ସରୀ ଆମ୍ମା : ଦି’ ବର୍ଷରେ ୩୦ ଜଣଙ୍କ ଦୁଷ୍କର୍ମର ଶିକାର ନାବାଳିକାର କୋହଭରା କଥା

ଥିରୁଅନନ୍ତପୁରମ: ପରିବାର ଆର୍ଥିକ ଅନଟନରେ ଥିଲେ ଅନେକ ସମୟରେ ଦାଦନର ଚିତ୍ର ସାମ୍ନାକୁ ଆସେ। ହେଲେ ଏବେ ଏହାର ଓଲଟା ଚିତ୍ର ସାମ୍ନାକୁ ଆସିଛି। ଆର୍ଥିକ ଅନଟନରୁ ମୁକୁଳିବା ପାଇଁ ବାପା ଓ ମାଆ ନିଜ ଝିଅକୁ ଯୌନ ବଜାରରେ ବିକ୍ରି କରି ଦେଇଛନ୍ତି। ଯେଉଁ ବୟସରେ ବାପାର ଆଙ୍ଗୁଳି ଧରି ଦୁନିଆରେ ଚାଲିବା ଶିଖିବାର ଥିଲା, ଗାଁ ଦାଣ୍ଡରେ ସାଙ୍ଗ ସାଥୀ ମେଳରେ ଖେଳିବାର ଥିଲା ସେହି ବୟସରେ ବାପା ଝିଅର ଆଙ୍ଗୁଳି ଧରି ଏକ […]

SORRY AMMA

Subhransu Sekhar
  • Published: Thursday, 26 September 2019
  • , Updated: 27 September 2019, 09:19 AM IST

ଥିରୁଅନନ୍ତପୁରମ: ପରିବାର ଆର୍ଥିକ ଅନଟନରେ ଥିଲେ ଅନେକ ସମୟରେ ଦାଦନର ଚିତ୍ର ସାମ୍ନାକୁ ଆସେ। ହେଲେ ଏବେ ଏହାର ଓଲଟା ଚିତ୍ର ସାମ୍ନାକୁ ଆସିଛି। ଆର୍ଥିକ ଅନଟନରୁ ମୁକୁଳିବା ପାଇଁ ବାପା ଓ ମାଆ ନିଜ ଝିଅକୁ ଯୌନ ବଜାରରେ ବିକ୍ରି କରି ଦେଇଛନ୍ତି। ଯେଉଁ ବୟସରେ ବାପାର ଆଙ୍ଗୁଳି ଧରି ଦୁନିଆରେ ଚାଲିବା ଶିଖିବାର ଥିଲା, ଗାଁ ଦାଣ୍ଡରେ ସାଙ୍ଗ ସାଥୀ ମେଳରେ ଖେଳିବାର ଥିଲା ସେହି ବୟସରେ ବାପା ଝିଅର ଆଙ୍ଗୁଳି ଧରି ଏକ ଅନ୍ଧାର ଘର ଭିତରକୁ ଯୌନ ପିଶାଚଙ୍କ ମୁହଁକୁ ଠେଲି ଦେଇଛି। ଯାହାକୁ ଲୋକଲଜ୍ୟା ଭୟରେ ୧୨ ବର୍ଷର ଝିଅଟି ନିଜ ଛାତିରେ ଚାପି ରଖିଥିଲା। ଆଉ କାହାକୁ କହି ନପାରି ନିଜ ଘର କବାଟରେ ଚକ୍ ଖଡ଼ିରେ ଲେଖିଦେଇଥିଲା ସରୀ ଆମ୍ମା (ଦୁଃଖିତ ମା’)।

ଏଭଳି କୁତ୍ସିତ କାରନାମା ଦେଖିବାକୁ ମିଳିଛି କେରଳ ଜିଲ୍ଲା ମଲ୍ଲପୁରମର ଚେଲାରୀରେ। ଜଣେ ୧୨ ବର୍ଷ ବୟସ୍କା ଝିଅ ୩୦ ଜଣ ଯୌନ ରାକ୍ଷସଙ୍କ ଦୁଷ୍କର୍ମର ଶିକାର ହୋଇଛି। ସପ୍ତମ ଶ୍ରେଣୀରେ ଏବେ ପାଠ ପଢ଼ୁଛି ଝିଅଟି। ଏହି ଦୁଷ୍କର୍ମ ଘଟଣା ସାମ୍ନାକୁ ଆସିବା ପରେ ତିରୁଅଙ୍ଗାଡି ପୁଲିସ୍ ୩ ଜଣଙ୍କୁ ଗିରଫ୍ କରିଛି। ଗିରଫଙ୍କ ମଧ୍ୟରେ ଝିଅର ବାପା ରହିଛି। ଅନ୍ୟ ଦୁଇ ଗିରଫ ଦୁଷ୍କର୍ମକାରୀ ହେଲେ ଅସରଫ ଏବଂ ଶ୍ୟାଜୁ। ଏହି ତିନି ଜଣଙ୍କ ବିରୋଧରେ ପୁଲିସ୍ ଏବେ ପକସୋ ଆକ୍ଟ ୨୦୧୨ ଅନୁଯାୟୀ ମାମଲା ରୁଜୁ କରିଛି।

ତଦନ୍ତ ବେଳେ ପୀଡ଼ିତା ସ୍ୱୀକାର କରିଛି ଯେ ସେ ୨ ବର୍ଷ ହେଲା ୩୦ ଜଣଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଛି। ତେବେ ସମସ୍ତଙ୍କୁ ପୀଡ଼ିତା ଏବେ ଚିହ୍ନି ପାରୁନଥିବା ଜଣାପଡ଼ିଛି।

