ମୁମ୍ୱାଇ: ବିନା ଲୁଣରେ ଭାରତୀୟ କୌଣସି ଖାଦ୍ୟ ପ୍ରସ୍ତୁତ କରନ୍ତି ନାହିଁ। ସ୍ଥିତି ଯେତେ ଖରାପ ହେଉ ନା କାହିଁକି ଅନେକ ସ୍ଥିତିରେ ଲୋକମାନେ ଭାତ ଓ ଲୁଣ ଖାଇ ନିଜର ଭୋକ ମେଣ୍ଟାଉଥିବାର ନଜିର ରହିଛି। ଏବେ ଏହି ଲୁଣର ସଙ୍କଟ ଆଗାମୀ ଦିନରେ ଦେଖାଦେବ। କରୋନା ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶ ଏବେ ଲକଡାଉନ୍ ରହିଛି। ଏହାର ପ୍ରଭାବରେ ଲୁଣ ଫ୍ୟାକ୍ଚ୍ରିରେ ଉତ୍ପାଦନ କମିଯାଇଛି। ଏଥିସହ କର୍ମଚାରୀ ଅଭାବ ଏବଂ ଆନ୍ତଃଜିଲ୍ଲା ଗସ୍ତ ଉପରେ କଟକଣା ରହିଛି। ତେଣୁ ଏଭଳି ସ୍ଥିତି ଉପୁଜିପାରେ ବୋଲି ଉଭୟ ଲୁଣ ଚାଷୀ ଏବଂ ଲୁଣ ଫ୍ୟାକ୍ଟ୍ରିର ମାଲିକ ଆକଳନ କରିଛନ୍ତି।
ସାଧାରଣତଃ ଲୁଣର ଉତ୍ପାଦନ ଅକ୍ଟୋବରରୁ ଜୁନ୍ ମଧ୍ୟରେ ହୁଏ। ହେଲେ ମାର୍ଚ୍ଚ ଏବଂ ଏପ୍ରିଲରେ ଅଧିକାଂଶ ଉତ୍ପାଦନ ହୋଇଥାଏ। ଅଧିକ ଉତ୍ପାଦନର କାରଣ ଗ୍ରୀଷ୍ମ ବୋଲି ମଧ୍ୟ ହୋଇପାରେ। ଗୁଜରାଟ, ରାଜସ୍ଥାନ, ଆନ୍ଧ୍ର ପ୍ରଦେଶ, ତାମିଲନାଡୁ ୯୫ ପ୍ରତିଶତ ଲୁଣ ଉତ୍ପାଦନ କରିଥାନ୍ତି। ଏହାବାଦ ମହାରାଷ୍ଟ୍ର, ଓଡ଼ିଶା ଏବଂ ପଶ୍ଚିମବଙ୍ଗରେ ବହୁତ କମ୍ ଲୁଣ ଉତ୍ପାଦନ ହୋଇଥାଏ। ବର୍ଷକୁ ପାଖାପାଖି ୨୦୦-୨୫୦ ଟନ୍ ଲୁଣ ଦେଶବାସୀ ବ୍ୟବହାର କରନ୍ତି ବୋଲି ସୂଚନା ରହିଛି।
ମାର୍ଚ୍ଚ ୨୪ରୁ ଦେଶ ଲକଡାଉନ୍ ରହିଛି। ଏଯାବତ ମେ’ ୧୭ ରହିଛି ଲକଡାଉନ୍ ଅବଧି। ଆଗକୁ କ’ଣ ହେବ କହି ହେବନି। ୪୦ ଦିନ ବିତି ସାରିଛି। ଏହି ସମୟରେ ଯେଉଁ ଲୁଣ ଉତ୍ପାଦନ ହେବାର ଥିଲା ତାହା ବନ୍ଦ ରହିଛି। ତେଣୁ ଏହାର ପ୍ରଭାବ ଆଗାମୀ ଦିନରେ ପଡ଼ିବ ବୋଲି ଭାରତୀୟ ଲବଣ ଉତ୍ପାଦ ସଂଘର ସଭାପତି ଭାରତ ରଭଲ କହିଛନ୍ତି।
ହାତରେ ଆଉ ୪୫ ଦିନ ରହିଛି। ତେଣୁ ସୀମିତ ସମୟ ମଧ୍ୟରେ ଆବଶ୍ୟକ ଲୁଣ ଆଉ ଉତ୍ପାଦନ କରିହେବ ନାହିଁ ବୋଲି ସେ କହିଛନ୍ତି। ଆଗକୁ ବର୍ଷା ଋତୁ ଆସୁଛି। ତେଣୁ ଏହି ସମୟରେ ଲୁଣ ଉତ୍ପାଦନ ସ୍ୱାଭାବିକ ଭାବରେ କମିବ ବୋଲି ସେ କହିଛନ୍ତି। ଯଦି ବର୍ଷା ବିଳମ୍ୱ ହେବ ତା’ହେଲେ ଲୁଣ ଉତ୍ପାଦନ ବଢ଼ିପାରିବ ବୋଲି ସେ କହିଛନ୍ତି।
ଗୁଜୁରାଟ, ଆନ୍ଧ୍ର ପ୍ରଦେଶ ଏବଂ ତାମିଲନାଡୁର ଲୁଣ ଉତ୍ପାଦନକାରୀମାନେ କହିଛନ୍ତି ଅନ୍ୟାନ୍ୟ ରାଜ୍ୟର ଶ୍ରମିକମାନେ ଆସି ଲୁଣ ଉତ୍ପାଦନରେ ନିୟୋଜିତ ଥିଲେ। ଏବେ ଲକଡାଉନ୍ ପାଇଁ ଶ୍ରମିକମାନେ ଘରକୁ ପଳାଇଛନ୍ତି।
ସୂଚନାଯୋଗ୍ୟ, ଭାରତୀୟମାନେ ପ୍ରତିବର୍ଷ ୯୫ ଲକ୍ଷ ଟନ୍ ଲୁଣ ଖାଇଥା’ନ୍ତି। ପ୍ରତିବର୍ଷ କିନ୍ତୁ ୧୧୦ - ୧୩୦ ଲକ୍ଷ ଟନ୍ ଖାଇବା ଲୁଣ ଉତ୍ପାଦନ ହୁଏ। ୫୮ - ୬୦ ଲକ୍ଷ ଟନ୍ ଲୁଣ ଭାରତ ରପ୍ତାନୀ କରିଥାଏ। ଖାଇବା ବ୍ୟତୀତ ପାୱାର ପ୍ଲାଣ୍ଟ, ତୈଳ ବିଶୋଧନାଗାର, ସୌର ଶକ୍ତି କମ୍ପାନୀ, ରାସାୟନିକ ଉତ୍ପାଦକ, ବୟନ ଶିଳ୍ପ, ଫାର୍ମାସ୍ୟୁଟିକାଲ୍ସ, ରବର ଏବଂ ଚମଡ଼ା କାରଖାନାରେ ମଧ୍ୟ ଲୁଣ ବ୍ୟବହୃତ ହୁଏ।