ଭୋପାଳ: କି ପୋଷାକ ପିନ୍ଧିବ ବର। ଏଇ କଥାକୁ ନେଇ ବର ପକ୍ଷ ଓ କନ୍ୟା ପକ୍ଷ ମଧ୍ୟରେ ପାଟିତୁଣ୍ଡ ହେବା ସହିତ ଉଭୟ ପକ୍ଷର ଲୋକମାନେ ପରସ୍ପର ଉପରକୁ ଢେଲାପଥର ବି ଫିଙ୍ଗିଲେ। ଶେଷରେ ବାହାଘର ମଉଜ ପୁଲିସ ତଦନ୍ତରେ ଶେଷ ହେଲା। ଏଭଳି ଏକ ଘଟଣା ଘଟିଛି ମଧ୍ୟ ପ୍ରଦେଶର ଧର୍ ଜିଲ୍ଲାର ମଙ୍ଗବେଡ଼ା ଗାଁରେ।
ଶନିବାର ଦିନ ମଙ୍ଗବେଡ଼ାରେ ଏହି ବାହାଘର ହେବାର ଥିଲା। ଆଦିବାସୀ ବରକୁ ଆଦିବାସୀ କନିଆ। ବର ସୁନ୍ଦରଲାଲ ରହେ ଧର୍ ସହରରେ। ତେଣୁ ସେ ଶେରୱାନୀ ପିନ୍ଧି ଆସିଥିଲା। କିନ୍ତୁ କନ୍ୟାପକ୍ଷଙ୍କ ଦାବି ହେଲା, ବାହାଘର ଆଦିବାସୀ ପରମ୍ପରା ଅନୁସାରେ ହେବ, ତେଣୁ ବର ଶେରୱାନୀ ବଦଳରେ ଧୋତି-କୁର୍ତ୍ତା ପିନ୍ଧିବ।
ଏହାକୁ ନେଇ ଉଭୟ ପକ୍ଷ ମଧ୍ୟରେ କଥା କଟାକଟିରୁ ଗାଳିଫଜିତ ବି ହେଲା। ଶେଷରେ ଉଭୟ ପକ୍ଷର ଲୋକମାନେ ପରସ୍ପର ଉପରକୁ ଢେଲାପଥର ମାଡ଼ ବି କଲେ। କଥା ନିକଟସ୍ଥ ଧାମନଦ୍ ପୁଲିସ ଥାନାକୁ ଗଲା ଓ ପୁଲିସ ପହଞ୍ଚିବା ପରେ ଉତ୍ତେଜନା ପ୍ରଶମିତ ହୋଇଥିଲା। ତେବେ ଉଭୟ ପକ୍ଷ ପରସ୍ପର ବିରୋଧରେ ଏତଲା ଦାଏର କରିଥିଲେ। ଏତଲାକୁ ଭିତ୍ତି କରି ପୁଲିସ କେତେକ ଲୋକଙ୍କ ବିରୋଧରେ ଭାରତୀୟ ପିଙ୍ଗଳ କୋଡ଼ର ୨୯୪, ୩୨୩ ଓ ୫୦୬ ଦଫା ଲଗାଇ ମାମଲା ରୁଜୁ କରିଛି। ତେବେ, ଏହା ପରେ ମଧ୍ୟ କେତେକ ମହିଳା ଥାନାରେ ପହଞ୍ଚି ଧାରଣା ଦେଇଥିଲେ। ସେମାନଙ୍କ ଅଭିଯୋଗ ହେଲା କନ୍ୟା ପକ୍ଷ ଲୋକ ସେମାନଙ୍କ ଉପରକୁ ପଥର ଫିଙ୍ଗିବାରୁ ଏକାଧିକ ମହିଳା ଆହତ ହୋଇଛନ୍ତି।
ଏସବୁ ସଂପର୍କରେ ବର ସୁନ୍ଦରଲାଲ କହିଛନ୍ତି ଯେ କନ୍ୟା ପରିବାର ସହିତ ସେମାନଙ୍କର କୌଣସି ବିବାଦ ହୋଇନାହିଁ। ବର ପୋଷାକକୁ ନେଇ ମଧ୍ୟ କେହି କିଛି କହିନାହାନ୍ତି। କିନ୍ତୁ କେତେକ ଲୋକ ଗଣ୍ଡଗୋଳ କରିଛନ୍ତି। କେହି କେହି ପରସ୍ପର ଉପରକୁ ଢେଲାପଥର ଫିଙ୍ଗିଛନ୍ତି।
ଏସବୁ କାଣ୍ଡକାରଖାନା ସରିଲା ପରେ ବର ଓ କନ୍ୟା ସେମାନଙ୍କର ଅଳ୍ପ କେତେ ଜଣ ସଂପର୍କୀୟଙ୍କ ସହିତ ଧର୍ ସହର ପଳାଇଥିଲେ। ସେଠାରେ ବାହାଘର କାର୍ଯ୍ୟ ସଂପନ୍ନ ହୋଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।