ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ସରକାର ଗଢ଼ିବା ନେଇ ଦୁଇ ସହଯୋଗୀ ବିଜେପି-ଶିବସେନା ମଧ୍ୟରେ ବିବାଦ ଚାଲିଛି। ଗତକାଲି ଦିଲ୍ଲୀ ଦରବାରରୁ ସରକାର ଗଢ଼ିବା ନେଇ ବିଜେପି ଓ ଶିବସେନା ପାଇଁ ସେମିତି କିଛି ସକାରାତ୍ମକ ବାର୍ତ୍ତା ଆସିନାହିଁ। କଂଗ୍ରେସ ଶିବସେନାକୁ ସମର୍ଥନ କରିବ କି ନାହିଁ କିଛି ବି ସ୍ପଷ୍ଟ କରିନି। ସେପଟେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ ବିଜେପି ସଭାପତି ଅମିତ ଶାହଙ୍କୁ ଭେଟିଥିଲେ। ହେଲେ ବିଜେପି ସରକାର ଗଢ଼ିବ କି ନାହିଁ ସ୍ପଷ୍ଟ କରିନାହାନ୍ତି। କଂଗ୍ରେସ ସମର୍ଥନ ନେଇ ଦୋଛକିରେ ରଖିବା ପରେ ଶିବସେନା ହୃଦବୋଧ କରି ସାରିଛି ବିରୋଧୀ ମେଣ୍ଚ ସହ ବର୍ତ୍ତମାନର ରାଜନୀତିକ ସ୍ଥିତିରେ ସରକାର ଗଢ଼ିବା ଏତେଟା ସମ୍ଭବ ନୁହେଁ। ତେଣୁ ଏବେ ଶିବସେନା ସରକାରରେ ସାମିଲ୍ ହେବା ପାଇଁ ସହଯୋଗୀ ଦଳ ବିଜେପିର ଆଦର୍ଶଗତ ଗୁରୁ ଆରଏସଏସର ମୁଖ୍ୟ କାର୍ଯ୍ୟାଳୟ ନାଗପୁରର ଦ୍ୱାରସ୍ଥ ହୋଇଛି।
୫୦:୫୦ ଫର୍ମୁଲାରେ ସରକାର ଗଢ଼ିବା ପାଇଁ ଯେଉଁ ବିବାଦ ଚାଲିଛି ସେଥିରେ ବ୍ରେକ ଲଗାଇବା ପାଇଁ ଏବେ ଚିନ୍ତା କରିଛି ଶିବସେନା। କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀଙ୍କ ନିକଟତମ ଶିବସେନା ନେତା କିଶୋର ତିଓ୍ୱାରୀ ଆଜି ଆରଏସଏସ ମୁଖ୍ୟ ମୋହନ ଭାଗବତଙ୍କୁ ଚିଠି ଲେଖି ବିବାଦର ସମାଧାନ କରିବା ପାଇଁ ଆହ୍ୱାନ କରିଛନ୍ତି।
ବିଜେପି-ଶିବସେନା ମେଣ୍ଟକୁ ନିର୍ବାଚନରେ ବହୁମତ ମିଳିଛି। ତେଣୁ ଦୁଇ ଦଳ ସରକାର ଗଢ଼ିବା ଉଚିତ୍। ନିର୍ବାଚନ ପୂର୍ବରୁ ବିଜେପି ଶିବସେନା ସହ ୫୦:୫୦ ଫର୍ମୁଲାରେ ସରକାର ଗଢ଼ିବ ବୋଲି ରାଜି ହୋଇଥିଲା। ହେଲେ ଫଳାଫଳ ବାହାରିବା ପରେ ବିଜେପି ମେଣ୍ଟ ଧର୍ମ ପାଳନ କରୁନି ବୋଲି ଶିବସେନା ଆରଏସଏସ ମୁଖ୍ୟ ମୋହନ ଭାଗବତଙ୍କୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଛି। ଅର୍ଥାତ୍ ଏବେ ବିଜେପି ସହ ଶିବସେନା ସିଧା ଆଲୋଚନା ନକରି ଆରଏସଏସ ମାଧ୍ୟମରେ ବିବାଦ ସମାଧନ କରି ସରକାର ଗଢ଼ିବ ବୋଲି ଏକ ପ୍ରକାର ଚିନ୍ତା କରିଛି।
ଶିବସେନା ଅନେକ ଥର ମୁଖ୍ୟମନ୍ତ୍ରୀ ଆସନକୁ ନେଇ ନିଜର ଦାବି ଦୋହରାଇ ସାରିଛି। ବିଜେପି ସହ କେବଳ ମୁଖ୍ୟମନ୍ତ୍ରୀ ଆସନକୁ ନେଇ ହିଁ ଆଲୋଚନା ହେବ ବୋଲି ଶିବସେନା ନେତା ସଞ୍ଜୟ ରାଉତ କହିସାରିଛନ୍ତି। ହେଲେ ଫଳାଫଳ ପରେ ବିଜେପି ଶିବସେନାର ଏହି ଦାବିକୁ ରଦ୍ଦ କରିଦେଇଛି। ମୁଖ୍ୟମନ୍ତ୍ରୀ ଆସନ କେବଳ ବିଜେପି ପାଖରେ ରହିବ ବୋଲି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ କହିସାରିଛନ୍ତି।
ସୂଚନାଯୋଗ୍ୟ, ଅକ୍ଟୋବର ୨୦ରେ ଭୋଟିଂ ହୋଇ ୨୪ରେ ମହାରାଷ୍ଟ୍ର ନିର୍ବାଚନ ଫଳାଫଳ ବାହାରିଥିଲା। ମହାରାଷ୍ଟ୍ର ବିଧାନସଭାର ୨୮୮ଟି ଆସନରୁ ବିଜେପି ୧୦୫ଟି, ଶିବସେନା ୫୬, କଂଗ୍ରେସ ୪୪, ଏନସିପି ୫୪ ଓ ଅନ୍ୟାନ୍ୟ ଦଳ ୨୯ଟି ଆସନରେ ଜିତିଛନ୍ତି। ସରକାର ଗଢ଼ିବା ପାଇଁ ମ୍ୟାଜିକ ନମ୍ୱର ୧୪୫ ରହିଛି। କଂଗ୍ରେସ ଓ ଏନସିପି ମିଶି ୯୮ ଆସନ ଜିତିଛନ୍ତି।