ନେପାଳ: ସପ୍ତାହେ ପରେ ଧ୍ୱଂସାବଶେଷରୁ ୧୦୫ ବର୍ଷର ବୃଦ୍ଧ ଜୀବିତ ଉଦ୍ଧାର

କାଠମାଣ୍ଡୁ: ନେପାଳ ଭୂକଂପକୁ ସପ୍ତାହେ ବିତି ଯାଇଛି । ତଥାପି ଆହୁରି ଅନେକ ଲୋକ ଧ୍ୱସ୍ତ କୋଠାଗୁଡ଼ିକ ତଳେ ଫସି ରହିଛନ୍ତି। ସେମାନେ ଆଉ ଜୀବିତ ଥିବାର କୌଣସି ଆଶା ନାହିଁ ବୋଲି ଖୋଦ ନେପାଳ ସରକାର କହିଥିବା ବେଳେ ଆଜି ଘଟିଛି ଏକ ଚମକ୍ରାର। ଏହି ଭୟାବହ ଭୂକଂପ ଘଟିବାର ୧୬୮ ଘଣ୍ଟା ପରେ ଏକ ଧ୍ୱସ୍ତ କୋଠା ମଧ୍ୟରୁ ଜଣେ ୧୦୫ ବର୍ଷର ବୃଦ୍ଧଙ୍କୁ ଜୀବିତ ଉଦ୍ଧାର କରାଯାଇଛି। ପୁଣି ସେ ସୁସ୍ଥ ଅଛନ୍ତି। […]

nepalrescue

Rakesh Mallick
  • Published: Sunday, 03 May 2015
  • , Updated: 04 May 2017, 03:45 PM IST

କାଠମାଣ୍ଡୁ: ନେପାଳ ଭୂକଂପକୁ ସପ୍ତାହେ ବିତି ଯାଇଛି । ତଥାପି ଆହୁରି ଅନେକ ଲୋକ ଧ୍ୱସ୍ତ କୋଠାଗୁଡ଼ିକ ତଳେ ଫସି ରହିଛନ୍ତି। ସେମାନେ ଆଉ ଜୀବିତ ଥିବାର କୌଣସି ଆଶା ନାହିଁ ବୋଲି ଖୋଦ ନେପାଳ ସରକାର କହିଥିବା ବେଳେ ଆଜି ଘଟିଛି ଏକ ଚମକ୍ରାର। ଏହି ଭୟାବହ ଭୂକଂପ ଘଟିବାର ୧୬୮ ଘଣ୍ଟା ପରେ ଏକ ଧ୍ୱସ୍ତ କୋଠା ମଧ୍ୟରୁ ଜଣେ ୧୦୫ ବର୍ଷର ବୃଦ୍ଧଙ୍କୁ ଜୀବିତ ଉଦ୍ଧାର କରାଯାଇଛି। ପୁଣି ସେ ସୁସ୍ଥ ଅଛନ୍ତି। ତାଙ୍କ ନାଁ ଫଞ୍ଚୁ ଘଲେ। ଏହାକୁ ସମସ୍ତେ ଅଲୌକିକ ବୋଲି କହୁଛନ୍ତି।
ଉଦ୍ଧାର କରାଯିବା ପରେ ଫଞ୍ଚୁଙ୍କୁ ହେଲିକପ୍ଟର ଯୋଗେ ତ୍ରିଶୂଳୀ ନିଆଯାଇ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଏହି ବୃଦ୍ଧଙ୍କୁ ନୁବାକୋଟର କିମତାଙ୍ଗ ଗାଁରୁ ଜୀବିତ ଉଦ୍ଧାର କରାଯାଇଛି। ଆଜି ଏଠାରେ ଉଦ୍ଧାର କାର୍ଯ୍ୟ ଚାଲିଥିବା ବେଳେ ସ୍ଥାନୀୟ ପୁଲିସ ଓ ଲୋକମାନେ ଏହି ବୃଦ୍ଧଙ୍କୁ ଉଦ୍ଧାର କରିଥିଲେ। ଭୂମିକଂପ ପରେ ଧ୍ୱସ୍ତ କୋଠା ତଳେ ଚପି ଯାଇଥିବା ଏହି ବୃଦ୍ଧ ଜଣଙ୍କ ଆଉ ଜୀବିତ ନଥିବେ ବୋଲି ଗାଁ ଲୋକମାନେ ଭାବି ନେଇଥିଲେ । କିନ୍ତୁ ତାଙ୍କୁ ଜୀବିତ ଉଦ୍ଧାର କରାଯିବା ପରେ ଗାଁ ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେ ଆହତ ହୋଇନଥିଲେ। ବେଶ୍ ସୁସ୍ଥ ଦେଖାଯାଉଥିଲେ। ଏହା ଲୋକଙ୍କ ଆଶ୍ଚର୍ଯ୍ୟକୁ ଦ୍ୱିଗୁଣିତ କରି ଦେଇଥିଲା।

