କୋଲକାତା: ବଲିଉଡରେ କିଙ୍ଗ୍ ଖାନ୍ ବୋଲାଉଥିବା ଶାହାରୁଖ୍, କୌଣସି ବ୍ୟକ୍ତିଙ୍କ କାର୍ ପଛ ସିଟ୍ରେ ବସିପାରନ୍ତି ଓ କାହାକୁ ସର୍ବ ସମ୍ମୁଖରେ ପାଦଛୁଇଁ ମୁଣ୍ଡିଆ ମାରି ପାରନ୍ତି ସେ କଥା ଭାବିଲେ ଆଶ୍ଚର୍ଯ୍ୟ ଲାଗିବ । ହେଲେ ସେମିତି କିଛି ଘଟିଛି କୋଲକାତାରେ। ଆଉ ଏଇ ଦୃଶ୍ୟକୁ ସାଧାରଣ ଲୋକେ ମୋବାଇଲ ଫୋନ୍ରେ କଏଦ କରିବା ପରେ ଭାଇରାଲ ହୋଇଛି ଭିଡିଓ।
କଥାଟା ହେଲା ଏମିତି । ନିକଟରେ ଅନୁଷ୍ଠିତ କଲିକତା ଫିଲ୍ମ ଫେଷ୍ଟିଭାଲରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଶାହାରୁଖ୍। ଏହି କାର୍ଯ୍ୟକ୍ରମ ସଫଳତାର ସହ ସମ୍ପନ୍ନ ହେବା ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ନିଜେ ଶାହାରୁଖଙ୍କୁ ବିଦାୟ ଦେବାକୁ ଯାଇଥିଲେ। କାର୍ଯ୍ୟକ୍ରମ ସ୍ଥଳରୁ ଏୟାରପୋର୍ଟ ପର୍ଯ୍ୟନ୍ତ ଏକାଠି ଯାଇଥିଲେ ଶାହାରୁଖ-ମମତା । ନିଜ ସ୍ୟାଣ୍ଟ୍ରୋ କାର୍ରେ ମମତା ଆଗ ସିଟ୍ରେ ବସିଥିବା ବେଳେ ପଛ ସିଟ୍ରେ ବସିଥିଲେ କିଙ୍ଗ ଖାନ୍ । ଏୟାରପୋର୍ଟରେ ମମତା ଗାଡିରୁ ଓହ୍ଲାଇ ଶାହାରୁଖଙ୍କୁ ବିଦାୟ ଜଣାଇବା ବେଳେ ଶହାରୁଖ ତାଙ୍କ ପାଦଛୁଇଁ ପ୍ରଣାମ କରିଥିଲେ। ମମତା ବି ତାଙ୍କ ମୁଣ୍ଡ ଆଉଁଶି ଆଶିର୍ବାଦ ଦେଇଥିବା ଦେଖିବାକୁ ମିଳିଥିଲା। ଏହି ଘଟଣା ଦେଖୁଥିବା ଲୋକେ ତାଳିମାରି ଶାହାରୁଖଙ୍କ ଉଦାରତାର ପ୍ରଶଂସା କରିଥିବା ବେଳେ ଏହି ଦୃଶ୍ୟର ଭିଡିଓ କରି ସୋସିଆଲ ମିଡିଆରେ ଛାଡି ଦେଇଥିଲେ। ଯାହା ଏବେ ଭାଇରାଲ ହେବାରେ ଲାଗିଛି।
ସୂଚନାଯୋଗ୍ୟ, ଶୁକ୍ରବାର କୋଲକତାରେ ଆରମ୍ଭ ହୋଇଥିଲା ୨୩ତମ ଆନ୍ତର୍ଜତୀୟ ଚଳଚ୍ଚିତ୍ର ମହୋତ୍ସବ । ଏଥିରେ ଯୋଗ ଦେଇଥିଲେ ମହାନାୟକ ଅମିତାଭ ବଚ୍ଚନ, ଶାହାରୁଖ ଖାନ୍, କମଲ ହସନ୍ ଓ ଅଭିନେତ୍ରୀ କାଜୋଲ । ତେବେ ଅନ୍ୟମାନଙ୍କ ଅପେକ୍ଷା ମମତାଙ୍କ ପାଇଁ ଶାହାରୁଖ ସବୁଠାରୁ ଖାସ୍ ବୋଲି କୁହାଯାଏ । କାରଣ ଶହାରୁଖ୍ ମମତାଙ୍କୁ ଜଣେ ବଡ ଭଉଣୀ ବୋଲି ସମ୍ମାନ ଦିଅନ୍ତି । ଆଉ ଖାସ୍ ଏଇଥି ପାଇଁ ବୋଧେ କଲିକତାର ବ୍ରାଣ୍ଡ ଆମ୍ବାସେଡ୍ର ଭାବେ ଶାହାରୁଖଙ୍କ ନାଁ ଆସିଥିଲା। ଏହି ସମ୍ପର୍କ ପାଇଁ ଦାମି ଗାଡିରେ ବୁଲୁଥିବା ସାହାରୁଖ୍ ସାନ ଭାଇଟିଏ ଭଳି ମମତା ଦିଦିଙ୍କ କାର୍ରେ ବସି ଯାଇଥିଲେ ବୋଲି କୁହାଯାଉଛି।