ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ବିପକ୍ଷ ଦଳଗୁଡିକ ନିଜ ଭୋଟ ବ୍ୟାଙ୍କ ସୁଦୃଢ଼ କରିବାକୁ ଯାଇ ଦେଶବାସୀଙ୍କୁ ଭ୍ରମିତ କରୁଛନ୍ତି ବୋଲି କହିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହ। ସେ କହିଛନ୍ତି ଯେ, ଆସାମ National Register of Citizens ବା NRCରେ ପ୍ରଥମ ଦଫା ତାଲିକା ପ୍ରକାଶ ହୋଇଛି। ଏଥିରେ ସେହି ଲୋକମାନଙ୍କୁ ବାଦ୍ ଦିଆଯାଇଛି, ଯେଉଁମାନେ ଭାରତୀୟ ହେବାର ଗୋଟିଏ ମଧ୍ୟ ପ୍ରମାଣ ଦେଖାଇ ପାରି ନାହାନ୍ତି। ଏଣୁ ଭାରତୀୟ ନାଗରିକ ଏଥିରେ ବିଭ୍ରାନ୍ତ ହେବାର କୌଣସି କାରଣ ନାହିଁ।
ଗତ ୨ ଦିନ ଧରି NRC ପ୍ରସଙ୍ଗରେ ପାର୍ଲିଆମେଣ୍ଟରେ ତମ୍ବି ତୋଫାନ ହୋଇଥିଲା । ଶାହ ଅଭିଯୋଗ କରିଛନ୍ତି ଯେ, ତାଙ୍କୁ ଏ ବାବଦରେ ନିଜ ମତ ରଖିବାକୁ ଦିଆଗଲା ନାହିଁ। ଅଯଥା ପାଟିତୁଣ୍ଡ କରି ସଦନର କାର୍ଯ୍ୟ ବ୍ୟାହତ କରାଗଲା। ତେଣୁ ସେ ବାଧ୍ୟହୋଇ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରିଛନ୍ତି।
କଡ଼ା ଭାଷାରେ ଶାହ କହିଛନ୍ତି, କଂଗ୍ରେସ ଆସାମରେ ଅନୁପ୍ରବେଶ କରି ରହୁଥିବା ଅଣ ଭାରତୀୟ ବା ବାଂଲାଦେଶୀମାନଙ୍କୁ ବାହାର କରିବା ଲାଗି ସାହସ ଜୁଟାଇ ପାରୁନାହିଁ। ହେଲେ ଭୋଟ ବ୍ୟାଙ୍କ କାଳେ ଚାଲିଯିବ, ସେ ଡରରେ ମୂଳ ପ୍ରସଙ୍ଗରୁ ଦୂରେଇ ଯାଉଛି।
“୨ ଦିନ ଧରି ଏନ୍ଆରସି ପ୍ରସଙ୍ଗରେ ବିଭ୍ରାନ୍ତିକର ମନ୍ତବ୍ୟ ଦିଆଯାଉଛି। କୁହାଯାଉଛି କି, ଏନ୍ଆରସି ବାହାନାରେ ଦେଶର ୪୦ ଲକ୍ଷ ଭାରତୀୟ ନାଗରିକଙ୍କୁ ଅବୈଧ ଘୋଷଣା କରାଯାଇଛି। ଯାହାକି ସମ୍ପୁର୍ଣ୍ଣ ଭୁଲ୍” ବୋଲି କହିଛନ୍ତି ଶାହ। ଏପରିକି ଏହା ଚୁଡାନ୍ତ ସଂଖ୍ୟା ନୁହେଁ ବୋଲି ମଧ୍ୟ ସେ କହିଛନ୍ତି।
ଆସାମରେ ଅନୁପ୍ରବେଶକାରୀଙ୍କୁ ହଟାଇବାର ପ୍ରକ୍ରିୟା ରାଜୀବ ଗାନ୍ଧିଙ୍କ ସମୟରୁ ଆରମ୍ଭ ହୋଇଥିଲା। ହେଲେ ଦୁର୍ଭାଗ୍ୟ ଯେ, ଆଜି ଖୋଦ୍ କଂଗ୍ରେସ ଏହାର କ୍ରିୟାନ୍ୱୟନରେ ପ୍ରତିବନ୍ଧକ ସାଜିଛି। ଏଣୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ନିଜ ଆଭିମୁଖ୍ୟ ସ୍ପଷ୍ଟ କରିବା ଦରକାର ବୋଲି ଶାହ ମତ ଦେଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।