ଅମୃତସର: ମନ୍ତ୍ରିମଣ୍ଡଳ ଅଦଳବଦଳ ପରେ ନୂଆ ବିଭାଗରେ ଯୋଗ ଦେଇ ନାହାନ୍ତି ପଞ୍ଜାବ ସରକାରର କ୍ୟାବିନେଟ ମନ୍ତ୍ରୀ ନବଜୋତ ସିଂହ ସିଦ୍ଧୁ। ଗତକାଲି ସିଦ୍ଧୁ ତାଙ୍କୁ ଦିଆଯାଇଥିବା ବିଭାଗର ଅଫିସରେ ଯୋଗ ଦେବାର ଥିଲା କିନ୍ତୁ ସେ କାର୍ଯ୍ୟରେ ଯୋଗ ଦେବା ପରିବର୍ତ୍ତେ ଦିଲ୍ଲୀ ଯାଇ ବରିଷ୍ଠ କଂଗ୍ରେସ ନେତାଙ୍କୁ ଭେଟୁଥିବା ଜଣାପଡ଼ିଛି।
ଗୁରୁବାର ଦିନ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ମନ୍ତ୍ରିମଣ୍ଡଳରେ ଅଦଳ ବଦଳ କରିଥିଲେ। ସିଦ୍ଧୁଙ୍କ ଠାରୁ ଲୋକାଲ ଗଭର୍ଣ୍ଣମେଣ୍ଟ ଓ ପର୍ଯ୍ୟଟନ ବିଭାଗ ପ୍ରତ୍ୟାହାର କରି ତାଙ୍କୁ ଶକ୍ତି ଓ ନବୀକରଣ ଯୋଗ୍ୟ ଶକ୍ତି ବିଭାଗର ଦାୟିତ୍ୱ ଦିଆଯାଇଛି।
ସାଧାରଣ ନିର୍ବାଚନରେ ପଞ୍ଜାବରେ ୫ ଲୋକସଭା ଆସନ କଂଗ୍ରେସ ହାରିବାର କାରଣ ସମ୍ପର୍କରେ ଆଲୋଚନା କଲା ବେଳେ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଖୋଲାଖୋଲି ଭାବେ ସିଦ୍ଧୁଙ୍କୁ ଦାୟୀ କରିଥିଲେ। ସିଦ୍ଧୁ ଲୋକାଲ ଗଭର୍ଣ୍ଣମେଣ୍ଟ ଓ ପର୍ଯ୍ୟଟନ ବିଭାଗର ମନ୍ତ୍ରୀ ଥିଲେ। ଏହି ବିଭାଗ ସହରାଞ୍ଚଳର ଲୋକଙ୍କ ସମସ୍ୟା ବିଷୟରେ ବୁଝିବା କଥା। ହେଲେ ସିଦ୍ଧୁ ଠିକ୍ ଭାବେ ନିଜର କାର୍ଯ୍ୟ ନ କରିବାରୁ ଏହା କଂଗ୍ରେସକୁ ମହଙ୍ଗା ପଡ଼ିଥିବା ଅମରିନ୍ଦର କହିଥିଲେ।