କାଏରୋ/ମସ୍କୋ: ଇଜିପ୍ଟରେ ଦୁର୍ଘଟଣାଗ୍ରସ୍ତ ରୁଷୀୟ ବିମାନର ବ୍ଲାକବକ୍ସ ଉଦ୍ଧାର ହୋଇଛି। ବିମାନର ଦୁଇଟି ଯାକ ବ୍ଲାକ ବକ୍ସ ମିଳିଥିବାରୁ ଦୁର୍ଘଟଣାର କାରଣ ସମ୍ପର୍କରେ ତଥ୍ୟ ମିଳିବା ଆଶା କରାଯାଉଛି। ଅନ୍ୟପକ୍ଷରେ ରୁଷର ଏହି ମେଟ୍ରୋଜେଟ୍ ଏୟାରବସ ବିମାନ ଦୁର୍ଘଟଣା ପାଇଁ ନିଜକୁ ଦାୟୀ କରିଥିବା ଇସଲାମିକ୍ ଷ୍ଟେଟ୍ ଆଇଏସର ଅନୁବନ୍ଧିତ ଏକ ଗୋଷ୍ଠୀର ଦାବିକୁ ଗ୍ରହଣ କରାଯାଇପାରିନି। ବିମାନକୁ ଆକ୍ରମଣ କରି ତଳକୁ ଖସାଇ ଦିଆଯାଇଥିବା ଏହି ଗୋଷ୍ଠୀ ଟ୍ୱିଟର ମାଧ୍ୟମରେ ଦାବି କରିଥିଲା। ତେବେ ଏହି ଦାବି ଯଥାର୍ଥ ନୁହେଁ ବୋଲି କହିଛନ୍ତି ରୁଷର ପରିବହନ ମନ୍ତ୍ରୀ। କାରଣ ଦୁର୍ଘଟଣାସ୍ଥଳୀ ସିନାଇ ଅଞ୍ଚଳରେ ଥିବା ଆତଙ୍କବାଦୀଙ୍କ ପାଖରେ ୩ହଜାର ଫୁଟ୍ ଉପରେ ଉଡୁଥିବା ବିମାନକୁ ଖସାଇ ଦେବା ଭଳି ମିଜାଇଲ୍ ବ୍ୟବହାର କରିବାର ଦକ୍ଷତାନାହି। ଅନ୍ୟପକ୍ଷରେ ଦୁର୍ଘଟଣା ପଛରେ ଅନ୍ୟ କୌଣସି ଅସ୍ୱାଭାବିକ କାରଣ ଅଛି କି ନାହିଁ, ସେନେଇ ଇଜିପ୍ଟ ପ୍ରଧାନମନ୍ତ୍ରୀ ଶରିଫ୍ ଇସମାଇଲ୍ ଗଣମାଧ୍ୟମକୁ ସ୍ପଷ୍ଟ କରିନାହାନ୍ତି। ପରବର୍ତ୍ତୀ ତଦନ୍ତ ପରେ ହିଁ ଦୁର୍ଘଟଣାର କାରଣ ସମ୍ପର୍କରେ ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି।
ତଦନ୍ତରେ ଇଜିପ୍ଟ ସମେତ ରୁଷର ବିଶେଷଜ୍ଞମାନେ ମଧ୍ୟ ସାମିଲ ହେବେ ବୋଲି ଇଜିପ୍ଟର ରାଷ୍ଟ୍ରପତି ରୁଷ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ଗତକାଲି ରୁଷ ଏୟାରଲାଇନ୍ସର ଏହି ଯାତ୍ରୀବାହୀ ବିମାନଟି ଇଜିପଟର ସର୍ମ ଏଲ ଶେଖରୁ ସେଣ୍ଟ ପିଟର୍ସବର୍ଗ ଅଭିମୁଖେ ଯାଉଥିବା ବେଳେ ଇଜିପ୍ଟର ସିନାଇ ପ୍ରଦେଶ ଅଞ୍ଚଳରେ ତଳକୁ ଖସିପଡିଥିଲା। ଏଥିରେ ବିମାନରେ ଥିବା ସମସ୍ତ ୨୨୪ଯାତ୍ରୀ ପ୍ରାଣ ହରାଇଛନ୍ତି। ଏମାନଙ୍କ ମଧ୍ୟରୁ ପ୍ରାୟ ଦେଢ଼ଶହ ଲୋକଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ଇଜିପ୍ଟ ଉଦ୍ଧାରକାରୀ ଦଳ ସୂଚନା ଦେଇଛି।