୟା ବଢି ଏବେ ୪୦,୦୦୦ ଛୁଇଁଛି।