ଚଣ୍ଡିଗଡ: ଆଉ ୧୬ ଦିନ ପରେ ହରିଆନା ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ପଡ଼ିବ। ଏହା ପୂର୍ବରୁ କଂଗ୍ରେସକୁ ଶକ୍ତ ଧକ୍କା ଲାଗିଛି। ଆଜି ଦଳରୁ ଇସ୍ତଫା ଦେଇଛନ୍ତି ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ଅଶୋକ ତନଓ୍ୱର। ଟିକଟ ବଣ୍ଟାକୁ ନେଇ ଦୀର୍ଘଦିନ ଧରି ଦଳ ଭିତରେ ଥିବା ଅସନ୍ତୋଷର ନିଆଁ ଶେଷରେ ନିର୍ବାଚନ ପୂର୍ବରୁ ବାହାରକୁ ଦେଖିବାକୁ ମିଳିଛି। ଏମିତିକି ୫ କୋଟି ଟଙ୍କାରେ ବିଧାୟକ ଆସନ ବିକ୍ରି ହେଉଛି ବୋଲି ସେ ଅଭିଯୋଗ କରିଛନ୍ତି।
ନିକଟରେ ଅଶୋକ ଦଳର ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କୁ ଚିଠି ଲେଖଥିଲେ। ଦଳ ଦେଇଥିବା ସମସ୍ତ ଦାୟିତ୍ୱରୁ ମୁକ୍ତ କରିବା ପାଇଁ ଚିଠି ଜରିଆରେ ସୋନିଆଙ୍କୁ ନିବେଦନ କରିଥିଲେ। ଆଜି ଦଳରୁ ଇସ୍ତଫା ଦେବା ପୂର୍ବରୁ ନିଜ ଦଳୀୟ କର୍ମୀ ଓ ସହଯୋଗୀଙ୍କୁ କହିଥିଲେ ସେ ସମସ୍ତ ଦାୟିତ୍ୱରେ ହଟିଯିବେ। କେବଳ ଦଳର ସାଧାରଣ କର୍ମୀ ଭାବରେ ଲୋକଙ୍କ ସେବା କରିବେ। ହେଲେ ସେ ଆଜି ଉଭୟ ପଦ ଏବଂ ଦଳରୁ ଇସ୍ତଫା ଦେଇଛନ୍ତି।
ସୂଚନାଯୋଗ୍ୟ, ହରିଆନାରେ ୨୧ ଅକ୍ଟୋବରରେ ବିଧାନସଭା ନିର୍ବାଚନ ରହିଥିବାବେଳେ ୨୪ ଅକ୍ଟୋବରରେ ଭୋଟ୍ ଗଣତି ରହିଛି।