ନୂଆଦିଲ୍ଲୀ: ୨୫ କଂଗ୍ରେସ ସାଂସଦଙ୍କ ନିଲମ୍ୱନ ପ୍ରତିବାଦରେ ଆଜି କ୍ରମାଗତ ତୃତୀୟ ଦିନ ଲାଗି କଂଗ୍ରେସ ସାଂସଦମାନେ ଗାନ୍ଧୀ ମୂର୍ତ୍ତି ତଳେ ଧାରଣାରେ ବସିଥିଲେ। ନିଲମ୍ୱନ ନିଷ୍ପତ୍ତିର ପ୍ରତିବାଦ କରି କଂଗ୍ରେସ ସାଂସଦମାନେ ପ୍ଲାକାର୍ଡ ପ୍ରଦର୍ଶନ କରିଥିଲେ। ଗତ ୩ ଦିନ ହେବ କଂଗ୍ରେସ ସାଂସଦମାନେ ଧାରଣା ଦେବା ସହ ଲୋକସଭାକୁ ବୟକଟ୍ କରିଛନ୍ତି। ସେପଟେ ସାଂସଦଙ୍କ ନିଲମ୍ୱନ ପ୍ରସଙ୍ଗକୁ ନେଇ ଆଜି ବି ରାଜ୍ୟସଭାରେ ବିରୋଧୀ ସଦସ୍ୟମାନେ ହଟ୍ଟଗୋଳ କରିଥିଲେ। ଫଳରେ ଉପାଧ୍ୟକ୍ଷ ଗୃହକୁ ପ୍ରଥମେ ଦିନ ୧୨ଟା ଓ ପରେ ଦିନ ୨ଟା ପର୍ଯ୍ୟନ୍ତ ମୁଲତବୀ ରଖିଛନ୍ତି।
ଏହାପୂର୍ବରୁ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂ ରାଜ୍ୟସଭାରେ ବୁଧବାର ଜମ୍ମୁର ଉଦ୍ଦାମପୁରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ନେଇ ଆଜି ବିବୃତି ରଖିଥିଲେ। ଆକ୍ରମଣରେ ସାମିଲ ଆତଙ୍କବାଦୀ ଧରାପଡିବା ଓ ଏହାକୁ ଧରାଇଥିବା ଉଦ୍ଦାମପୁରର ଯୁବକଙ୍କୁ ରାଜନାଥ ପ୍ରଶଂସା କରିଥିଲେ। ଆକ୍ରମଣରେ ସହିଦ ଦୁଇ ଯବାନଙ୍କୁ ରାଜନାଥ ଶ୍ରଦ୍ଧାଞ୍ଜଳି ଦେବା ସହ ସେମାନଙ୍କ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି।