ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତଙ୍କ ବିୟୋଗରେ ଆଜି ସାରା ଦେଶ ମର୍ମାହତ। ତାଙ୍କ ରାଜନୀତିକ ଜୀବନ ବାବଦରେ ସମସ୍ତେ ଜାଣନ୍ତି, କିନ୍ତୁ ତାଙ୍କ ପ୍ରେମ କାହାଣୀ ମଧ୍ୟ ତାଙ୍କ ରାଜନୀତିକ କ୍ୟାରିୟର ପରି ରୋମାଞ୍ଚ ଭରା। ସେ ଏହି ବିଷୟରେ ନିଜ ଆତ୍ମ ଜୀବନୀ ‘ସିଟିଜେନ୍ସ ଦିଲ୍ଲୀ: ମାଇଁ ଟାଇମ୍ସ, ମାଇଁ ଲାଇଫ୍’ରେ ଲେଖିଛନ୍ତି।
ଶୀଲା କୁହନ୍ତି, ସେ ବହୁଥର ଚାହିଁ ମଧ୍ୟ ବିନୋଦଙ୍କୁ ତାଙ୍କର ମନ କଥା କହିପାରିନଥିଲେ। ଶୀଲା ଟିକେ ଇଣ୍ଟ୍ରୋଭର୍ଟ ଥିଲେ, ବିନୋଦ ଖୋଲା ମିଜାଜ୍ର। ତେଣୁ ଶୀଲା ନିଜ ମନର କଥା କହିବା ପାଇଁ ଡିଟିସି ବସ୍ରେ ଏକ ଘଣ୍ଟାର ଯାତ୍ରା କରିବାକୁ ପଡ଼ିଥିଲା। ଏହାପରେ ଫିରୋଜଶାହ ରୋଡ୍ଠାରେ ତାଙ୍କର ଜଣେ ସମ୍ପର୍କୀୟଙ୍କ ଘରେ ଦୁହେଁ ବେଶ୍ ସମୟ ବିତାଇଥିଲେ।
ଡିଟିସି ବସ୍ରେ ହିଁ ବିନୋଦ ତାଙ୍କୁ ଅଭିନବ ଢଙ୍ଗରେ ବିବାହ ପ୍ରସ୍ତାବ ଦେଇଥିଲେ। ସେ କହିଥିଲେ, ମା'ଙ୍କୁ କହିଦେବି ମୁଁ ଝିଅ ଠିକ୍ କରିସାରିଛି, ଯାହାକୁ ମୁଁ ବିବାହ କରିବି। ଶୀଲା ପଚାରିଲେ, ତୁମେ କ’ଣ ସେ ଝିଅକୁ ବି ତା ମନ କଥା ପଚାରି ସାରିଛ? ବିନୋଦ କହିଥିଲେ, ହଁ, ସେ ବସ୍ରେ ମୋ ଆଗ ସିଟ୍ରେ ବସିଛି। ବିନୋଦ ସେତେବେଳେ ଛାତ୍ର ଥିବାରୁ ବାହାଘର ପାଇଁ ପ୍ରଥମେ ଶୀଲାଙ୍କ ଘରେ ରାଜି ନଥିଲେ। କିନ୍ତୁ ପରେ ଏହାର ସମାଧାନ ହୋଇଯାଇଥିଲା। ସୂଚନାଯୋଗ୍ୟ ଯେ, ବିନୋଦ ଵିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଉମାଶଙ୍କର ଦୀକ୍ଷିତଙ୍କ ପୁଅ।