ନୂଆଦିଲ୍ଲୀ: ଆର୍ଥିକ ନେଣଦେଣରେ ଗଡ଼ବଡ଼ କରିବା ଅଭିଯୋଗରେ ଫସିଥିବା ପଞ୍ଜାବ ମହାରାଷ୍ଟ୍ର କୋଅପରେଟିଭ(ପିଏମସି) ବ୍ୟାଙ୍କରେ ରହିଯାଇଛି ଗୁରୁଦ୍ୱାର ଗୁଡ଼ିକର ୧୦୦ କୋଟିରୁ ଅଧିକ ଟଙ୍କା। ଆସନ୍ତା ମାସ ନଭେମ୍ୱର ୧୨ରେ ଗୁରୁପର୍ବ ରହିଛି। ଏଥିପାଇଁ ଟଙ୍କା ଉଠାଇବାରେ ଅସୁବିଧା ହେଉଥିବା ଜଣାପଡ଼ିଛି। ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଶିଖ୍ ନେତା।
ଗତମାସରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ପଞ୍ଜାବ୍ ଆଣ୍ଡ ମହାରାଷ୍ଟ୍ର କୋପରୋଟିଭ୍ (ପିଏମସି) ବ୍ୟାଙ୍କରୁ ଟଙ୍କା ଉଠାଇବା ନିୟମରେ କଟକଣା ଲଗାଇଥିଲା। ପ୍ରଥମେ ୧୦୦୦ ଟଙ୍କା ତାପରେ ୧୦ ହଜାର ଶେଷରେ ୨୫ ହଜାର ଟଙ୍କା ଆଗାମୀ ୬ ମାସ ମଧ୍ୟରେ ଉଠାଇବା ପାଇଁ ଗ୍ରାହକଙ୍କୁ ଅନୁମତି ଦେଇଛି। ଗୁରୁପର୍ବରେ ମୋଟା ଅଙ୍କର ଟଙ୍କା ଖର୍ଚ୍ଚ ହେବାକୁ ଥିବା ବେଳେ ଆରବିଆଇର ନିୟମ ଅନୁଯାୟୀ ଟଙ୍କା ଉଠାଇଲେ ସମୁଦ୍ରକୁ ଶଙ୍ଖେ ସଦୃଶ ହେବ।
ଅନ୍ୟପଟେ ଶିରୋମଣୀ ଅକାଳୀ ଦଳ (ଏସଏଡ)ର ଜାତୀୟ ମୁଖପାତ୍ର ମନଜିନ୍ଦର ସିଂହ ଶିରସା କହିଛନ୍ତି ଆରବିଆଇ ଗୁରୁଦ୍ୱାରର ଟଙ୍କା ଫେରାଇବା ଉଚିତ୍।
ଏହି ବ୍ୟାଙ୍କ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ୪ ଜଣଙ୍କୁ ଗିରଫ କରିସାରିଛି। ଯେଉଁମାନଙ୍କ ମଧ୍ୟରେ ମିଛ ଆକାଉଣ୍ଟ ଜରିଆରେ ବ୍ୟାଙ୍କରୁ ଋଣ ନେଇଥିବା ହାଉସିଂ ଡେଭଲପମେଣ୍ଟ ଆଣ୍ଡ୍ ଇନଫ୍ରାଷ୍ଟକଚର ଲିମିଟେଡ୍ (ଏଚଡିଆଇଏଲ) ଅଧ୍ୟକ୍ଷ ରାକେଶ ଓ୍ୱଧଓ୍ୱନ୍ ଏବଂ ତାଙ୍କ ପୁଅ ସରଙ୍ଗ ଓ୍ୱଧଓ୍ୱନ୍, ବ୍ୟାଙ୍କରୁ ନିଲମ୍ୱିତ ମ୍ୟାନେଜିଂ ଡିରେକ୍ଟର ଜୟ ଥମାସ ଓ ପୂର୍ବତନ ବ୍ୟାଙ୍କ ଅଧ୍ୟକ୍ଷ ଓ୍ୱରୟମ ସିଂହ ରହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।