ଏସ୍‌ସି ଓ ଏସ୍‌ଟି ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫି’ ୨୪ ଗୁଣା ବଢ଼ିଲା

ନୂଆଦିଲ୍ଲୀ: ସିବିଏସ୍‌ଇ ଅଧୀନରେ ଥିବା ସ୍କୁଲଗୁଡ଼ିକରେ ପଢ଼ୁଥିବା ଅନୁସୂଚିତ ଜାତି ଏବଂ ଜନଜାତି ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫି’କୁ ୨୪ ଗୁଣା ବଢ଼ାଇଛନ୍ତି କତ୍ତୃପକ୍ଷ। ଫଳରେ ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ପରୀକ୍ଷା ପାଇଁ ସେମାନଙ୍କୁ ୫୦ ଟଙ୍କା ବଦଳରେ ଏବେ ୧୨୦୦ ଟଙ୍କା ଦେବାକୁ ହେବ। ଅନ୍ୟପକ୍ଷରେ ସାଧାରଣ ବର୍ଗର ଛାତ୍ରଛାତ୍ରୀଙ୍କୁ ପୂର୍ବ ଫି’ର ୨ ଗୁଣ ଅର୍ଥାତ ୧୫୦୦ ଟଙ୍କା ପଇଠ କରିବାକୁ ପଡ଼ିବ। ଦଶମ ଶ୍ରେଣୀର ପରୀକ୍ଷା ପାଇଁ ପିଲାମାନଙ୍କୁ ନବମ ଶ୍ରେଣୀରୁ ହିଁ […]

cbse

Subrat Kumar Nayak
  • Published: Sunday, 11 August 2019
  • , Updated: 11 August 2019, 05:23 PM IST

ନୂଆଦିଲ୍ଲୀ: ସିବିଏସ୍‌ଇ ଅଧୀନରେ ଥିବା ସ୍କୁଲଗୁଡ଼ିକରେ ପଢ଼ୁଥିବା ଅନୁସୂଚିତ ଜାତି ଏବଂ ଜନଜାତି ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫି’କୁ ୨୪ ଗୁଣା ବଢ଼ାଇଛନ୍ତି କତ୍ତୃପକ୍ଷ। ଫଳରେ ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ପରୀକ୍ଷା ପାଇଁ ସେମାନଙ୍କୁ ୫୦ ଟଙ୍କା ବଦଳରେ ଏବେ ୧୨୦୦ ଟଙ୍କା ଦେବାକୁ ହେବ। ଅନ୍ୟପକ୍ଷରେ ସାଧାରଣ ବର୍ଗର ଛାତ୍ରଛାତ୍ରୀଙ୍କୁ ପୂର୍ବ ଫି'ର ୨ ଗୁଣ ଅର୍ଥାତ ୧୫୦୦ ଟଙ୍କା ପଇଠ କରିବାକୁ ପଡ଼ିବ।

ଦଶମ ଶ୍ରେଣୀର ପରୀକ୍ଷା ପାଇଁ ପିଲାମାନଙ୍କୁ ନବମ ଶ୍ରେଣୀରୁ ହିଁ ପଞ୍ଜୀକରଣ କରିବାକୁ ହୁଏ। ସେହିଭଳି ଏକାଦଶରେ ଦ୍ୱାଦଶ ଶ୍ରେଣୀ ପାଇଁ ପରୀକ୍ଷା ଫି’ ଭରିବାକୁ ହୁଏ। ଏବେ ବୋର୍ଡ ପକ୍ଷରୁ ଏହ ବିଷୟରେ ଘୋଷଣା କରାଯିବା ସହ ପଞ୍ଜୀକରଣ ଆରମ୍ଭ କରିବା ପାଇଁ ସମସ୍ତ ସ୍କୁଲକୁ କୁହାଯାଇଛି। ଯେଉଁମାନେ ପୂରୁଣା ଫି’ ଷ୍ଟ୍ରକଚରରେ ପଞ୍ଜୀକରଣ କରାଇଥିଲେ, ସେମାନଙ୍କୁ ଏବେ ବର୍ଦ୍ଧିତ ଫି'କୁ ଦାଖଲ କରିବାକୁ ହେବ। ନ'ହେଲେ ସେମାନେ ପରୀକ୍ଷା ଦେବାରୁ ବଞ୍ଚିତ ହେବେ ବୋଲି ସ୍ପଷ୍ଟ କରିଦିଆଯାଇଛି।

ବଦଳିଥିବା ନିୟମ ଅନୁଯାୟୀ, ଅନୁସୂଚିତ ଜାତି ଏବଂ ଜନଜାତି ଛାତ୍ରଛାତ୍ରୀମାନଙ୍କୁ ୫ଟି ବିଷୟ ପାଇଁ ୧୨୦୦ ଟଙ୍କା ଦେବାକୁ ହେବ। ଆଗରୁ ଏଥିପାଇଁ ସେମାନେ ମାତ୍ର ୫୦ ଟଙ୍କା ଦେଉଥିଲେ। ସାଧାରଣ ବର୍ଗ ପାଇଁ ଫି’ ୭୫୦ ଟଙ୍କା ଥିଲା।

ଅନ୍ୟପକ୍ଷରେ ଅତିରିକ୍ତ ବିଷୟ ପାଇଁ ପୂର୍ବରୁ ଏସ୍‌ସି ଓ ଏସ୍‌ଟି ଛାତ୍ରଛାତ୍ରୀଙ୍କୁ ଟଙ୍କାଟିଏ ବି ଅତିରିକ୍ତ ଫି’ ଦେବାକୁ ପଡ଼ୁନଥିଲା। କିନ୍ତୁ ଏବେ ସେମାନେ ଅତିରିକ୍ତ ବିଷୟ ପାଇଁ ୩୦୦ ଟଙ୍କା ଦେବେ। ସେହିଭଳି ସାଧାରଣ ବର୍ଗ ଛାତ୍ରଛାତ୍ରୀମାନେ ଅତିରିକ୍ତ ବିଷୟ ପାଇଁ ପୂର୍ବରୁ ୧୫୦ ଟଙ୍କା ଦେଉଥିଲେ, ଏବେ ୩୦୦ ଟଙ୍କା ଦେବେ। ମାଇଗ୍ରେସନ୍‌ ଫି’ ପୂର୍ବରୁ ୧୫୦ ଟଙ୍କା ଥିଲା। ଏହା ଏବେ ବଢ଼ି ୩୫୦ ଟଙ୍କା ହୋଇଥିବାର ସୂଚନା ମିଳିଛି।

ମିଳିଥିବା ସୂଚନା ଅନୁଯାୟୀ, ସମ୍ପୂର୍ଣ୍ଣ ଦୃଷ୍ଟି ବାଧିତ ଛାତ୍ରଛାତ୍ରୀମାନଙ୍କୁ କୌଣସି ଫି' ଦେବାକୁ ପଡ଼ିବ ନାହିଁ। କିନ୍ତୁ ଅନ୍ୟମାନେ ଶେଷ ତାରିଖ ସୁଦ୍ଧା ଫି’ ନ ଭରିଲେ ୨୦୧୯-୨୦ ଶିକ୍ଷାବର୍ଷ ପାଇଁ ପରୀକ୍ଷା ଦେବାରୁ ବଞ୍ଚିତ ହେବେ।

Related story