ଲକ୍ଷ୍ନୌ: ବାହାଘର ଭୋଜି ଖାଇ ଗାଁକୁ ଫେରୁଥିବା ବେଳେ କେନାଲକୁ ଖସି ପଡ଼ିଛି ବରଯାତ୍ରୀଙ୍କ ଗାଡି। ମୋଟ ୨୯ ଜଣ ଯାତ୍ରୀଙ୍କ ସହ ପିକ୍ ଅପ ଭ୍ୟାନଟି ଫେରୁଥିବା ବେଳେ ଓଲଟି ପଡ଼ିଛି। ଉତ୍ତର ପ୍ରଦେଶ ଲକ୍ଷ୍ନୌରେ ଆଜି ଭୋର ୩ଟାରେ ଏହି ଦୁର୍ଘଟଣା ଘଟିଛି। ୨୯ ଯାତ୍ରୀଙ୍କ ମଧ୍ୟରୁ ୭ ଜଣ ଶିଶୁଙ୍କର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ଏଯାଏ ସେମାନଙ୍କୁ ଉଦ୍ଧାର କରାଯାଇ ପାରିନାହିଁ। ବାକି ୨୨ ଜଣ ସୁରକ୍ଷିତ ଥିବା ସୂଚନା ରହିଛି।
ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ଏନଡିଆରଏଫ ଟିମ୍ ଓ ପୁଲିସ ପ୍ରଶାସନ ପହଞ୍ଚି କେନାଲ ଭିତରୁ ଲୋକଙ୍କୁ ଉଦ୍ଧାର କରିଛନ୍ତି। ସ୍ଥାନୀୟ ପୁଲସ ଅଧିକାରୀ ଏସକେ ଭଗତଙ୍କ ସୂଚନା ଅନୁଯାୟୀ ନିଶାଦ୍ରବ୍ୟ ସେବନ କରି ଡ୍ରାଇଭର ଗାଡି ଚଳାଉଥିବାରୁ ଏଭଳି ଦୁର୍ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ।
କେନାଲରେ ପାଣି ଅଧିକ ଥିବାରୁ ଛୋଟ ଛୁଆଙ୍କୁ ଉଦ୍ଧାର କରିବା ଏନଡିଆରଏଫ ଟିମ୍ ପାଇଁ କଷ୍ଟକର ହୋଇପଡ଼ିଛି। ଏବେ ବିଭିନ୍ନ ସ୍ଥାନରେ ଜାଲ ଟଣା ଯାଇ ଛୋଟ ଛୁଆଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ କରାଯାଉଛି।