ମୁମ୍ୱାଇ: ମହାରାଷ୍ଟ୍ରର ମହା ବିକାଶ ଅଘାଡ଼ି (ଶିବସେନା-ଏନସିପି-କଂଗ୍ରେସ) ମେଣ୍ଟ ସରକାରରେ ଅସନ୍ତୋଷ ସାମ୍ନାକୁ ଆସିଛି। ଆଜି ଶିବସେନା ବିଧାୟକ ତଥା ମନ୍ତ୍ରୀ ଅବଦୁଲ୍ଲ ସତ୍ତାର ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ଉଦ୍ଧବ ଠାକରେଙ୍କ ସରକାରରେ ସେ ରାଜ୍ୟ ମନ୍ତ୍ରୀ ଭାବରେ ଶପଥ ନେଇଥିଲେ। ସେ କ୍ୟାବିନେଟ ମନ୍ତ୍ରୀ ପାଇଁ ଦାବି କରିଥିଲେ ହେଲେ ରାଜ୍ୟ ମନ୍ତ୍ରୀ ପଦବୀ ଦିଆଯାଇଥିବାରୁ ଅସନ୍ତୋଷ ପ୍ରକାଶ କରି ମନ୍ତ୍ରୀ ପଦବୀରୁ ଇସ୍ତଫା ଦେଇଛନ୍ତି ବୋଲି ଚର୍ଚ୍ଚା ହେଉଛି।
ଅନ୍ୟପଟେ ସତ୍ତାରଙ୍କ ଇସ୍ତଫା ଖବରକୁ ଖଣ଼୍ଡନ କରିଛନ୍ତି ଶିବସେନା ସାଂସଦ ଅନୀଲ ଦେଶାଇ। ସେ ତାଙ୍କର ଇସ୍ତଫା ପତ୍ର ମୁଖ୍ୟମନ୍ତ୍ରୀଙ୍କ ପାଖକୁ ପଠାଇ ନାହାନ୍ତି। ସେହିପରି ଔରାଙ୍ଗାବାଦର ଏହି ବିଧାୟକଙ୍କ ପୁୁଅ ସମୀର ନବୀ ମଧ୍ୟ ଇସ୍ତଫା ଖବରକୁ ଖଣ୍ଡନ କରିଛନ୍ତି। ଏହା ପୂର୍ବରୁ ଏନସିପି ବିଧାୟକ ପ୍ରକାଶ ସୋଲାଙ୍କି ମନ୍ତ୍ରିମଣ୍ଡଳରେ ତାଙ୍କୁ ସାମିଲ୍ କରାଯାଇନଥିବାରୁ ଅସନ୍ତୋଷ ପ୍ରକାଶ କରି ବିଧାୟକ ପଦବୀରୁ ଇସ୍ତଫା ଦେଇଛନ୍ତି।
ସୂଚନାଯୋଗ୍ୟ, ଡିସେମ୍ୱର ମାସ ଅନ୍ତିମରେ ଉଦ୍ଧବ ସରକାର ନିଜ ମନ୍ତ୍ରିମଣ୍ଡଳର ସଂପ୍ରସାରଣ କରିଥିଲେ। ଏଥିରେ ୩୬ ଜଣ ମହା ବିକାଶ ଅଘାଡ଼ି ମେଣ୍ଟର ବିଧାୟକ ମନ୍ତ୍ରୀ ଭାବରେ ଶପଥ ନେଇଥିଲେ। ଏହି ନୂଆ ମନ୍ତ୍ରିମଣ୍ଡଳରେ ଉଦ୍ଧବ ଅଳ୍ପ ବରିଷ୍ଠ ନେତା ଏବଂ ଅଧିକାଂଶ ଯୁବ ବର୍ଗଙ୍କୁ ସାମିଲ୍ କରିଛନ୍ତି। ହେଲେ ବାଦ୍ ପଡ଼ିଥିବା ବରିଷ୍ଠ ବିଧାୟକମାନେ ମନ୍ତ୍ରିମଣ୍ଡଳରେ ସାମିଲ୍ ହୋଇନଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି। ଶପଥ ସମାରୋହକୁ ଶିବସେନାର ତୁଣ୍ଡ ତଥା ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ ମଧ୍ୟ ଆସିନଥିଲେ। ଏହାର କାରଣ ତାଙ୍କ ଭାଇ ସୁନୀଲ ରାଉତଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ୍ ନକରିବା।
ସୁନୀଲ ମଧ୍ୟ ବିଧାୟକ ପଦବୀରୁ ଇସ୍ତଫା ଦେବେ ବୋଲି ଚେତାବନୀ ଦେଇଛନ୍ତି। ମେଣ୍ଟ ନେତାଙ୍କର ଏଭଳି ବିଦ୍ରୋହ ଆଗକୁ ଉଦ୍ଧବଙ୍କ ପାଇଁ ଅଡ଼ୁଆ ସୃଷ୍ଟି କରିପାରେ ବୋଲି ଆକଳନ ହୋଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।