ଦୁଷ୍କର୍ମର ଶିକାର ହେବା ପରେ ଏହି ନାବାଳିକା ପ୍ରତିଦିନ ସ୍କୁଲ ଆସୁନଥିଲା। ଏମିତିକି ଝିଅଟିର ବ୍ୟବହାର ଏବଂ ମାନସିକ ସ୍ଥିତି ଠିକ୍ ରହୁନଥିବା ସ୍କୁଲ କର୍ତ୍ତୃପକ୍ଷ ଜାଣିବାକୁ ପାଇଥିଲେ। ଏହାପରେ ସ୍କୁଲ କର୍ତ୍ତୃପକ୍ଷ ଶିଶୁ କଲ୍ୟାଣ ସମିତି (ସିଡବ୍ଲ୍ୟୁସି)କୁ ଗତ ଶନିବାର ଖବର ଦେଇଥିଲେ। ଏହାପରେ ସିଡବ୍ଲ୍ୟୁସି ଟିମ୍ ଝିଅଟିର ଘରକୁ ତଦନ୍ତ ପାଇଁ ଯାଇ ଘଟଣା ବାବଦରେ ଅବଗତ ହୋଇଥିଲେ।

ସିଡବ୍ଲ୍ୟୁସି ଟିମର ଜଣେ ମହିଳା ଅଧିକାରୀ ପ୍ରତିକ୍ରିୟାରେ କହିଛନ୍ତି, ପୀଡ଼ିତାଙ୍କ ପରିବାର ଆର୍ଥିକ ଅନଟନ ଦେଇ ଗତି କରୁଥିଲେ। ପଇସା ନଥିବାରୁ ଘର ଭଡ଼ା ଦେବାକୁ ମଧ୍ୟ ପଇସା ନଥିଲା। ତେଣୁ ଏକଥା ପ୍ରଘଟ ହେଲେ କାଳେ ତା ବାପା ଜେଲ୍‌ ଯିବେ, ଆର୍ଥିକ ସମସ୍ୟା ଆହୁରି ଦେଖାଦେବ ବୋଲି ପୀଡ଼ିତା ଚିନ୍ତା କରିଥିଲା। ତେଣୁ କାହାକୁ କହି ନଥିଲା।

ଶେଷରେ ସେ ସିଡବ୍ଲ୍ୟୁସି ନିକଟରେ ସମସ୍ତ ଘଟଣା ଖୋଲି କହିଥିଲା। ପ୍ରଥମେ ଝିଅଟିର ବାପା ପଇସା ରୋଜଗାର ପାଇଁ ନିଜ ସ୍ତ୍ରୀ ତଥା ତାର ମାଆକୁ ଦେହ ବ୍ୟବସାୟରେ ନିୟୋଜିତ କରିଥିଲା। ତା’ର ବାପା ଦିନେ ତାଙ୍କର ଜଣେ ସାଙ୍ଗକୁ ଝିଅ ପାଖକୁ ପଠାଇଥିଲା। ସେ ତାକୁ ଦୁଷ୍କର୍ମ କରିଥିଲା ବୋଲି ଝିଅଟି କହିଛି। ପୀଡ଼ିତାର ସମସ୍ତ ବୟାନ ରବିବାର ଜଣେ ମାଜିଷ୍ଟ୍ରେଟଙ୍କ ସାମ୍ନାରେ ରେକର୍ଡ ହୋଇଛି ବୋଲି ଜଣାପଡ଼ିଛି।

ପୀଡ଼ିତାଙ୍କ ଘର ପାଖରେ ରହୁଥିବା ୪୭ ବର୍ଷୀୟ ଜଣେ ବୃଦ୍ଧା ପ୍ରତିକ୍ରିୟାରେ କହିଛନ୍ତି ୫ ବର୍ଷ ହେବ ପୀଡ଼ିତାଙ୍କ ପରିବାର ଏଠାରେ ରହି ଆସୁଛନ୍ତି। କିଛି ବର୍ଷ ହେବ ଏହି ଘରେ ରାତି ହେଲେ କିଛି ବେଆଇନ କାମ ହେଉଛି ବୋଲି ସନ୍ଦେହ ହେଉଥିଲା। ଏମିତିକି ରାତି ହେଲେ ଜଣେ ଝିଅ କାନ୍ଦିବାର ଏବଂ ଚିତ୍କାର କରିବାର ଶବ୍ଦ ଶୁଣାଯାଉଥିଲା ବୋଲି ବୃଦ୍ଧା ଜଣଙ୍କ କହିଛନ୍ତି।

ସେହିଭଳି ପୀଡ଼ିତାଙ୍କ ସହପାଠୀ ପ୍ରତିକ୍ରିୟାରେ କହିଛନ୍ତି ପ୍ରତ୍ୟେକ ଦିନ ତା’ର ସାଙ୍ଗ(ପୀଡ଼ିତା)ଙ୍କୁ ତାଙ୍କ ମାଆ ସ୍କୁଲରୁ ନେବାଆଣିବା କରନ୍ତି। ଆଉ କାହା ସହ ସେ ସ୍କୁଲ୍ ଆସେ ନାହିଁ। କାଳେ ପୀଡ଼ିତା ଅନ୍ୟ କାହାକୁ କହିଦେବ ସେଥିପାଇଁ ପୀଡ଼ିତାର ମାଆ ଖେଳଛୁଟିରେ ମଧ୍ୟ ଘରକୁ ନେଇଯାଆନ୍ତି।

ତେବେ ପୀଡ଼ିତାଙ୍କ ମାଆ ସମସ୍ତ ଅଭିଯୋଗକୁ ଖଣ୍ଡନ କରିବା ସହ ଏହା ତାଙ୍କ ପରିବାର ବିରୋଧରେ ଏକ ଷଡ଼ଯନ୍ତ୍ର ବୋଲି କହିଛନ୍ତି।

Related story