ସେହିପରି ଏହି ଭୟାବହ ଭୂକମ୍ପର ୫ ଦିନ ପରେ ଏପ୍ରିଲ ୩୦ ତାରିଖରେ କାଠମାଣ୍ଡୁର ଏକ ଧ୍ୱସ୍ତବିଧ୍ୱସ୍ତ ଗେଷ୍ଟହାଉସରୁ ଜଣେ ଯୁବକଙ୍କୁ ଜୀବିତ ଉଦ୍ଧାର କରାଯାଇଥିଲା। ତାଙ୍କ ନାଁ ପେମ୍ବା ଲାମା। ତାଙ୍କୁ ପ୍ରାୟ ୧୬ ବର୍ଷ ହେବ।

ତା’ପୂର୍ବରୁ ଏହି ବଡ଼ ଭୂକଂପ ଘଟିବାର ପ୍ରାୟ ୮୨ ଘଣ୍ଟା ପରେ ଗତ ମଙ୍ଗଳବାର ରାତିରେ ଜଣେ ୨୮ ବର୍ଷୀୟ ଯୁବକଙ୍କ ଏକ ଭୁଶୁଡ଼ି ପଡ଼ିଥିବା ହୋଟେଲ ମଧ୍ୟରୁ ଉଦ୍ଧାର କରାଯାଇଥିଲା। ତାଙ୍କ ଓଠ ଫାଟି ଯାଇଥିଲା। ଆଙ୍ଗୁଠି ଧଳା ହୋଇଯିବା ଆରମ୍ଭ କରିଥିଲା। ଉଦ୍ଧାର ପରେ ଯୁବକ ଜଣଙ୍କ କହିଥିଲେ ଯେ ସେ ପରିସ୍ରା ପିଇ ଜୀବିତ ଥିଲେ।

ଏହି ଭୂକଂପର ପ୍ରାୟ ୨୨ ଘଣ୍ଟା ପରେ ଭକ୍ତପୁର ସହରରେ ଏକ ଭଙ୍ଗା କୋଠା ମଧ୍ୟରୁ ଗୋଟିଏ ଚାରି ବର୍ଷର ଶିଶୁକୁ ଜୀବିତ ଉଦ୍ଧାର କରାଯାଇଥିଲା। ଉଦ୍ଧାରକାରୀ ଦଳ ଓ ଯବାନମାନେ ପ୍ରଥମେ ଯେତେବେଳେ ସେଠାରେ ଖୋଜାଖୋଜି କରି ଥିଲେ ଛୁଆଟିକୁ ପାଇ ନ ଥିଲେ। କିନ୍ତୁ ପରେ ଧ୍ୱସ୍ତ କୋଠାର ଏକ ସ୍ଥାନରୁ ସେମାନେ ଛୁଆଟିର କାନ୍ଦ ଶୁଣିପାରିଲେ। ତେଣୁ ସେମାନେ ପୁଣି ଖୋଜାଖୋଜି କଲେ । ତା’ପରେ ଛୁଆଟିକୁ ଉଦ୍ଧାର କରାଯାଇଥିଲା। ଛୁଆଟିର ନାଁ ସୋନିତ ଅୱାଲ। ତା’ଶରୀର ଭିତରେ କୌଣସି ପ୍ରକାର ଆଘାତ ହୋଇନଥିଲା।

Related story