ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତ୍ରୀ ତଥା ୩ ଥର ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ତୁଲାଇଥିବା ଶୀଲା ଦୀକ୍ଷିତଙ୍କର ଆଜି ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ହୋଇଥିଲା। ସେ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ। ଆଜି ଦିନ ୧୦.୩୦ରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। ତେବେ ୩.୩୦ ସମୟରେ ଦିଲ୍ଲୀର ସିଟି ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି। ସେ ହୃଦ୍ରୋଗରେ ପୀଡ଼ିତ ଥିଲେ ଏବଂ ଚିକିତ୍ସା ପାଇଁ ଗତ କିଛି ଦିନ ତଳେ ଏସ୍କର୍ଟସ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଗତ ଲୋକସଭା ନିର୍ବାଚନ ପୂର୍ବରୁ ସେ ଦିଲ୍ଲୀ କଂଗ୍ରେସ ମୁଖ୍ୟ ଦାୟିତ୍ୱ ତୁଲାଇ ଆସୁଥିଲେ।
୧୯୯୮ ମସିହାରୁ ୨୦୦୩ ଯାଏ ସବୁଠାରୁ ଅଧିକ ସମୟ ଦୀର୍ଘ ୧୫ ବର୍ଷ ପାଇଁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ତୁଲାଇ ସାରିଛନ୍ତି। ଏତଦ୍ବ୍ୟତୀତ ୨୦୧୪ ମସିହାରେ ସେ କେରଳର ରାଜ୍ୟପାଳ ଦାୟିତ୍ୱ ମଧ୍ୟ ତୁଲାଇଥିଲେ। ସେ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କର ଘନିଷ୍ଠ ବନ୍ଧୁ ଥିଲେ।
ଆଜି ତାଙ୍କ ମୃତ୍ୟୁ ଖବର ଆସିବା ପରେ କଂଗ୍ରେସ ପକ୍ଷରୁ ତାଙ୍କର ସ୍ମୃତିଚାରଣ କରାଯାଇଛି। କଂଗ୍ରେସ ପକ୍ଷରୁ ଏକ ଟ୍ୱିଟ୍ରେ କୁହାଯାଇଛି ତାଙ୍କର ୧୫ ବର୍ଷର ମୁଖ୍ୟମନ୍ତ୍ରିତ୍ୱ ସମୟରେ ସେ ବିଭିନ୍ନ କ୍ଷେତ୍ରରେ ଦିଲ୍ଲୀର ବିକାଶ ଓ ପରିବର୍ତ୍ତନ କରିପାରିଥିଲେ। ଅନ୍ୟ ରାଜନୀତିକ ଦଳ ଓ କଂଗ୍ରେସର ତୁଙ୍ଗ ନେତା ଏବଂ ଶୁଭେଚ୍ଛୁମାନେ ମଧ୍ୟ ତାଙ୍କ ମୃତ୍ୟୁରେ ଶୋକପ୍ରକାଶ କରିଛନ୍ତି।
୧୯୩୮ ମସିହା ୩୧ ମାର୍ଚ୍ଚରେ ପଞ୍ଜାବର କପୁରଥାଲାଠାରେ ଜନ୍ମିତ ଶୀଲା ତାଙ୍କ ଶ୍ୱଶୁର ତଥା ଇନ୍ଦିରା ଗାନ୍ଧିଙ୍କ ସରକାରରେ ମନ୍ତ୍ରୀ ଥିବା ବରିଷ୍ଠ କଂଗ୍ରେସ ନେତା ଉମା ଶଙ୍କର ଦୀକ୍ଷିତଙ୍କଠାରୁ ରାଜନୀତିକ ପ୍ରେରଣା ପାଇଥିଲେ। ଶୀଲା କନ୍ନୌଜରୁ ଲୋକସଭା ସାଂସଦ ଭାବେ ମଧ୍ୟ ନିର୍ବାଚିତ ହୋଇଥିଲେ। ୨୦୧୭ ମସିହାରେ ତାଙ୍କୁ କଂଗ୍ରେସ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ବାଛିଥିଲେ ମଧ୍ୟ ସେ ଏଥିରୁ ଓହରିଯାଇଥିଲେ। ଜାତିସଂଘରେ ଭାରତକୁ ପ୍ରତିନିଧିତ୍ୱ କରିଥିବା ଶୀଲା କେନ୍ଦ୍ରରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ।
ଦିଲ୍ଲୀର ଭିତ୍ତିଭୂମି, ସଡ଼କ, ଫ୍ଲାଇଓଭର ଏବଂ ଅନ୍ୟ ଭିତ୍ତିଭୂମି ନିର୍ମାଣ କ୍ଷେତ୍ରରେ ସେ ବଡ଼ ଭୂମିକା ତୁଲାଇଥିଲେ। ଏତଦ୍ବ୍ୟତୀତ ପ୍ରଦୂଷଣ ହ୍ରାସ, ଉତ୍ତମ ମାନର ଯୋଗାଯୋଗ, ଶିକ୍ଷା ଏବଂ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ତାଙ୍କର ବିଭିନ୍ନ ପଦକ୍ଷେପ ବେଶ୍ ଜନାଦୃତ ହୋଇଥିଲା।